Unknown

 

 

 

 

 

 

 

 

 

ଭଲପାଇବାର ଶେଷକଥା

ଶ୍ରୀ କାହ୍ନୁଚରଣ ମହାନ୍ତି

 

ସେ ବର୍ଷ ଭାରି ଶୀତ ପଡ଼ିଥାଏ । ଫଗୁଣ ମାସ । ବେଳ ଦି’ଘଡ଼ି ପାରି ହୋଇଗଲାଣି । ମା ସକାଳୁ ଉଠି ରାଉଳ ଘର ଅମାର ଲିପିବାକୁ ଚାଲିଗଲା । ରାତିରେ ଆମେ ଉପାସ ଥାଉଁ । ଘରେ ଚିତା ଘେନିବାକୁ ପାଣି ଟୋପାଏ ବି ନ ଥାଏ । କୂଅରୁ ଦି’ଟା ପାଣି ଆଣିଲେ ରୋଷେଇ ହେବ ।

ମାଠିଆ ଦି’ଟା ଧରି ମିଶ୍ରଘର ତୋଟା ପାଖକୁ ଆସିଲି ଶୀତରେ । ଦେହ ଥରୁଥାଏ । ପିନ୍ଧିଥାଏ ଖଣ୍ଡେ କୋଚଟ ମଇଳା ସାତଗଇଣ୍ଠା ଦରବା । ସେତିକି ମୋ’ର ସମ୍ବଳ । ମା’କୁ କେତେଥର କହିଲିଣି, କିନ୍ତୁ ସେ ବା କରିବ କ’ଣ ? ହାତରେ ପଇସା ନାହିଁ । ଚିରାପଟା ଖଣ୍ଡେ ମାଗିଲେ କେହି ଦେଉ ନାହାନ୍ତି । ଶୀତଦିନ । ମଣିଷଙ୍କର ଛିଣ୍ଡା କନାକୁ ଆଶା । ରାତିଟା ହେଁସ ମସିଣା ଘୋଡ଼ି ହୋଇ କଟେ । ସକାଳେ ଚଳିବ କିପରି ? ଘରୁ ନ ବାହାରିଲେ ବି ହେବ ନାହିଁ । କାମ କରିବାକୁ ହିଁ ପଡ଼ିବ । ମା’ କହିଥାଏ–ଫୁଲ, ଏଡ଼େଟିଏ ହେଲୁଣି, ଏମିତି ଅଭେକା ହୋଇ କୁଆଡ଼େ ତୁ ଯିବୁ ନାହିଁ । ଘରେ ରହ । ମୁଁ ଯାଉଛି ଗାଆଁକୁ । ତା’କଥା ମାନି ମୁଁ ଘରେ ରହେଁ । ସେଦିନ ସକାଳେ କୂଅ ପାଖକୁ ପାଣି ଆଣିବାକୁ ଗଲି । ସକାଳର ପତଳା କୁହୁଡ଼ି ଭାଙ୍ଗି-ଯାଇଥାଏ-। ଖରା ପଡ଼ି ନ ଥାଏ । ଘାସ ଉପରେ ପଡ଼ିଥିବା କାକର ଗୋଡ଼ରେ ଲାଗି ଦେହ ଶୀତେଇ ଉଠୁଥାଏ । କୂଅ ପାଖରେ ପହଞ୍ଚିଲି । ମାଠିଆ ଦି’ଟା ତଳେ ରଖି ଫନ୍ଦ ଉପରେ ବସି ଲୁଗାପଟା ସଜାଡ଼ି ନେଲି । ଚାରିଆଡ଼େ ଖରା । ଶୀତ ସମ୍ଭାଳିବ କେଉଁଠୁ ?

କୂଅ ପାଖରୁ ପୂର୍ବପଟକୁ ଗହୀର ଲମ୍ୱି ଯାଇଛି । ଆଖି ପାଏ ନାହିଁ । ଗହୀର ସେପାରି ଅନ୍ଧାରିଆ ଗଛ ଗହଳି ଉହାଡ଼ରୁ ଧୀରେ ଧୀରେ ସୂର୍ଯ୍ୟ ଉଠିଲେ । କେଡ଼େ ଖୁସି ଲାଗିଲା । ଗରିବଙ୍କ ସେ ସାହାଭରସା ।

ସୂର୍ଯ୍ୟ ଆଡ଼କୁ ପିଠି କରି ଖରା ପୁହୁଁଛି; କେତେବେଳେ କାହାର ଛାଇ ପଡ଼ିଲା ମୋ ଉପରେ । ଚମକି ଚାହିଁଲି ପଛକୁ । ମିଶ୍ରଘର ପୁଅ । ବ୍ୟସ୍ତ ହୋଇ ଉଠି ଠିଆ ହେଲି । ହାତ ଯୋଡ଼ି ଓଳଗି ହେଲି । ତାଙ୍କ ଆଡ଼କୁ ପଛ କରି ଟିକିଏ ଆଡ଼େଇ ଗଲି । ଲାଜରେ ସଢ଼ିଗଲି ତ । ନଙ୍ଗଳା ବୟସ ମୋର କେବଠୁଁ ଗଲାଣି । ପିଲା ଦିହଟା ଆଉ ଜାତିକା ହୋଇ ଆସୁଛି । ଲୋକେ ଏଣିକି ମୁହଁକୁ ଛାଡ଼ି ଦେହକୁ ଅନଉଁଛନ୍ତି । ଅଡ଼ୁଆ ଲାଗୁଛି । ସେ ପାଖକୁ ଆସି ପଚାରିଲେ, ଫୁଲ କିଲୋ, ସକାଳେ ଏଠିଟାରେ ଠିଆ ହୋଇ ଶୀତରେ ଥରୁଛୁ କାହିଁକି ?

କହିଲି, ସକାଳ ହୋଇଛି ସାଆନ୍ତେ ? ରାତି କେତେବେଳୁ ପାହିଲାଣି, କୁହୁଡ଼ିଆଟା ହୋଇଛି ବୋଲି ବେଳ ଜଣାପଡ଼ୁନାହିଁ । ପାଣି ନବାକୁ ଆସିଥିଲି । ଆପଣ କୁଆଡ଼େ ?

କହିଲେ, ତୋଟାଆଡ଼େ ବୁଲି ଆସିଥିଲି । ସକାଳେ ବୁଲିବାକୁ ମତେ ଖୁସି ଲାଗେ ।

ମୁଁ ତୁନି ରହିଲି । ସେ କେତେବେଳଯାଏ ମୋ ଆଡ଼କୁ ଚାହିଁ ରହିଲେ । କଣ ଭାବିଲେ କେଜାଣି, ପଚାରିଲେ, ତୋ’ର କ’ଣ ଲୁଗା ନାହିଁ କି, ଚିରା ଲୁଗା ପିନ୍ଧି ଏମିତି ଶୀତରେ ଥରୁଛୁ ଯେ-?

ସେ ମତେ ଆଡ଼େଇ ଚାହିଁଲେ । ଲାଜରେ ଝାଉଁଳି ପଡ଼ିଲି । ସଙ୍କୁଚିତ ହୋଇ କହିଲି, ନାହିଁ ସାଆନ୍ତେ ମୋର ଆଉ ଲୁଗା ନାହିଁ ।

ମନ ହେଉଥିଲା, ଚିରା ଫୁଟା ଲୁଗା ଖଣ୍ଡେ ମାଗିବି । ପାଟି ପଇଟିଲା ନାହିଁ । ହାତ ଥରି ଉଠୁଥାଏ । ଦଉଡ଼ିର ଫାଶଟି ମାଠିଆର ବେକରେ ଲଗାଇଲି । ଗୁଣ ସାମନ୍ତେ କହିଲେ, ଲୁଗା ନାହିଁ, ଭାରି କଷ୍ଟ ତ ହେଉଥିବ । ଆଚ୍ଛା ଦି’ପହରେ ଏଇ ତୋଟାକୁ ଆସିବୁ । ମୁଁ ବୁଲି ଆସିଲାବେଳେ ତୋ ପାଇଁ ଖଣ୍ଡେ ଲୁଗା ଆଣିଥିବି । ସେ ପଛକୁ ଚାହିଁ ଚାହିଁ ତୋଟା ଆଡ଼େ ଚାଲିଲେ । ପାଣି ଦି’ମାଠିଆ ନେଇ ଘରକୁ ଆସିଲି । ଭାବିଲି, ଗୁଣ ସାମନ୍ତେ କେଡ଼େ ଭଲ, କେଡ଼େ ଦୟାବନ୍ତ । ସେଇଥି ପାଇଁ ଗାଁଲୋକେ ତାଙ୍କୁ ଏତେ ପ୍ରଶଂସା କରନ୍ତି । ନିଧି ମିଶ୍ରଙ୍କ ପୁଅ, ବଡ଼ ଲୋକ । ପରର ଦୁଃଖ ସହିପାରନ୍ତି ନାହିଁ ।

ମା’କୁ କହିଲି । ସବୁ ଶୁଣି ସେ କହିଲା, ଦି’ପହରେ ତୋଟାକୁ ଯିବୁ ଲୋ ଫୁଲ, ସାମନ୍ତେ ବଡ଼ଲୋକ, ତତେ ଦେଖି ତାଙ୍କର ଦୟା ହୋଇଛି । ଲୁଗାଖଣ୍ଡେ ଦେବେ କହିଛନ୍ତି, ଭଲ ହେବ । ମା କାମକୁ ଗଲା । ଲୁଗା ଖଣ୍ଡି ଲୋଭରେ କେତେ ଆଶା କରି ମୁଁ ତୋଟାକୁ ଆସିଲି । ଅପେକ୍ଷା କରି କରି ଖରାବେଳ କଟିଲା । ସେ ଆସିଲେ ନାହିଁ । ଭାବିଲି, ଲୋକେ ସିନା ମୁହଁ ଖୋଲି ସହଜରେ କହି ଦିଅନ୍ତି, ଦେଲା ବେଳକୁ ପଛାନ୍ତି ।

ମନର ସରାଗ ଭାଙ୍ଗିଗଲା । ଘରେ ଜାଳ ନାହିଁ ଭାବି ଶୁଖିଲା ଡାଳ ପତ୍ର ଗୋଟାଇ ଜମା କରୁଥାଏ । ହତାଶ ହୋଇ ଫେରି ଆସିବାକୁ ବସିଛି, ଦେଖିଲି–ସା’ନ୍ତେ ତୋଟା ସେ ପାଖରୁ ଆସୁଛନ୍ତି । ପୁଣି ମୋର ନିଭିଲା ଆଶା ଜଳିଉଠିଲା । ଆଗ୍ରହରେ ତାଙ୍କରି ଆଡ଼କୁ ଚାହିଁ ରହିଲି । ସା’ନ୍ତେ ପାଖକୁ ଆସିଲେ । କେତେବେଳଯାକେ ମୋ ଆଡ଼କୁ ଚାହିଁ ଥଙ୍ଗେଇ ଥଙ୍ଗେଇ ପଚାରିଲେ, ତୋ ମା’ କାହିଁ କିଲୋ ?

କହିଲି, ଗାଁ ଭତରକୁ ଯାଇଛି ।

ସାଆନ୍ତେ ଗାମୁଛା ଭିତରୁ ଖଣ୍ଡେ ନୂଆ ଲୁଗା କାଢ଼ିଲେ । ହାତରେ ଧରି କହିଲେ, ନେ । ଲୁଗାଖଣ୍ଡି ଦେଖି ମୋର ଭାରି ଆନନ୍ଦ ହେଲା । ଲାଜେଇ ଲାଜେଇ ତାଙ୍କ ଆଗକୁ ଯାଇ ଦୁଇହାତ ବଢ଼ାଇଲି । ସାଆନ୍ତେ ଲୁଗାଖଣ୍ଡି ମୋ ହାତକୁ ଏପରି ଭାବରେ ପକାଇ ଦେଲେ ଯେ, ତାଙ୍କର ହାତ ମୋ ଦେହରେ ବାଜିଲା । ମୁଁ ଚମକି ପଡ଼ିଲି । ମୁହଁ ଶୁଖାଇ କହିଲି, ଆପଣ ଛୁଆଁ ହେଲେ ସାଆନ୍ତେ-

ହସିଲେ । କହିଲେ, କ୍ଷତି କ’ଣ ?

ମୁଁ କହିଲି, ଆମେ ବାଉରି ଜାତି । ଆମକୁ ଛୁଇଁଲେ ଲୁଗା ହକାଳିବାକୁ ପଡ଼ିବ ।

ପଚାରିଲେ, ତା’ପରେ ତ ଆଉ କିଛି ଦୋଷ ରହିବ ନାହିଁ ?

କହିଲି, ନା ।

ହସ ହସ ମୁହଁରେ ପାଖକୁ ଘୁଞ୍ଚି ଆସିଲେ । ମୁଁ କିଛି କହିବା ଆଗରୁ ମୋ ଡାହାଣ ହାତଟାକୁ ଧରି କହିଲେ, ଯଦି ଗାଧୋଇବାକୁ ପଡ଼ିବ, ତେବେ ଭଲକରି ଛୁଏଁ । ମତେ ଭାରି ଖରାପ ଲାଗିଲା । କାଳେ କିଏ ଆସିଯିବ । କହିଲି, ସା’ନ୍ତେ, ଆମେ ଅଛୁଆଁ । ମୋ ହାତ ଧରିଛନ୍ତି, କେହି ଯଦି ଦେଖେ, ଆପଣଙ୍କୁ କ’ଣ କହିବ ?

ପଚାରିଲେ, କ’ଣ ଆଉ କହିବ ? କହିବ, ଛୁଆଁ ହେଲ ।

ମୁଁ କିଛି ଜବାବ ଦେଲି ନାହିଁ । ଲୁଗାଖଣ୍ଡି ପାଇ କୃତଜ୍ଞତାରେ ମନ ନଇଁ ପଡ଼ିଥାଏ । ସେ ମୋ ମୁହଁକୁ ଚାହିଁ ମୁଣ୍ଡର ନୁଖୁରା ଫୁରୁ ଫୁରୁ ବାଳକୁ ହାତରେ ପରଖି କହିଲେ, ବାସ, ଏଇଥିପାଇଁ ଲୋକେ କହନ୍ତି ଫୁଲଟା ସୁନ୍ଦର ? ତୁ ଏଡ଼ିକି ଅସନା, ମୁଣ୍ଡ କୁଣ୍ଡାଇ ପାରୁନୁ, ବେତା ପରି କରିଛୁ ?

ଭାରି ଲାଜମାଡ଼ିଲା । ମୁଣ୍ଡଟା କୁଣ୍ଡିଆ ହୋଇ ନାହିଁ ତେଲ ଅଭାବରୁ । ତାଙ୍କ କଥାର କିଛି ଜବାବ ଦେଲି ନାହିଁ । ସେ ଚାଲିଯାଉଥିଲେ, ତୋଟା ଅଧରୁ ମୁହଁ ଫେରାଇ ଡାକିଲେ–ଫୁଲ, ଶୁଣ । ମୁଁ ସେତେବେଳକୁ ଲୁଗାଖଣ୍ଡି ପିନ୍ଧି ସାରିଥିଲି । ଚିରା ଲୁଗାଟି ପତର ଉପରେ ରଖିଦେଇ ତାଙ୍କ ପାଖକୁ ଛୁଟିଗଲି, ପଚାରିଲି, କ’ଣ ?

କହିଲେ, ମୁଁ ତତେ ଲୁଗା ଦେଇଛି ବୋଲି କାହାକୁ କହିବୁ ନାହିଁଟି ।

ପଚାରିଲି, କାହିଁକି ?

କହିଲେ, ସଂସାରରେ କେତେ ଜାତିର ଲୋକ ଅଛନ୍ତି । କିଏ କ’ଣ ଭାବିବ ।

କିଏ କ’ଣ ଭାବିବ, ଏ କଥା ମନରେ ପଶିବାର ବୟସ ସେତେବେଳେ ମୋ’ର ହୋଇ ନ ଥିଲା । ବାର ତେର ବର୍ଷର ଝିଅ । ଦିନରାତି କାମରେ କଟେ । ବଡ଼ଘରର ପିଲାଙ୍କ ପରି ଅୟସରେ ହି ଭଲ ମନ୍ଦ ବାରକଥା ଶିଖିବାକୁ କି ଭାବିବାକୁ ବେଳ ନ ଥାଏ ।

ଗୁଣ ସାଆନ୍ତଙ୍କ ମୁହଁରୁ ଏପରି କଥା ଶୁଣି ମୁଁ ଆବାକାବା ହୋଇ ପଚାରିଲି, ଲୋକେ କ’ଣ ଭାବିବେ ?

ସେ ଟିକିଏ ତୁନି ରହିଲେ । କ’ଣ ଭାବି ମୋ ପିଠିରେ ହାତ ବୁଲାଇ କହିଲେ, ବଡ଼ ସରଳ ପିଲାଟି ତୁ ଫୁଲ । ସେଥିରୁ କ’ଣ ପାଇବୁ ? କାହାକୁ ନ କହିଲେ ହେଲା । ବୁଝିଲୁ?

ମୁଁ ମୁଣ୍ଡ ହଲାଇ କହିଲି, ହଁ ।

ସେ ଚାଲିଗଲେ ।

ମୋଠୁ ସବୁ କଥା ଶୁଣି ରାତିରେ ମା କହିଲା, ଆହା, ଷୋଳ ସତର ବର୍ଷର ପିଲା ସିନା, ହେଲେ, ଗୁଣ ସା’ନ୍ତଙ୍କର କେଡ଼େ ବୁଦ୍ଧି । ମନରେ ଦୟାଗୁଣ ଯେତିକି, ଚାରିଆଡ଼କୁ ନିଘା ନଜର ସେତିକି । ମତେ କହିଲା, ଠାକୁର ଲୋ ଫୁଲ ସେ, ଛତିଶ ପାଟକର ରଜା ବ୍ରାହ୍ମଣ । ଟିକିଏ ଦୂରେଇ ଠିଆ ହେବୁ ମା । ତତେ ସିନା ସେ ସୁଖ ପାଆନ୍ତି ଲୋ, ହେଲେ ସେ ଛୁଇଁ ଦେଲେ ଆମର ଅଧର୍ମ ହେବ ।

ପରଦିନ ଦି ପହରରେ ପତର ଗୋଟାଇବାକୁ ତୋଟାକୁ ଗଲି । ସେଦିନ କେମିତି ସେ ଆସି ପହଞ୍ଚିଲେ । ଓଳଗି ହୋଇ ପଚାରିଲି, କୁଆଡ଼େ ଆସିଥିଲ ସାଆନ୍ତେ ? ଥଟ୍ଟାରେ କହିଲେ, ଏଇଠିକି ତ, ତତେ ଦେଖିବାକୁ ।

ମତେ ହସମାଡ଼ିଲା । କହିଲି, ମୁଁ କ’ଣ କି ?

କହିଲେ, ତୁ, ତୁ ପରା ଫୁଲ । ସତେ, ଧୋବ ଫର ଫର କଇଁ ଫୁଲ ପରି ତୋ ରଙ୍ଗ । ମୁହଁଟି ଯେ ଦରଫୁଟା ଗୋଲାପ ଫୁଲ ପରି, ତିଳ ଫୁଲ ପରି ତ ନାକଟି, କଳା ଭଁର ପରି ଆଖି, ନାଲି କଇଁ ପରି ଓଠ, ଚମ୍ପାକଢ଼ି ପରି ଆଙ୍ଗୁଠି, କେତେ କହିବି ? ସବୁ ଫୁଲ ତୁ ଠୁଳ କରି ତୋ ଦେହରେ ରଖିଛୁ । ମତେ ଛୁଇଁବାକୁ ସେ ହାତ ବଢ଼ାଇଲେ । ପଛକୁ ଘୁଞ୍ଚିଯାଇ ଡରିଲା ସ୍ୱରରେ କହିଲି, ଛୁଅଁନା, ମା’ କହିଛି ତମେ ଠାକୁର । ଛୁଇଁଲେ ଆମର ଅଧର୍ମ ହେବ ।

ସେ ମାନିଲେ ନାହିଁ । ମୋ ହାତ ଧରି କହିଲେ, ସତେ ? ମୁଁ ଠାକୁର ! ବାଃ, ଏଥର ଫୁଲମାଳ ଆଣି ମୋ ଗଳାରେ ଦେଇ ଦଣ୍ଡବତ ହେବୁ ।

ମତେ ହସମାଡ଼ିଲା । କହିଲି, ମା, କାଳେ ଦେଖିବ, ମୋତେ ଗାଳିଦେବ ।

ସେଦିନ ସଞ୍ଜବୁଡ଼ ଯାଏ ସେ ତୋଟାରେ ରହିଲେ । ଏଣୁ ତେଣୁ କେତେ କଥା କହିଲେ-। ଆମର ଦୁଃଖ, ଆମର ଅଭାବ ମୋ’ର ମୁହଁରୁ ଶୁଣି ବ୍ୟସ୍ତ ହେଲେ । ସଞ୍ଜ ବୁଡ଼ିଆସିଲା-। କହିଲେ, ଫୁଲ, ଭଗବାନ କେତେବେଳେ କାହାକୁ କି ଦୁଃଖ ଦିଅନ୍ତି ବୁଝିବା ସହଜ ନୁହେଁ । ଦୁଃଖ ସବୁଦିନେ ରହେ ନାହିଁ । ତୋର ଦୁଃଖ ଅଭାବ ମୁଁ ଘୁଞ୍ଚାଇ ପାରିବି, ସାମାନ୍ୟ କଥା । ମୋ ମନରେ ଦୁଃଖ ଅଛି, ତାକୁ ତ କେହି ଘୁଞ୍ଚାଇ ପାରିବେ ନାହିଁ ।

ମତେ ଆଶ୍ଚର୍ଯ୍ୟ ଲାଗିଲା । ଗୁଣ ସା’ନ୍ତଙ୍କର କେଉଁ କଥାର ବା ଅଭାବ, ତାଙ୍କର ପୁଣି ଦୁଃଖ କ’ଣ ? ପଚାରିଲି, ଆପଣଙ୍କ ଦୁଃଖ କ’ଣ ସାଆନ୍ତେ, ଆପଣ ବଡ଼ଲୋକ । ଅଭାବ ଜାଣନ୍ତି ନାହିଁ । ଆମ ପରି ଉପାସ ଭୋକରେ ଦିନ କଟେ ନାହିଁ ।

ସେ ମୋ ଆଖିକୁ ଚାହିଁଲେ । ହସି ହସି ଆଗ୍ରହରେ ହାତ ଧରି କହିଲେ, ଅଭାବ, ମୋ ଅଭାବ, ଅତି ବଡ଼ । ତୁ ବୁଝିପାରିବୁ ନାହିଁ ।

ତାଙ୍କର ପରଶରେ ମୁଁ ଆତ୍ମହରା ହୋଇ ପଡ଼ିଥିଲି । କହିଲି, କ’ଣ କହନ୍ତୁ, କହିଲେ ସିନା ଜାଣିବି ।

ମୋତେ ସେ ଛାତିକି ଆଉଜାଇ ନେଲେ । ବୋକଦେଇ କାନ ପାଖରେ କହିଲେ, ଆଜି ନୁହେଁ–କହିବି ଦିନେ ।

ଗୁଣ ନନା ଗେଲ କଲାରୁ ମୋତେ ଖୁସିଲାଗିଲା, ଡର ବି ଲାଗିଲା । ମୋ’ ହାତରେ ଟଙ୍କାଟିଏ ଗୁଞ୍ଜି ଦେଇ ହସିହସିକା ସେ ଫେରିଗଲେ ।

ସଞ୍ଜ ଅନ୍ଧାର ମାଡ଼ି ଆସୁଛି । ଘରକୁ ଫେରିଲି । ମାଆକୁ କିଛି କହିଲି ନାହିଁ । କେମିତି ଲାଜ ମାଡ଼ିଲା । କାଳେ ସେ ଗାଳିଦେବ । ସାଆନ୍ତେ ମୋ’ର ଆଖିକୁ ଚାହୁଁ ଚାହୁଁ ମୁହଁଟିକୁ ଛାତି ଉପରକୁ ଆଉଜାଇ ନେଲେ–ସୋହାଗରେ ମନେ ହେଲା, ତାଙ୍କର ସେହି ସୋହାଗର ଦାଗ ମୋର ଛାତି ଭିତରେ ଆଙ୍କି ହୋଇ ଯାଇଛି ।

ସେଇ ଛୋଟ ଘଟଣାଟିର କଥା ଯେମିତି ଭାବିଲି, ଅଜଣା ପୁଲକରେ ମନ ପୂରିଉଠିଲା-। ସଙ୍ଗେ ସଙ୍ଗେ ଲାଜ ଓ ଭୟ ମୋ’ର କେତେ ଭାବନାକୁ ଘୋରାଇ ରଖିଲା । ଗୁଣ ନନା କେଡ଼େ ଭଲ, କେଡ଼େ ସୁନ୍ଦର । ତମ୍ୱା ତାର ପରି ଉଜ୍ଜ୍ୱଳ ଦେହ, ବଳିଲା ପରି ବଳିଷ୍ଠ ହାତ ଗୋଡ଼ । ଷୋଳ ସତର ବର୍ଷର ପିଲା । ନିଶ ଦାଢ଼ି ଗଜୁରି ଆସୁଛି । ଚାନ୍ଦ ପରି ଗୋଲିଆ ମୁହଁରେ ଜଳିଲା ପରି ଆଖି । ସେ ଦିଓଟି ଯେମିତି ସବୁବେଳେ ହସିଲା ପରି । ଓଠରେ ତ ହସ ଲାଖି ରହିଥାଏ । ଅଜାଣତରେ ମନ ଓଟାରେ ।

ସେହି ଦିନରୁ ମୋ’ର ମନର ପରିବର୍ତ୍ତନ ହେଲା । ମୁଁ ଆଉ ବେଳ ଅବେଳରେ ତୋଟା ଆଡ଼େ ଯାଏ ନାହିଁ । ଯେତେ ଶୀତ ହେଲେ ବି ରାତି ପାହାନ୍ତାରୁ ପାଣି ଆଣି ରଖିଥାଏ । ମନହୁଏ, ଇଚ୍ଛାହୁଏ, ଧାଇଁଯିବି, ତାଙ୍କର ଉଜ୍ଜ୍ୱଳ ଭାବଭରା ଆଖିର ଆଲୁଅରେ ମୋ’ ମନର ଅନ୍ଧାର ଘୁଞ୍ଚାଇବି-

ଲାଜ ମାଡ଼େ । ମନ ଉଡ଼ିଯାଏ ସିନା ତାଙ୍କ ପାଖକୁ, ଗୋଡ଼ ଚଳେ ନାହିଁ । ଦେହ ଅବଶ ଲାଗେ । ସ୍ୱପ୍ନରେ ଅବା ଜାଗ୍ରତ ଅବସ୍ଥାରେ ସେହି ସଞ୍ଜବେଳର ଘଟଣା ମୋର ଭାବନାରେ କେତେଥର ଘଟିଯାଏ । ମନେହୁଏ, ତାଙ୍କର ସେହି ସୋହାଗର ଦାଗଟିକ ମୋର ଛାତ ଭିତରେ ଆଙ୍କି ହୋଇ ରହିଛି । ଯେତେ ପୋଛିଲେ ଯେତେ ଲିଭାଇଲେ ଲିଭୁ ନାହିଁ । ଦେହ ଶିହରି ଉଠେ । କିଏ ଯେମିତି କହିଦିଏ ମୋ’ର କାନରେ- ଛାତିର ଦାଗ ଲିଭିବ ନାହିଁ, ଲିଭିବ ନାହିଁ ।

ପରିବର୍ତ୍ତନ ଆସିଲା ମୋ ଜୀବନରେ । କେଉଁଠି ମନ ଲାଗେ ନାହିଁ । ସବୁବେଳେ ଭାବେ, ଆଉ ଯାହା ଭାବେ, ମୋର ମନେହୁଏ, ମୁଁ ଆଉ ତେର ବର୍ଷର ପିଲାଟିଏ ହୋଇ ରହି ନାହିଁ-। ସାତ ଆଠଟି ଦିନରେ ଯେପରି ମୁଁ ବୟସରେ ସାତ ଆଠ ବର୍ଷ ବଢ଼ିଯାଇଛି ।

ଦିନକର, ସୂର୍ଯ୍ୟ ବୁଡ଼ିଆସୁଛନ୍ତି । ଛାଞ୍ଚୁଣି ମୁଠାଟି ଧରି ଘରଓଳା ଆରମ୍ଭ କରିଛି । ପଦାରୁ କିଏ ଡାକିଲେ, ଫୁଲ, ଫୁଲ । ଯେ ଡାକିଲେ ମୁଁ ଜାଣେ । ଜବାବ ଦେବାକୁ ସାହାସ ହେଲା ନାହିଁ । କାନ୍ଥକୁ ଆଉଜି ଠିଆ ହୋଇ ରହିଲି ।

ପୁଣି ସେ ଡାକିଲେ, ଫୁଲ ଅଛୁ କି ଲୋ ! ମନରେ ସାହାସ ବାନ୍ଧି ଧୀରେ ଧୀରେ କହିଲି, ଅଛି ସାଆନ୍ତେ ।

ଲାଜରେ ପଦାକୁ ଆସିଲି । ସାଆନ୍ତେ ଅଗଣାରେ ଠିଆ ହୋଇଥାନ୍ତି । ମୁହଁଟି ମଉଳି ଯାଇଛି । ମନରେ ସରାଗ ନାହିଁ । ଥିରି ଥିରି ତାଙ୍କ ପାଖକୁ ଗଲି । ଓଳଗି ହୋଇ କରେଇ ଠିଆହେଲି । ମୋତେ ଦେଖି କହିଲେ, ମୁହଁଟା ଶୁଖିଲା ଦିଶୁଛି କାହିଁକି ଫୁଲ, ଦେହ ଭଲ ନାହିଁ ?

ଉତ୍ତର ଦେଲି, ମୋ ଦେହ କିଛି ଖରାପ ହୋଇନାହିଁ ତ । ଦି’ପହରେ ଶୋଇପଡ଼ିଥିଲି ।

ପଚାରିଲେ, ଆଜି କାଲି ତୋଟାଆଡ଼େ ଯାଉନାହୁଁ କି ? କେତେଥର ଆସି ମୁଁ ଫେରିଲିଣି ।

କ’ଣ ଉତ୍ତର ଦେବି ଭାବିପାରିଲି ନାହିଁ । ବାଆଁରେଇ ଦେବାକୁ କହିଲି, ବେଳ ହୁଏ ନାହିଁ ସାଆନ୍ତେ । ସେ କହିଲେ, ଜାଣେ । ସେଥିପାଇଁ ଆଜି ଏଠାକୁ ଆସିଲି । ତତେ ନ ଦେଖିଲେ ମନଟା ଖରାପ ହୁଏ । ଏପାଖ ସେପାଖ ହୋଇ ଫେରିଯାଏ ।

ପକେଟରୁ କାଢ଼ି ଦିଓଟି ନୂଆ ଟଙ୍କା ମୋ ହାତରେ ଦେଲେ । କହିଲେ, କାଲି ତୋ’ ଜନମ ଦିନ ବୋଲି ଶୁଣିଥିଲି । ହଠାତ୍‌ ମନେ ପଡ଼ିଗଲା । ତୋ ବୋଉକୁ ଦେବୁ । କହିବୁ, ଲୁଗା କିଣିଦେବେ ।

ନାହିଁ କରିପାରିଲି ନାହିଁ ।

ଏଣୁ ତେଣୁ ଗପ କରୁ କରୁ ସଞ୍ଜ ହେଲା । ଆମେ ସେଇଠି ସେମିତି ଠିଆ ହେଇଥାଉଁ । ସେ ଭାବୁଥାନ୍ତି କ’ଣ ତାଙ୍କୁ ହିଁ ଜଣା । ମୁଁ ଭାବୁଥାଏ, ଗୁଣ ସାଆନ୍ତେ ମୋତେ ଏତେ ଭଲ ପାଆନ୍ତି କାହିଁକି ? ଆଖିରେ ପଡ଼ିଲେ କୌଣସି ଅଭାବ ରଖାଇ ଦିଅନ୍ତି ନାହିଁ । ଧନୀ ଘରର ପିଲା । ଆଉ କ’ଣ କେହି ସଂସାରରେ ନାହାନ୍ତି, ଯାହାକୁ ସେ ଭଲ ପାଇପାରନ୍ତେ । ମନଇଚ୍ଛା ଦେଇ ପାରନ୍ତେ । ସମାଜ ଯାହାକୁ ଘୃଣା କରେ, ଅଛୁଆଁ ବୋଲି ଲୋକେ ଯାହାକୁ ଦଶହାତ ଦୂରରେ ଠିଆ କରାନ୍ତି, ତାକୁ ସାଆନ୍ତେ ଭଲ ପାନ୍ତି କାହିଁକି ?

କଣ ମନେ ହେଲା, କହିଦେଲି, ସାମନ୍ତେ ଆପଣ କେବେ ମୋତେ ଆଉ କିଛି ଦେବେ ନାହିଁ ।

ସେ ପଚାରିଲେ, କାହିଁକି ?

କହିଲି, ଆପଣଙ୍କର ଦୟା ମୁଁ ଶୁଝାଇ ପାରିବି ନାହିଁ ।

ହସି ହସି କହିଲେ, ଦରକାର ନାହିଁ । ଯିଏ ଯାହାକୁ ଭଲ ପାଏ, ସେ ଖାଲି ତାକୁ ଦେବାକୁ ଚାହେଁ । ଦେବାରେ ହିଁ ତାର ଆନନ୍ଦ । ସେ କେବେ କିଛି ନେବାକୁ ଚାହେଁ ନାହିଁ ।

ତାଙ୍କର କଥା ମୁଁ ବୁଝି ପାରିଲି ନାହିଁ । ହଁ, ଧନ ଅଛି । ଯାହା ସେ ଦେଉଛନ୍ତି ତାଙ୍କ ଦେହର ମଳି ପରି । ତାଙ୍କର ଊଣା ହେବ ନାହିଁ । ଆମ ପରି ଗରିବଙ୍କର ଉପକାର ହେଉଛି । ପିଲାଟିଏ ହୋଇଥିଲି । ମିଶ୍ର ଘର ଜମିରେ ହଳ କରୁଁ କରୁଁ ଚଡ଼କ ପଇଲା । ବଳଦ ଦି’ଟାଙ୍କ ସଙ୍ଗେ ବାପ ବି ଜଳିପୋଡ଼ି ମଲା । ଆମେ ହେଲୁଁ ନିଆଶ୍ରା । ମିଶ୍ର ଘରେ ବାପ କୋଠିଆ କାମ କରୁଥିଲେ-। ସେ ମଲାରୁ ଆଉ କେହି ପଚାରିଲେ ନାହିଁ ।

ଗୁଣ ନନା ସେଇ ଘର ପୁଅ । କଟକରେ ପାଠ ପଢ଼ୁଥିଲେ । ଏକୋଇର ବଳା । ମା ନାହିଁ । ବାପଙ୍କର ଗେଲବସର । ପାଠ ଛାଡ଼ି ଘରେ ରହିଛନ୍ତି । ମନରେ ଦୟା ହେଲା । ଦେଉଛନ୍ତି ଦେଉନ୍ତୁ । ମା ଖୁସି ହେଉଛି ।

ଦୁଇ ବର୍ଷ କଟିଗଲା ।

ଗୁଣ ସାଆନ୍ତଙ୍କ ସଙ୍ଗେ ଦିନୁ ଦିନ ଘନିଷ୍ଠତା ବଢ଼ିବାକୁ ଲାଗିଲା । କିପରି ଓ କାହିଁକି ଯେ ମୁଁ ଏତେ ତାଙ୍କୁ ଭଲ ପାଇଲି, ବୁଝିପାରେ ନାହିଁ । ଦିନଟିଏ ନ ଦେଖିଲେ ମନ ଛଟପଟ ହୁଏ, ସେ ବି ମାତେ ଦେଖିବାକୁ ଉଚ୍ଛନ୍ନ ହୋଇ ପଡ଼ନ୍ତି ।

ସେ ଆମ ଘରକୁ ପ୍ରତିଦିନ ଆସନ୍ତି । ତାଙ୍କୁ ଦେଖିଲେ ମା’ କୋଟିନିଧି ପାଇଲା ପରି ହୁଏ । ମାଆ ଥିବା ଅବସ୍ଥାରେ ବି ଯେଉଁଦିନ ସେ ଆସନ୍ତି, ବାରଣ ନ ମାନି ଆମ ଘର ଭିତରକୁ ପଶିଆସନ୍ତି । ଘରେ ବସି ଏଣୁ ତେଣୁ କଥା ପକାନ୍ତି । ଗେଲରେ ଗେଲରେ ମତେ କେତେ ନିରୀହ ଥଟ୍ଟା କରନ୍ତି । ଭାରି ଖୁସି ଲାଗେ । ହେଲେ, ମୁଁ ଗେଲରେ ମା’କୁ କହେ । ମା’ ହସେ ।

ବେଳେ ବେଳେ ମା’ ଆଗରେ ମୋତେ ସେ ଛୁଇଁ ଦିଅନ୍ତି । ମା’ ଚମକି ଉଠେ ! କହେ, ବାପ ଛୁଇଁଲ ! ଭଉଣୀ ପରି ଭଲ ପାଅ ସିନା ଫୁଲକୁ, ହେଲେ ସେ ପରା ବାଉରି–ଅଛୁଆଁ–

ଗୁଣ ସା’ନ୍ତେ କହନ୍ତି, ଫୁଲ କେଭେ ଅଛୁଆଁ ହୁଏ ନାହିଁ । ଫୁଲ ପରା ଏଡ଼େ ପବିତ୍ର, ଠାକୁର ମୁଣ୍ଡରେ ଚଢ଼େ ।

ମୋ ମନରେ ଆନନ୍ଦ ହୁଏ । କହେ ଗୁଣ ଭାଇନା, ମୋ ନାଁ ସିନା ଫୁଲ, ମୁଁ କ’ଣ ଆଉ ସତରେ ଫୁଲ ?

ମା’ ହସେ । ପୁଣି, ତା’ ଆଖିରେ ଲୁହ ଭରିଯାଏ । ମୁଁ ଗୁଣ ସା’ନ୍ତଙ୍କୁ ଭାଇ ବୋଲି ଡାକିଲେ ଆନନ୍ଦ ଆଗ୍ରହରେ ତାର ପେଟ ପୂରିଉଠେ । ଗୁଣ ସା’ନ୍ତେ ଗଲେ ସେ ଆକଟି କହେ, ଛି ଫୁଲ, ଯେତେ ହେଲେ ସେ ବ୍ରାହ୍ମଣ ଲୋ, ଛତିଶ ପାଟକର ରଜା । ଗୋଡ଼ଧୂଳି ମୁଣ୍ଡରେ ମାରିଲେ କେତେ ଜନ୍ମର ପାପ କ୍ଷୟ ହୋଇଯାଏ । ଗୁଣ ସା’ନ୍ତେ ପିଲା, କିଛି ବୁଝନ୍ତି ନାହିଁ, ଆମର ଆଡ଼େଇ ରହିବା କଥା ।

ମୁଁ ଉତ୍ତର ଦିଏ ନାହିଁ ।

ସେ ପୁଣି କହେ, କେତେ ପାପରୁ ଆଜି ଏ ଦଶା, ଆହୁରି କପାଳେ କ’ଣ ଅଛି କିଏ ଜାଣେ । ଏ ଜନ୍ମଟା ସିନା ଗଲା, ଆର ଜନ୍ମକୁ ପାପ ଅର୍ଜି ରଖିବା ନାହିଁ । ଟିକିଏ ଆଡ଼େଇ ରହିବା ଭଲ ମା ।

ମୁଁ ତୁନି ରହେ । ମା’ର କଥା ଶୁଣି ଅନ୍ୟଆଡ଼େ ଚାଲିଯାଏ । ଭାବେ, ମା’ ମନରେ କ’ଣ ସନ୍ଦେହ ହେଲା କି ? ଆମେ ଅଛୁଆଁ ଜାତିର ଲୋକ । ପିଣ୍ଡାତଳେ ପଚାଶ ହାତ ଦୂରରେ ଆମର ସ୍ଥାନ । ସବୁ ଛୋଟ କାମ, ଅସନା କାମ କରିବାକୁ ଆମ ଜନମ । ଗୁହାଳ ପୋଛା, ପିଲା ବଡ଼ଙ୍କର ମଇଳା ମହଳ ଧୁଆ, ବାସନ ମଜା, ଘର ଲିପା, ଖତକୁଢ଼ ସଫା, ଏପରି ଆଉ କେତେ କାମ-। ଆମେ ଗେଣ୍ଡା କୋଚିଆ ଖାଉଁ, ଆମକୁ ଛୁଇଁଲେ ଲୁଗା ପଇତା ମାରା ହୁଏ । ତଥାପି ଗୁଣ ନନା ମୋତେ ଛୁଅଁନ୍ତି । ଗେଲ କରନ୍ତି । ବୋଉ କ’ଣ ଅନ୍ୟଥା ଭାବେ କି ?

ଦିନେ ଦିନେ ସେ ଆସିଲାବେଳେ ମା’ ନ ଥାଏ । ସବୁଦିନ ପରି କେତେ ରହସ୍ୟ ଲଗାନ୍ତି । ସେ ହସନ୍ତି, ମୁଁ ହସେ । ମୋର ଅସତର୍କ ଅବସ୍ଥାରେ ମୋତେ ନିଜ ଆଡ଼କୁ ଟାଣିନିଅନ୍ତି । ହାତ ଦେଖାଇ, ପ୍ରତିବାଦ କରିବା ଆଗରୁ କେଡ଼େ ବେଗ ମୋର ମୁହଁକୁ ତାଙ୍କ ଛାତି ଉପରେ ଲଗାନ୍ତି । ଗେଲ କରନ୍ତି । ମୁଁ ଘୁଞ୍ଚି ଆସେ । ମୁହଁ ଶୁଖାଇ ବରକ୍ତିର ଭାବ ଦେଖାଇ କହେ, ଏ ସବୁ ମୋତେ ଭଲ ଲାଗେ ନାହିଁ, ଛି– । ଯିଏ ଦେଖିବ କ’ଣ ଭାବିବ ? ମୁଁ ମୁହଁ ଶୁଖାଏ ।

ସେ ଅପ୍ରସ୍ତୁତ ହୋଇପଡ଼ନ୍ତି । ଲାଜରେ କି ଦୁଃଖରେ ତାଙ୍କର ମୁହଁ ମଉଳି ଯାଏ । ତାଙ୍କର ଦୁଃଖ ଦେଖି ମନରେ ମୋର କଷ୍ଟ ହୁଏ । ଇଚ୍ଛା ହୁଏ, ଗୋଡ଼ତଳେ ମୁଣ୍ତ ଲଗାଇ କ୍ଷମା ଚାହିଁବି । କହିବି, ତୁମକୁ ତ ମୁଁ ମନପ୍ରାଣ ଉତ୍ସର୍ଗ କରିଛି। ଏତେକଥା ସିନା ଭାବେ, ମୁହଁ ଖୋଲେ ନାହିଁ । ତାଙ୍କ ମନରେ କାଳେ ଦୁଃଖ ହୋଇଥିବ ବୋଲି ମୁଁ କାନ୍ଦିପକାଏ । ଭାବେ, ଯେଉଁ ଛାପିଛାପିକା ରଙ୍ଗ ଶାଢ଼ୀ ପିନ୍ଧିଛି, ଦେହରେ ଯେଉଁ ଜାମା ଗଳେଇ ମନ ଖୁସିରେ ଫୁଲେଇ ହେଉଛି, ସବୁ ତ ତାଙ୍କର ଧନରେ କିଣା ହୋଇଛି । ପିନ୍ଧିଛି, ପୁଣି ତାଙ୍କରି ପାଇଁ । ସେ ଦେଖିବେ, ଖୁସି ହେବେ । ବାସନା ତେଲ ଲଗାଇ ଯତ୍ନ କରି ବୋଉ ମୁଣ୍ଡ ବାନ୍ଧି ଦେଇଛି । ଜୁଡ଼ାରେ ବାନ୍ଧିଛି ଫୁଲ ମାଳ । ଆଖିରେ କଜ୍ଜଳ ଲଗାଇଛି ।

ମୋ ଆଖିରେ ଲୁହ ଦେଖି ସେ କାତର ହୋଇପଡ଼ନ୍ତି । କ’ଣ ଗୋଟାଏ ଅପରାଧ କଲାପରି ଡରି ଡରି କହନ୍ତି, ମୁଁ କ’ଣ ଜାଣି ଜାଣି ଏହା କରେ ? ତୋ’ର ମୁହଁରେ ହସ ଦେଖିଲେ ମୁଁ ସବୁ ଭୁଲିଯାଏ ।

ତାଙ୍କ କଥା ଶୁଣି ମୁଁ ବେଶୀ ବେଶୀ କାନ୍ଦିଉଠେ । ଭାବେ, ତୁମେ ଯଦି ମୋ’ର ଛାତି ଭିତରର କଥା ଜାଣିପାରନ୍ତ, ଏପରି ନିଷ୍ଠୁର କଥା କହନ୍ତ ନାହିଁ । ମୋ ମନର କଥା ଅକୁହା ରହିଯାଏ । ମୋରି ଆଖି ଆଗରେ ସେ ଧୀରେ ଧୀରେ ଆମ ଘରୁ ବାହାରି ଯାନ୍ତି । ଇଚ୍ଛାହୁଏ ଧାଇଁ ଯାଇ ଆଗରୁ ବାଟ ଓଗାଳି କହିବି, କୁଆଡ଼େ ଯାଉଚ, କିନ୍ତୁ ଗୋଡ଼ ଚଳେ ନାହିଁ ।

ଅତି କଷ୍ଟରେ ଦୁଇ ତିନି ଦିନ ସେ ଆସନ୍ତି ନାହିଁ । ସେତିକି ମୋ ଅପରାଧର ଦଣ୍ଡ । ଦୁଇ ତିନି ଦିନ ମୋର ଯେ କି କଷ୍ଟରେ କଟେ, ମୁଁ କହିପାରୁ ନାହିଁ । ସେ ପୁଣି ଆସନ୍ତି, ଗୋଟାଏ ଏଣୁ ତେଣୁ ଛଳନା କରି । ପିଲାଙ୍କ ପରି ଗେଲେଇ ହୁଅନ୍ତି । ମୁଁ ଅଭିମାନିଆ କଥା କହେ । ସେ ଶୁଣନ୍ତି । ଦିନେ ଦୁଇଦିନ ଟିକିଏ ଦୂରେଇ ରହନ୍ତି । ମନେ ମନେ ମୁଁ ହସେ । ପୁଣି ଯେଉଁ କଥାକୁ ସେଇ କଥା ।

ଦିନେ ଦିନେ ମା’ ତାଙ୍କୁ କହେ, ବାପ, ଫୁଲ ତ ଏଡ଼େ ଝିଅ ହେଲାଣି, ଲୋକେ ନିନ୍ଦାମିନ୍ଦା କରୁଛନ୍ତି କେତେ ଗାଁରୁ କେତେ ଲୋକ ଆସୁଛନ୍ତି ପ୍ରସ୍ତାବ ନେଇ, ଫୁଲ କେଉଁଠି ମଙ୍ଗୁ ନାହିଁ । ମୁଁ କ’ଣ ସବୁଦିନେ ବଞ୍ଚିଥିବି? ତା’ ହାତକୁ ଦି’ହାତ ହେଲେ, ସେ ପର ଘରକୁ ଗଲେ ମୁଁ ନିଶ୍ଚିନ୍ତରେ ଆଖି ବୁଜିବି । ମୁଁ ଭାବୁଛି, ତେମେ ଯେଉଁଠି ଠିକ୍‌ କରିବ, ସେଇଠି ହେବ । ତମ କଥାରୁ କେହି ବାହାର ହେବ ନାହିଁ ।

ମା’ କଥା ଶୁଣି ବାଁରେଇ ହୋଇ ଅଧାକାନ୍ଥି ସେପାଖ ରୋଷଘରକୁ ଚାଲିଯାଏ । ଗୁଣ ସା’ନ୍ତେ ମା’କୁ କ’ଣ ଜବାବ ଦେବେ ସେହି କଥା ଶୁଣିବା ପାଇଁ କାନଡେରି ରହେ । ସେ କିଛି ସମୟ‌ ତୁନି ହୋଇ ରହନ୍ତି । କହନ୍ତି, ଫୁଲଟା ତ କାଲିକାର ପିଲା । ବାହାହେବା ବୟସ କଣ ବଳେଇ ପଡ଼ୁଛି ? କେବେ କେବେ କହନ୍ତି, ବାଉରି କୁଳରେ ଫୁଲ ନାଖି ପାତ୍ରଟିଏ ଖୋଜି ପାଇବା କଷ୍ଟ । ବାହା ପଛେ ନ ହେବ, ଏକ୍ଷଣି ଯୁଆଡ଼ୁପାରି ସିଆଡ଼ୁ ଗୋଟାଏ ଲୋକ ହାତରେ ତାକୁ ନେଇ ଥୋଇଦେଲେ କାନ୍ଦି କାନ୍ଦି ତାର ପ୍ରାଣ ଯିବ ।

ମା’ ତୁନି ରହେ ।

ମୁଁ କେତେ କଥା ଭାବେ । ଗୁଣ ସା’ନ୍ତେ ଫେରନ୍ତି ।

ଦିନକର ଘଟଣା ।

ସଞ୍ଜ କେତେବେଳୁ ବୁଡ଼ିଗଲାଣି । ଏକାଦଶୀର ଉଜ୍ଜ୍ୱଳ ଜହ୍ନ ଆଲୁଅରେ ଚାରି‌ଆଡ଼ ହସିଉଠୁଛି । ଆଖି ପାଉ ନାହିଁ, ଗହୀର-ଜହ୍ନ ଆଲୁଅରେ ପାଚିଲା ଧାନ କ୍ଷେତ ଚିକ୍‌ ଚିକ୍‌ ଦିଶୁଛି । ଧୀରେ ଧୀରେ ପବନ ବୋହୁଛି । ମିଶ୍ରଘର ତୋଟା କର ଏକୁଟିଆ କଦମ୍ବଗଛ ମୂଳ ମାଟି ଚଉତରା ଉପରେ ବସିଛୁଁ ସେ ଓ ମୁଁ । ସେ ହଠାତ୍‌ ପଚାରି ଦେଲେ, ଫୁଲ, ଆମର ଦିନ କ’ଣ ସବୁଦିନେ ଏମିତି କଟିବ ?

ତାଙ୍କ ପ୍ରଶ୍ନର ଅର୍ଥ ମୁଁ ବୁଝିପାରିଲି ନାହିଁ । କି ଉତ୍ତର ବା ଦେବି ? ଆକାଶକୁ ଚାହିଁଲି । ଖଣ୍ଡେ କଳାମେଘ ଭାସି ଭାସି ଜହ୍ନର ମୁହଁକୁ ଘୋଡ଼ାଇ ଦେଲା ।

ସେ ମୋର ଡାହାଣହାତ ପାପୁଲି ଉପରେ ମୃଦୁ ଚାପ ଦେଇ କହିଲେ, ବୁଝିପାରିଲୁ ନାହିଁ ମୋ କଥା ? ଆମର ଏ ଆନନ୍ଦ ଚିରଦିନ ଏହିପରି ଥିବ ଫୁଲ ? ସ୍ୱାଧୀନ ଭାବରେ ଚିରଦିନ ଏହିପରି ମିଳାମିଶା କରିପାରୁଥିବା ? ବୟସ ହେଲାଣି ବୋଲି ତୋତେ ପରଘରକୁ ତଡ଼ିଦେବାକୁ ତୋର ମା ବଡ଼ ବ୍ୟସ୍ତ ହୋଇ ପଡ଼ିଲେଣି । ତୁ ଆଉ କେତେଦିନ ମନା କରିପାରିବୁ ?

ଉତ୍ତର ଦେଲି ନାହିଁ । କେତେ କଥା ମନକୁ ଘାଣ୍ଟି ଚକଟି ପକାଇଲା । ମୋ’ର ଦୁଇ ଆଖିରୁ ଲୁହଧାର ଝରିବାକୁ ଲାଗିଲା । ଜହ୍ନ ଉପରୁ କଳା ମେଘଟା ଘୁଞ୍ଚିଗଲାଣି କେତେବେଳକୁ । ସେ ମୋ ଆଖିରୁ ଳୁହ ପୋଛି ଦେଲେ । ମୁହଁରେ ମୁହଁ ଲଗାଇବାକୁ ନଇଁ ଆସୁଥିଲେ, ମୁହଁ ବୁଲେଇ ନେଲି ।

କହିଲି, ସା’ନ୍ତେ ଜାଣି ଜାଣି ତେମେ ମୋତେ ଏତେ କଷ୍ଟ ଯନ୍ତ୍ରଣା ଦେଉଛ କାହିଁକି, ମୁଁ କି ଅପରାଧ କରିଛି ? ଗରିବ ବାଉରି ଘରର ଝିଅ, ନିଜ ଦୁଃଖରେ ଥିଲି । ତମର ଦୟା ତମର ସହାନୁଭୂତି କେବେ ଆଶା କରି ନ ଥିଲି, କେବେ ହେଲେ ମାଗି ନ ଥିଲି । ଉପରେ ପଡ଼ି ଆମକୁ ଦୟା ଦେଖାଇଲ, ଫେରି ପାଇବାର ଆଶା ନ କରି ସବୁ ସ୍ନେହ ମମତା ଅଜାଡ଼ି ଦେଲ । ପାଇଲ କଣ ? ତେମେ ଜାଣ ନାହିଁ, ମୁଁ ବି ଜାଣେ ନାହିଁ ।

ଭାରି ଆଗ୍ରହର ମୋ କଥା ସେ ଶୁଣୁଥିଲେ । କହିଲେ, ମୁଁ କ’ଣ ଦେଇଛି, ମୁଁ ଜାଣେ ନାହିଁ, କିନ୍ତୁ ମୁଁ ତୋଠାରୁ ଯାହା ପାଇଛି, ମୋ ପକ୍ଷେ ତାହାର ମୂଲ୍ୟ ଯଥେଷ୍ଟ । ତୋ’ର ହୃଦୟ, ମନ, ମମତା, ପ୍ରେମ– ।

ମୁହଁରେ ହାତ ଦେଇ କଥାଟାକୁ ତାଙ୍କୁ କୁହାଇ ଦେଲି ନାହିଁ । ଓଲଟି କହିଲି, ଅସମ୍ଭବ ! ତେମେ ବ୍ରାହ୍ମଣ ଘରର ପିଲା, ତେମେ ବାହା ହୋଇଛ । ମୁଁ ଅଛୁଆଁ । ତଥାପି ଜାଣି ଜାଣି କାହିଁକି ତେମେ ମୋତେ ସ୍ନେହ କଲ, ମୋର ହୃଦୟ ଲୁଟି କରିନେଲ ? ତୁମେ ତ ମୋତେ ବିବାହ କରିପାରିବ ନାହିଁ । ସଂସାର ଆଗରେ ସମାଜ ଆଗରେ ମୋତେ ଛୁଇଁବି ପାରିବ ନାହିଁ ।

କେତେଦିନ ହେଲା ଯେଉଁ ଚିନ୍ତାଟା ମନର ମମତାକୁ ଦୋହାଲାଇ ଏପାଖ ସେପାଖ କରୁଥିଲା କେତେ ଦୁଃଖରେ ଆଜି ତାହା ଖୋଲି ହୋଇଗଲା ତାଙ୍କରି ଆଗରେ । ମୋ’ର ଦୁର୍ବଳତା ଥିଲା, କିନ୍ତୁ ଆତ୍ମସଂଯମ ରକ୍ଷା କରିବାର ସାହସ ମଧ୍ୟ ଥିଲା । ଜଣକୁ ହୃଦୟ ଦେଇ ଭଲ ପାଉଥିଲି ବୋଲି ଯେ କିଛି ନ ଭାବି ନ ଚିନ୍ତି ତାହାରି ପାଖରେ ଦେହଟା ସମର୍ପିଦେବି, ସେ କଥା କେବେହେଲେ ଭାବିନାହିଁ । ସେ ମତେ ଭଲ ପା’ନ୍ତି, ମୁଁ ମଧ୍ୟ ତାଙ୍କୁ ଭଲ ପାଏ । ସେ ଉତ୍ତେଜିତ ହୋଇ ପଡ଼ନ୍ତି । ମୁଁ ମଧ୍ୟ । କିନ୍ତୁ ଦୁଇଟା ଦେହର ମିଳନ ଭିତରେ; ମୋ’ର ଗୋଟାଏ ଭାବନା, କେଜାଣି ବା ଭୟ, ଗୋଟାଏ ଦୁର୍ଭେଦ୍ୟ ପାଚିରୀ ଗଢ଼ିଦିଏ । ସବୁମୋହ, ସବୁ ଉତ୍ତେଜନା, ଇଚ୍ଛା, ଆକର୍ଷଣ ସେଇଠି ବାଜି ଫେରି ଆସେ ପଛକୁ ।

ସେ କହିଲେ, ଫୁଲ, ମୁଁ ବାହା ହୋଇଛି ସତ କିନ୍ତୁ ମୁଁ ତ ନିଜେ ବାହା ହୋଇ ନାହିଁ । ସେତେବେଳେ ମୋ’ର ଜ୍ଞାନ ନ ଥିଲା । ଭାବୁଥିଲି, ବାହାଘର ଗୋଟେ ଖେଳଘର । ଅଜ୍ଞାନ ଅବସ୍ଥାରେ ଯାହାର ହାତରେ ମୋ’ର ହାତ ମିଳାଇ ଦେଇଥିଲେ, ତାକୁ ମୁଁ ଚିହ୍ନେ ନାହିଁ । ତା’ର ରୂପ ମୁଁ ଦେଖି ନାହିଁ । କହ ତ, ମୁଁ ତାକୁ ଭଲପାଇବି କିପରି ?

ମୁଁ ତୁନି ରହିଲି । ସେ ପୁଣି କହିଲେ, ମୋ’ର ମନ, ପ୍ରାଣ, ସ୍ନେହ, ମମତା ସର୍ବସ୍ୱ ମୁଁ ତତେ ହିଁ ଦେଇଛି । ଯେଉଁ ଅପରିଚିତା କାଲି ଆସି ମୋ’ର ଘରର ମାଲିକ ହେବ, ସେ ସବୁ ପାଇପାରେ, କିନ୍ତୁ ତୁ ଯାହା ପାଇଛୁ ସେ ତ ଆଉ ତାହା ପାଇବ ନାହିଁ ।

ଅନେକ କଥା ପଚାରିବାକୁ ଇଚ୍ଛା ଥିଲା । ମୁହଁ ଖୋଲିଲା ନାହିଁ । କାଳେ ତାଙ୍କର ମନରେ ଦୁଃଖ ହେବ । ରାତି ଅଧିକ ହେଉଛି ଦେଖି ସେ ବିଦାୟ ନେବାକୁ କହିଲେ, ଯାଉଛି ଫୁଲ, ସଂସାରରେ ମୋଠୁ ବଳି ଦୁଃଖୀ କେହି ନାହିଁ । ଟିକିଏ ଅପେକ୍ଷା କରି ମୋ’ର ହାତ ଧରି କହିଲେ, ମୋର ବିଶେଷ ଦୁଃଖ ହେଉଛି ଯେ, ତୁ ମତେ ଚିହ୍ନିଲୁ ନାହିଁ ।

ବିଦାୟ ଆଗରୁ ସବୁଦିନ ପରି ସେ ମୋ’ର ମୁଣ୍ଡକୁ ତାଙ୍କର ଛାତି ଉପରକୁ ଆଉଜାଇ ନେଲେ ନାହିଁ । ଆଗ୍ରହରେ ଉତ୍ସାହରେ କହିଲେ ନାହିଁ, ଫୁଲ, ଏ ପାଗଳା ଭଅଁରଟାକୁ ମନେ ରଖିଥିବୁ ।

ବଡ଼ ଅଶାନ୍ତିରେ ଘରକୁ ଫେରିଲି, କେତେବେଳୁ ମା’ ଆସି ପିଣ୍ଡାରେ ବସିଥିଲା । ମତେ ଦେଖି ବିରକ୍ତ ହୋଇ କହିଲା, ଏତେ ବେଳଯାଏ କେଉଁଠି ଥିଲୁ ଲୋ । ଦି’ଘଡ଼ି ହେଲା ଆସି ମୁଁ ପିଣ୍ଡାରେ ବସିଛି, ତୋ’ର ଦେଖା ଦର୍ଶନ ନାହିଁ ।

ଭୟରେ ଥରି ଉଠିଲା ମୋ’ର ଛାତି ଭିତର । ପାଟିର କଥା ବାହାରିଲା ନାହିଁ । କହି ପକାଇଲି, ଗୁଣ ଭାଇ ଆସିଥିଲେ ଯେ ତାଙ୍କୁ ବଳେଇ ଦେବାକୁ ଯାଇଥିଲି ।

ସେ କହିଲା, ହୁଁ–ଉଁ ।

ମୋ’ର ମନେହେଲା ତା’ର ସେହି ଗୋଟିଏ ପଦ ହୁଁ ଭିତରେ କେତେ ସନ୍ଦେହ, କେତେ ଦୁଃଖ ଭରି ରହିଥିଲା । କିଛି ନ କହି ଥରିଲା ଗୋଡ଼ରେ ଘର ଭିତରକୁ ପଶିଲି । ଅଶାନ୍ତିରେ ମୋ’ର ରାତି କଟିଲା । କେତେ ଦୁଶ୍ଚିନ୍ତା, କେତେ ଭୟ ।

ବେଳେ ବେଳେ ଗୁଣ ସା’ନ୍ତେ ଆସନ୍ତି । ମୁଁ ବୁଝିପାରେ, ତାଙ୍କ ମନରେ କେତେ ଭାବନା ଭରି ରହିଥାଏ । କଥାକଥାକରେ ସେ କହନ୍ତି, ହେଲେ ସେ ହସରେ ସରାଗ ନ ଥାଏ । ତାଙ୍କ ସାଙ୍ଗରେ ବୁଲିଯିବାକୁ କେତେଥର ଡାକନ୍ତି, ମୁଁ ମନାକରେ କାମ ବାହାନାରେ । କେବେ କେବେ କହେ ଦେହ ଭଲ ଲାଗୁ ନାହିଁ । ତାଙ୍କ ସଙ୍ଗେ ବୁଲି ଯାଇ ରାତି ଅଧଯାଏ ପଦାରେ ରହିଲେ ମା’ ମନେ ମନେ ବିରକ୍ତ ହୁଏ । ମୁହଁରେ ସାହସ କରି କିଛି କହିପାରେ ନାହିଁ । ଏ କଥା ବା ମୁଁ ତାଙ୍କୁ କହିବି କିପରି ?

ମୋ’ର ଏପରି ଢଙ୍ଗରୁ ସେ ବୋଧହୁଏ ଭାବିଲେ, ମୁଁ ତାଙ୍କୁ କରଛଡ଼ା ଦେଉଛି । ଦିନେ ରହି ରହି ପଚାରିଲେ, ତମ ଘରକୁ ଏତେ ଯା’ ଆସ କରୁଛି ବୋଲି ବିରକ୍ତ ହେଉଛୁ ? ସତରେ ଯଦି ତମର ଅସୁବିଧା ହେଉଥାଏ, କହିଦେଲେ ତ ଆସନ୍ତି ନାହିଁ ।

ତାଙ୍କ ତୁଣ୍ଡରୁ ଏପରି କଥା କେବେ ଶୁଣିବି ବୋଲି ଆଶା କରି ନ ଥିଲି । ଜାଣେ ସତେ ଯଦି ବିରକ୍ତ ହୋଇ ତାଙ୍କୁ ଘର ମନାକରେ ସେ ରହିପାରିବେ ନାହିଁ । ମୋତେ ଦିନଟିଏ ନ ଦେଖିଲେ ସେ ପାଗଳ ପରି ହୋଇଯିବେ ।

ତାଙ୍କ କଥାର ଉତ୍ତର ଦେଇପାରିଲି ନାହିଁ । ମୁଁ ଜାଣେ ସେ ମୋତେ ଭଲ ପାନ୍ତି । ସେ ଜାଣନ୍ତି, ମୁଁ ଅଛୁଆଁ ବାଉରି, ଗରିବ । ତଥାପି ସେ ମୋତେ ଭଲପାଇଲେ କାହିଁକି ? ମୁଁ କାହିଁକି ମୋ’ର ମନର ସବୁ ସ୍ନେହ ତାଙ୍କରି ଗୋଡ଼ତଳେ ଢାଳିଦେଲି ? ଏକଥା ଅନେକ ଥର ଭାବେ, ମନେହୁଏ, ଭଲ ପାଇବାଟା ଗୋଟାଏ ଝୁଙ୍କ । ମଣିଷର ମନରେ ପଶିଲେ ଅତୀତ ବା ଭବିଷ୍ୟତ ଦେଖାଯାଏ ନାହିଁ । କ୍ଷଣସ୍ଥାୟୀ ବର୍ତ୍ତମାନଟା ତାକୁ କେତେ ବଡ଼ ଜଣାଯାଏ ।

ମୋତେ ତୁନି ହେବା ଦେଖି ସେ ପଚାରିଲେ, କହ ଫୁଲ, ସତେ ମୁଁ ପାଗଳ ହୋଇ ମରୀଚିକାର ପଛରେ ଗୋଡ଼ାଇଛି । ଧାଇଁ ଧାଇଁ ଶେଷକୁ ମରଣ ହେବ, ଟୋପାଏ ପାଣିର ଦେଖା ପାଇବି ନାହିଁ ।

ତାଙ୍କର ଆଖି ଢଳ ଢଳ ହେଲା । ମୋ’ର ଦୁର୍ବଳ ମନ ତରଳି ଆସିଲା । ତାଙ୍କ କଥାର ମର୍ମ ବୁଝି ପାରିଲି । କହିଲି, ଏକା ତେମେ କାହିଁକି ମରୀଚିକା ପଛରେ ଗୋଡ଼ାନ୍ତ, ମତେ ମଧ୍ୟ ସେହି ବାଟରେ ନେଇଛ । ଜାଣି ଜାଣି କାହିଁକି ତା’ର ପଛରେ ଧାଇଁବା ? ବେଳ ଅଛି, ଫେରିଯିବା ଆସ ।

କହୁ କହୁ ତଣ୍ଟି ବନ୍ଦ ହୋଇଆସିଲା । ଅଜଣା ଦୁଃଖରେ ସତେ କି ମୋର ଛାତି ଫାଟି ପଡ଼ିବ ।

ସେ ମୋ’ର ଲୁହଭରା ଆଖିକି ଚାହିଁଲେ । ଦୁଇ ହାତଧରି କହିଲେ, ଫେରିଯିବା ? ଫେରି ପାରିବୁ ଫୁଲ ? ମରୀଚିକାର ପଛରେ ଅନ୍ଧ ପରି ଧାଇଁବାରେ ବି ଆନନ୍ଦ ଅଛି, ସେ ଆନନ୍ଦ ମରଣ ମୁହଁକୁ ପଛେ ଟାଣି ନେଉ ।

ଢଳି ପଡ଼ିଲି ତାଙ୍କର ଛାତି ଉପରେ । ଆଖି ଲୁହରେ ଛାତି ଭିଜାଇଲି । ସେ ଧୀରେ ଧୀରେ ମୋ’ ପିଠିରେ ହାତ ବୁଲାଇଲେ । ତାଙ୍କର ସେହି ଅମୃତ ସ୍ପର୍ଶରେ ମୋ’ର ସବୁ ଚିନ୍ତା ଉଭେଇଗଲା । ମତେ ଜଣାଗଲା, ଏହି ନିଷ୍ଠୁର ସଂସାରର ଶୂନ୍ୟତା ଭିତରେ ଆମେ କେବଳ ଦୁଇଜଣ ବାଟୋଇ–ସେ ଓ ମୁଁ । ଚାଲିଛୁଁ କେଉଁ ଅଜଣା ଆଶା ପଛରେ । ସୀମା ନାହିଁ । ସେ ଚାହୁଛନ୍ତି ମତେ, ଆଉ, ମୁଁ ଚାହୁଁଛି ତାଙ୍କୁ ।

କେତେବେଳେ ଯାଏ ମୁଁ ସେହିପରି ଅବସ୍ଥାରେ ରହିଲି ମୋର ଖିଆଲ ନାହିଁ । ସେ କରୁଣ ସ୍ୱରରେ ଡାକିଲେ, ଫୁଲ ! ଗଳା ଥରି ଉଠିଲା । ତାଙ୍କର ଦୁଇ ବାହୁର ବନ୍ଧନୀ ମଝିରେ ଥାଇ ମୁଁ ମୁଣ୍ଡଟେକ ତାଙ୍କରି ମୁହଁକୁ ଚାହିଁଲି । ଢଳ ଢଳ ଆଖି ଦୋଅଟି ଭିତରେ ଯେଉଁ ମନଭୁଲା ଆଭାର ସନ୍ଧାନ ପାଇଲି, ସେତିକିରେ ଲତାଟି ପରି ଛନ୍ଦି ହୋଇଗଲି ତାଙ୍କ ବଳିଷ୍ଠ ଦେହରେ । ସେ ମୁଣ୍ଡରେ ମୁଣ୍ଡ ଲଗାଇ କାନ ପାଖରେ ତୁନିତୁନି କହିଲେ, ଫୁଲ, ଅତୀତରେ କ’ଣ ହୋଇଥିଲା ଓ ଭବିଷ୍ୟତରେ କ’ଣ ହେବ, ସେ କଥା ଭାବିଲେ ସଂସାରରେ କେହି ସୁଖୀ ହୋଇପାରେ ନାହିଁ । ବର୍ତ୍ତମାନଟି ଯେ ବଡ଼ !

ତାଙ୍କ କଥା ବୁଝିବା ଭଳି ଅବସ୍ଥା ମୋ’ ମନରେ ସେତେବେଳେ ନ ଥିଲା । ମୁଁ ଆଖି ଟେକି କେବଳ ଚାହିଁଲି ତାଙ୍କରି ବର୍ତ୍ତମାନର ସୁବିଧା ଭିତରେ ମଜ୍ଜି ରହେ । ଜୀବନର ଯେଉଁ ମୁହୂର୍ତ୍ତଟି ଭଲରେ, ଆନନ୍ଦରେ କଟେ, ମଣିଷ ଜୀବନରେ ସେତିକି ଲାଭ, ସେତିକି ସାର୍ଥକତା ।

କିଛି ବୁଝିଲି ନାହିଁ କଥାର ମର୍ମ । ତାଙ୍କର ଆଖି ଆଲୁଅ ଭିତରେ ପତଙ୍ଗ ପରି ଝାସ ଦେବାର କାମନା ବଳେଇ ପଡ଼ିଲା ।

କହିଲେ, ତେବେ ବୃଥା ଆଉ ଏତେ ଛଳନା, ବୃଥା ଆଉ ଏତେ ଅଭିମାନ କାହିଁକି ? ଯେଉଁ ଭୟ ବା ସଙ୍କୋଚ ଆମର ଏହି ଭୋକିଲା ସ୍ନେହ ଦୁଇଟାର ମଝିରେ ବାଡ଼ ପକାଇଛି, ସେତକ ଘୁଞ୍ଚି ଯାଉ । ଦୁଇଟା ଆତ୍ମା ଦୁଇଟା ଦେହ ମିଶି ଏକାକାର ହେଉ ଫୁଲ । ମୋର ଚିବୁକ ଚୁମ୍ବନ କରିବାକୁ ନୁଆଁଇ ଆଣିଲେ ତାଙ୍କର ତୃଷିତ ମୁହଁଟି । ଛାତି ଭିତରେ ଯନ୍ତ୍ରଣା ଅନୁଭବ କଲି । ମାଡ଼ ମାରିଲା ପରି ଦୁଇ ହାତରେ ତାଙ୍କର ମୁଣ୍ଡଟି ଠେଲିଦେଇ ଦୂରକୁ ଘୁଞ୍ଚି ଆସିଲି । ହାତ ଦେଖାଇ ଭୟରେ କହି ପକାଇଲି, ନା, ମୋତେ ଆଉ ତମର ଆଖିର ଜଳନ୍ତା ନିଆଁ ଭିତରକୁ ଟାଣି ନିଅ ନା ଗୁଣ ଭାଇ ମୋତେ ଦୟାକର କ୍ଷମାକର । ତମକୁ ମୁଁ ଭଲପାଏ । ତା’ ବୋଲି ତମର ଲାଳସା ନିଆଁରେ ମୋତେ ଝାସ ଦେବାକୁ କହ ନାହିଁ । ତେମେ ଯାଅ, ତେମେ ଏଠୁ ଯାଅ । ମୋତେ ଭାବିବାକୁ ଦିଅ, କାନ୍ଦିବାକୁ ଦିଅ । ତେମେ ଯାଅ ଗୁଣ ଭାଇ–

କେତେ ଭାବିଲି, କେତେ କାନ୍ଦିଲି । ମୋ’ର ଦୁଃଖ, ମୋ’ର ଭାବନର ଶେଷ ନାହିଁ । କିଛି ଠିକ୍‌ କରିପାରିଲି ନାହିଁତ । ଯେତେ ଭାବେ ଗୁଣଭାଇନାଙ୍କର ସ୍ମୃତିଟାକୁ ମନରୁ ପୋଛି ପକାଇବି ଛାତି ଭିତରେ କେତେଦିନର ଛୋଟ ବଡ଼ କେତେ ଘଟଣା ଗହୀର କରି ସୁଖ ଦୁଃଖର ଗାର ଟାଣିଦିଏ ।

ସେହିଦିନରୁ ସେ ଆଉ ଆସି ନାହାନ୍ତି । ରାଗରେ କି ଅଭିମାନରେ ଜିଭ ଓଲଟାଇ ମୁହଁରେ କହି ତଡ଼ିଦେବା ତ କ୍ଷଣକର ଉତ୍ତେଜନାର କଥା, କିନ୍ତୁ ମନ ଭିତରୁ ତଡ଼ିବା କେତେ କଷ୍ଟ, ଅସମ୍ଭବ । ସବୁବେଳେ ପ୍ରାଣ ଛଟପଟ ହୁଏ । ମନ ଭିତରେ ଗୋଳଘାଣ୍ଟ ଆରମ୍ଭ ହୁଏ । ଭାବେ, ଭଲ ପାଇବା ଭୁଲ ନୁହେ, ଭଲ ପାଇବା ପାପ ନୁହେଁ । ତା ହୋଇଥିଲେ ମଣିଷ ମନରେ ଭଲପାଇବାର ପ୍ରବୃତ୍ତି ଜାଗନ୍ତା ନାହିଁ । ଭଲ ପାଇବା ଗୋଟାଏ ରୋଗ, ଗୋଟାଏ ପାଗଳାମି । ସେଇଥିପାଇଁ ମଣିଷ ଭୁଲ କରେ । ଲୋକ ଆଖିରେ ଯେଉଁଟା ପାପ, ଯେଉଁଟା ଅନ୍ୟାୟ, ତାହା ମଧ୍ୟ କରିବାକୁ ପଛାଏ ନାହିଁ ।

ଭୟ ହେଲା–ନ ଆସି ସେ ରହିଛନ୍ତି କିପରି ? ଦେହ କିଛି ଖରାପ ହୋଇନାହିଁତ । ସବୁଦିନେ ହୁଏ ମାଆକୁ ପଚାରିବି, କିନ୍ତୁ ପଚାରିପାରେ ନାହିଁ । ଦିନେ ଦି’ପହରେ ସାହସ କରି ପଚାରିଲି, ମା ଗୁଣଭାଇ କାହିଁକି ଆଉ ଇଆଡ଼େ ଆସନ୍ତି ନାହିଁ ? ସେ କ’ଣ ଗାଁରେ ନାହାନ୍ତି ?

ସେ ଭାବିଲା । କହିଲା ମୁଁ ତାଙ୍କୁ ଅନେକ ଦିନ ହେଲା ଦେଖୁନାହିଁ । ଟିକିଏ ରହି କହିଲା, ଶୁଣିଲି ଗୁଣମଣିଙ୍କର ସ୍ତ୍ରୀ ତିନି ଚାରିଦିନ ଭିତରେ ଆସୁଛନ୍ତି । ଦେଖି ଆସିଲି ଭାରି ଆୟୋଜନ ଲାଗିଛି ।

କିଛି ଉତ୍ତର ଦେଲି ନାହିଁ । ଖରାପ ଲାଗିଲା । ମା ପୁଣି କହିଲା, ନିଧି ସାନ୍ତେ କହିଛନ୍ତି, କାଲି ତାଙ୍କର ଘର ଲିପିବାକୁ ଯିବି। ଏକୁଟିଆ ପାରିବି ନାହିଁ ଫୁଲ, କୁଟୁମ୍ବ ସିନା କମ୍‌, ତା ଘର ତ କମ୍‌ ନୁହେଁ । ତୋତେ ବି ଯିବାକୁ କହିଛନ୍ତି ।

କହିଲି, ମୁଁ ନ ଗଲେ ତାଙ୍କର କାମ ଅଟକି ରହିବ ନାହିଁ ।

ମା’ କହିଲା, ଆଲୋ ଫୁଲ, ଏତ ସବୁଦିନିଆ କଥା ନୁହେଁ, ଦିନକର କଥା, କାଳକାଳକୁ ମନେ ରହେ । କାହା ବିନା କାହାରି କାମ ଅଟକିଯାଏ ନାହିଁ ।

ସୁଲଭ କଥା ଏ ମା’, ତୋ’ରି ଗୁଣ ନାନାର ବାହା । ନୂଆବୋହୂ ଆସିବେ, ଘରର ଲକ୍ଷ୍ମୀ, ଗରିବଙ୍କର କେତେ ଆଶା ଭରସା ।

ମୁଁ ମୁହଁ ବୁଲାଇ ରୋଷଘର ଅଧାକାନ୍ଥି ଆର ପାଖକୁ ଗଲି । ଭାରି କାନ୍ଦ ମାଡ଼ିଲା ।

ପରଦିନ ଘର ଲିପୁ ଲିପୁ ଗାଧୁଆବେଳ ଟଳିଗଲା । କାମ ସରିଲା ନାହିଁ । ଯାହାଙ୍କର ଥରଟିଏ ଦେଖା ପାଇବାର ଉପାସ ଭୋକରେ ଏତେ ପରିଶ୍ରମ କଲି, ତାଙ୍କୁ ଦେଖିପାରିଲି ନାହିଁ ! ସେ କ’ଣ ଘରେ ନାହାନ୍ତି ? ଆମର କାମ ଦେଖିବାକୁ ବେଳେ ବେଳେ ନିଧି ସା’ନ୍ତେ ନଇଲେ ତାଙ୍କର ବୁଢ଼ୀ ନାନୀ ପଦାକୁ ଆସନ୍ତି । ମିଛଟାରେ ହେଲେ କେତେ ଖୁଣନ୍ତି । ନିଧି ସା’ନ୍ତେ କହିଲେ, ଆଲୋ ବୁଢ଼ି, ତୁ ପଦା କାନ୍ଥ ଲିପୁଥା, ଫୁଲ ଭିତର କାନ୍ଥ ଲିପୁ । ହାତ ଫୁର୍ତ୍ତି କର ଲୋ, ଜଲଦି ସାର ।

ଖଞ୍ଜା ଭିତର କାନ୍ଥ ଲିପିବାକୁ ଆସିଲି । ଉଚ୍ଚ କାନ୍ଥ । ସିଢ଼ି ଲଗାଇ ଲିପୁଥାଏ । ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ । ମାଟି ଗୋବର ପାଣିରେ ଦେହ ମୁଣ୍ଡ ଓଦା ହୋଇଗଲାଣି । ହାତ ଗୋଡ଼ ଆଉ ଚଳୁ ନାହିଁ । ନାନୀକୁ କହିଲି, ବେଳ ଆସି ଏତେ ସାଆନ୍ତାଣୀ, ଆଜି ଏତିକି ଥାଉ, କାଲି ସକାଳୁ ଆସି କାମ କରିଦେବୁଁ । ସେ ବିରକ୍ତ ହୋଇ କହିଲେ, ତୋ ମୁହଁ ପୋଡ଼ୁ ଲୋ ଛତରଖାଇ । ଆହା ହା, ଲବଣୀ ପିତୁଳା, ଖରା ଲାଗିଲେ ତରଳିଯିବ ପରା । କହିଲି, ରାଗୁଛ କାହିଁକି ? ସକାଳ ପହରୁ ଅଖିଆ ଅପିଆ ଖଟୁଛୁଁ । ଯେତେ କାମ କଲେ ତମ ମନକୁ ଆସେ ନାହିଁ ।

ମୋ କଥା ମୋ ତୁଣ୍ଡରେ ଅଛି, ସେ ଚମକି ଆସିଲେ । ବଡ଼ପାଟି କରି ଗର୍ଜ୍ଜି ଉଠି କହିଲେ, ଛତରଖାଇ ମୁହଁ କେଡ଼େ ଟାଣ ବା, ଛାଞ୍ଚୁଣୀ ମୁଠାରେ ମୁହଁ ଭାଙ୍ଗି ଦେବି, ଜବାବ ଦେଉଛି-। ମୁଁ କହିଲି, ସାଆନ୍ତାଣୀ, ରାଗୁଛ କାହିଁକି, ଗରିବ ବୋଲି ଆମର ଜୀବନ ନାହିଁ ?

ସେ ତଳୁ ଗୋଟାଇ ସଢ଼େଇ ଫାଳଟିଏ ଧରି ମୋ’ ମୁହଁକୁ ପକାଇଲେ । କହିଲେ, ଜୀବନ, ପୋଡ଼ି ଯାଉ ତୋ ଜୀବନ । ଡହରି ଟୋକୀ, କଥା କଥାକେ ଜବାବ ଦିଆ ଶିଖୁଛି ।

ସଢ଼େଇଟା ମୋ କପାଳରେ ବାଜି ତଳେ ପଡ଼ିଲା । ସିଢ଼ି ଉପରୁ ଓହ୍ଲାଇ ଆସିଲି, ମୁଣ୍ଡରେ ହାତ ଦେଇ ଠିଆହେଲି । ସେ ସେମିତି କହିବାକୁ ଲାଗିଲେ, ଦେଖ ମଁ, କେଡ଼େ ବହପ ଏ ଛଇଛଟକୀ ଟୋକିଟାର ! କାମ ନ କରି ମୁହଁରେ ଜବାବ ଦେଉଛି ! ଗୁଣ ନନା କେଉଁଠୁ ଆସି ପହଞ୍ଚିଲେ । ପଚାରିଲେ, ନାନୀ କାହା ଉପରେ ଚିଡ଼ୁଛ ?

ଚାହିଁଲି ତାଙ୍କ ମୁହଁକୁ । ଶୁଖି କଳାକାଠ ହୋଇଛି, ଆଖି ଦ’ଟା ନାଲି ପଡ଼ିଛି । ମୋ ଆଡ଼କୁ ଅନାଇଁ ନରମ ସ୍ୱରରେ କହିଲେ, ଦେଖିଲ ନାନୀ, ତାଳୁ ଫାଟି କିପରି ରକ୍ତ ବାହାରୁଛି । ମୋ’ ଆଡ଼କୁ ଆସିଲେ । ନାନୀଙ୍କ ଆଗରେ କାଦୁଅ ହାତରେ କପାଳ ପୋଛି ସିଢ଼ି ଉପରକୁ ଉଠିଲି-। ସେ ଡାକି କହିଲେ, ତଳକୁ ଓହ୍ଲାଇଲୁ ଫୁଲ, ଦେଖେ କ’ଣ ହୋଇଛି ।

କହିଲି, କିଛି ନାହିଁ ସାଆନ୍ତେ, ସିଢ଼ି ବାଜି ମୁଣ୍ଡରୁ ଟିକିଏ ମଳିଚମ ଛାଡ଼ିଯାଇଛି । ବୁଢ଼ୀ ନାନୀ କାବା ହୋଇ ମୋ ଆଡ଼କୁ ଚାହିଁଲେ । ମୁଁ ମୁରୁକେଇ ହସିଲି । ଗୁଣ ନାନା ଗମ୍ଭୀର ପାଖ ଘର ଭିତରକୁ ପଶିଲେ ।

ଦି’ପହରେ ଆଉ କାମ କଲି ନାହିଁ । ଏକା ମା’ ଗଲା, ମୁଁ ଘରେ ଶୋଇ ନାନା କାଥା ଭାବିଲି । ଗୁଣନନା ଘରେ ଅଛନ୍ତି । ଅଥଚ ଆସି ନାହାନ୍ତି କାହିଁକି? କେଡ଼େ ଆଗ୍ରହରେ ସେଦିନ ଆସିଥିଲେ, ସ୍ନେହରେ ମୋତେ ସେ ଆଲିଙ୍ଗନ କରିଥିଲେ, କାହିଁକି ତାଙ୍କ ଆନନ୍ଦରେ ବାଧା ଦେଲି-? ଯାହାଙ୍କୁ ମୁଁ ମନପ୍ରାଣ ସମର୍ପଣ କରିଛି, ତାଙ୍କର ପ୍ରେମର ପ୍ରବାହକୁ ଅଟକାଇଲି କାହିଁକି-? କେତେ ଭାବିଲି, କେତେ କାନ୍ଦିଲି । ତୃପ୍ତି ବା ଶାନ୍ତି ମିଳିଲା ନାହିଁ । ବେଳୁବେଳ ମନଟା ଅସ୍ଥିର ହେଲା, ଉଚ୍ଚାଟ ହେଲା । ତାଙ୍କ ଘରକୁ ଯାଇ ତାଙ୍କ ଶୁଖିଲା ମୁହଁଟି ଦେଖିବାକୁ, ନିରୋଳାରେ ପଦେ ପଚାରିବାକୁ ମନ ଉଯନ୍ତ୍ରି ହେଲା ।

ଦିନର ଆଲୁଅ ଲିଭିଲିଭି ଆସିଲା । ମୋ’ର କାନରେ ବାଜିଲା କିଏ ଯେପରି ଥରିଲା ସ୍ୱରରେ ଡାକୁଛନ୍ତି ଫୁଲ, ଫୁଲ । ମନର ଅନ୍ଧାର ଭିତରେ ଝଡ଼ ତୋଫାନ ମଝିରେ ସେଇ କ୍ଷୀଣ ଡାକଟି ହଜିଗଲା ।

ପୁଣି କିଏ ଡାକିଲେ ଫୁଲ, ଫୁଲ ଲୋ–

ଏଥର ବୁଝିଲି, ସ୍ୱପ୍ନ ନୁହେ, ଭ୍ରମ ନୁହେ, ସେ ଆସିଛନ୍ତି, ଯାହାଙ୍କ କଥା ମୁଁ ଭାବୁଥିଲି । ଅସ୍ତବ୍ୟସ୍ତ ହୋଇ ଉଠିଲି । ଛୋଟ ଲୁଗାଟିକୁ ଦେହରେ ବେଢ଼ାଇ ଦେଇ ପଦାକୁ ଆସିଲି । ସଞ୍ଜର ମହଳ ଆଲୁଅରେ ଦେଖିଲି ଆମରି ବାଡ଼ ପାଖରେ ଖୁଣ୍ଟକୁ ଆଉଜି ଗୁଣନନା ଠିଆ ହୋଇଛନ୍ତି ।

କିଛି ନ ଭାବି ଧାଇଁଗଲି ତାଙ୍କ ପାଖକୁ । ଉଦ୍‌ବିଗ୍ନତା ସହି ନ ପାରି ଆକୁଳ ହୋଇ କହିଉଠିଲି, ତେମେ ଆସିଛ ଗୁଣନନା, ଏତେ ଦିନକେ ମନେପଡ଼ିଲା । ଅମାନିଆଁ ଲୁହ ଦୁଇ ଆଖିରୁ ମୋ’ର ନିଗିଡ଼ି ପଡ଼ିଲା । ଆଉ କେତେ କ’ଣ କହିଥାନ୍ତି, ମୁହଁ ଖୋଲିଲା ନାହିଁ । ସେ ସେଇଠି ସେମିତି ଠିଆହୋଇ ପଚାରିଲେ, ତୋ ମୁଣ୍ଡ କେମିତି ଅଛି ?

ମୁଁ ଉତ୍ତର ଦେଲି, ଏଇଆ ବୁଝିବାକୁ ଆସିଥିଲ ? ଭଲ ଅଛି । ସେମିତି କିଛି ଆଘାତ ହୋଇ ନ ଥିଲା । ଟିକିଏ ରହି ପୁଣି ପଚାରିଲି, ତେମେ କ’ଣ ଏଠିକି ଆଉ ଆସିବ ନାହିଁ, ଗୁଣ ନନା-? ସେଦିନ କ’ଣ କହିଦେଲି ବୋଲି ଛଳ କରିଛ ? ଉତ୍ତରକୁ ଅପେକ୍ଷା ନ କରି ତାଙ୍କ ପାଖକୁ ଗଲି । ହାତ ଧରି କହିଲି, ଆସ । ସେ ବାଧା ଦେଲେ ହେବ ନାହିଁ, ମୋ ପଛେ ପଛେ ଆସିଲେ, ପିଣ୍ଡା ଉପରେ ମୋ ପାଖରେ ବସି କହିଲେ, ମୁଁ ତୋ ଉପରେ ରାଗି ନାହିଁ । ତୋ’ରି କଥା ଆଜିଯାଏ ବସି ଭାବୁଥିଲି ।

ଆଗ୍ରହରେ ପଚାରିଲି, ସତେ, କ’ଣ ଭାବୁଥିଲ ?

କହିଲେ, ଭାବି ଭାବି କିଛି ଠିକ୍‌ କରିପାରଲି ନାହିଁ । ତୁ ଜାଣୁ, କାଲି ଛାଡ଼ି ପଅରଦିନ ମୋ’ର ସ୍ତ୍ରୀ ଆସୁଛନ୍ତି । ତାଙ୍କୁ ମୁଁ ଜାଣେ ନାହିଁ, ଚିହ୍ନେ ନାହିଁ । କେବେ ଦେଖିଛି ବୋଲି ମନେ ହେଉନାହିଁ । ସେହି ଅପରିଚିତାକୁ ଘେନି ଚିରଦିନ ମତେ ଚଳିବାକୁ ହେବ । ମୋ’ର ସବୁ ମମତାର ଅଧିକାରୀ ହେବ ସେହି । କେମିତି, ଭଲ ହେବ ନାହିଁ ଫୁଲ ?

ଥଙ୍ଗେଇ ଥଙ୍ଗେଇ କହିଲି, ଭଲ ନ ହେବ କାହିଁକି? ସମସ୍ତେ ସବୁଦିନ ଅପରିଚିତା ନ ଥା’ନ୍ତି । ପରିଚୟ ଆପେ ଆପେ ହୁଏ । ପର ଆପଣାର ହୋଇ ମନପ୍ରାଣ ଅଧିକାର କରେ । ଏ ତ ସଂସାର କଥା ।

ସେ କହିଲେ, ହଁ ଏହା ସଂସାର କଥା, କିନ୍ତୁ ମୁଁ ତ ସଂସାରରୁ ବାହାର । ପ୍ରତିବାଦ କରିଥିଲି, ବାଧା ଦେଇଥିଲି । ନନା ଅନେକ କଥା ବୁଝାଇଲେ, କହିଲେ, ତୋ’ର ମା ମରିବା ଦଶବର୍ଷ ପୂରିଗଲା । ନାନୀ ସବୁ ଘରକାମ ଚଳାଉଥିଲେ। ତାଙ୍କର ବଳ ବୟସ ରହିଲା, ସେ ଆଉ ପାରୁ ନାହାନ୍ତି । ଯେତେଶୀଘ୍ର ସମ୍ଭବ ବୋହୂ ଆସି ଘରର ଭାର ନେଲେ ସୁବିଧା ହେବ, ମୁଁ ନିଶ୍ଚିନ୍ତ ହେବି । ତାଙ୍କର କାର୍ଯ୍ୟରେ ବାଧା ଦେବି କାହିଁକି ଫୁଲ ? ବୋହୂ ଆଣିବେ, ଘର କାମ ଚଳିବ । ପୁଝାରି ଚାକର ନିଯୁକ୍ତ କରିବାରୁ ଉଦ୍ଧାର ପାଇବେ । ତାଙ୍କର ମନକଥା ପୂର୍ଣ୍ଣ ହେବ । ବୋହୂ ଆଣିବାକୁ ଆତୁର ହେଉଛନ୍ତି, ବୋହୂ ପାଇବେ, କିନ୍ତୁ ପୁଅ ପାଇବେ ନାହିଁ ।

ମନରେ ପାପ ପଶିଲା । ପଚାରିଲି, ଏକଥା ତମେ କାହିଁକି କହୁଛ ? ପୁଅ ପାଇଁ ସିନା ବୋହୁ । ପୁଅର ସୁଖ, ପୁଅର ଆନନ୍ଦ ଦେଖିବାକୁ ସିନା ଘରକୁ ବୋହୂ ଆଣୁଛନ୍ତି ? ସେ ମୋ’ର କଥାରେ କାନ ନ ଦେଇ ହଠାତ୍‌ କହିଲେ, ଫୁଲ ମୁଁ ତତେ ଗୋଟିଏ କଥା ପଚାରିବାକୁ ଚାହେଁ । ତତେ ଜବାବ୍‌ ଦେବାକୁ ହେବ ।

କହିଲି, ପଚାର ?

କହିଲେ, ଆଜିଯାଏ ତୁ ମତେ ଠକି ଆସିଛୁ ?

ବୁଝିପାରିଲି ନାହିଁ ତାଙ୍କ କଥା । ପଚାରିଲି, କାହିଁକି, ତମର ଏପରି ଭାବିବାର କାରଣ ?

କହିଲେ, କାରଣ ତୁ ଜାଣୁ ନାହୁଁ ?

କେତେ କଥା ମୋ ମନ ଭିତରେ ଖେଳିଗଲା । ମନର କଥା ଯଦି ଦେଖାଇବାର ଶକ୍ତି ଥାନ୍ତା, ତାହେଲେ ସିନା ମୁଁ ଦୃଢ଼କରି କହିପାରନ୍ତି ମୁଁ କିପରି ତାଙ୍କୁ ଭଲ ପାଏ । କିନ୍ତୁ ସେ ଉପାୟ ତ ନାହିଁ । ଭଲ ପାଇବାର ଶେଷ ଯଦି ଦେହ ଦେହର ମିଳନରେ ହୁଏ, ତେବେ ମୁଁ ପ୍ରତାରାଣା କରିଛି-। ମୁଁ ଦୋଷୀ । ଦେହଟାକୁ ତାଙ୍କର ତୃପ୍ତି ପାଇଁ ଉତ୍ସର୍ଗ କଲେ ଯଦି ସେ ପ୍ରମାଣ ପାଇବେ, ମୁଁ ତାଙ୍କୁ ଭଲ ପାଏ, ତେବେ ତାହାହିଁ ହେଉ ।

ଆଖିରୁ ଲୁହ ପୋଛି କହିଲି, କାରଣ ମୁଁ ଜାଣେ ନାହିଁ । ତୁମରି ମୁହଁରୁ ମୁଁ ଶୁଣିବାକୁ ଚାହେଁ ।

ସେ ଆକାଶକୁ ଚାହିଁ କେତେ ଭାବିଲେ । ଦୀର୍ଘଶ୍ୱାସ ଛାଡ଼ି କହିଲେ, ତୁ ଭାବିଛୁ ଦେହର ମିଳନଟା ମୋ ପକ୍ଷରେ ସବୁଠାରୁ ବଡ଼ ? ତା ନୁହଁ, ଦେହ ଅପେକ୍ଷା ମନଟାକୁ ବଡ଼ ବୋଲି ମଣେ । ଉତ୍ତେଜନାରେ କେବେ କେବେ ଇଚ୍ଛା ହୁଏ, ତୋତେ ଅତି ପାଖରେ ପାଇବାକୁ, କିନ୍ତୁ ସବୁଦିନେ ବାଧା ଦେଇ ଆସିଛୁଁ । ମୁଁ ପ୍ରତିବାଦ କରିନାହିଁ, ଅଭିମାନ କରିନାହିଁ । ପାହାଡ଼ ପରି ତୋରି ଅଟଳ ଧୈର୍ଯ୍ୟକୁ ମନେ ମନେ ପ୍ରଶଂସା କରିଛି । କିନ୍ତୁ ଫୁଲ, ତୁ ମତେ ଯେତିକି ଆଡ଼େଇ ଦେଉ, ମୋ ଆଖିରେ ତୁ ସେତିକି ବଡ଼ ଦେଖାଯାଉ । ଯେତିକି ତୁ ଦୂରରେ ରହିବା ଚେଷ୍ଟା କରୁ, ସେତିକି ତୁ ମୋର ହୃଦୟର ପାଖକୁ ଘୁଞ୍ଚିଆସୁ । ତଥାପି ମଣିଷ ସବୁବେଳେ ମଣିଷ । ରକ୍ତ ମାଂସର ଆକର୍ଷଣ, ରୂପର ମୋହ, ବୟସର ଉତ୍ତେଜନା ବେଳେବେଳେ ମନକୁ ବିଚଳିତ କରେ । ଆଉ ଯଦି ସେହି ମୁହୂର୍ତ୍ତରେ ମଣିଷ ନିଜକୁ, ସଂସାରକୁ ଭୁଲି ନଇଁପଡ଼େ, ତା ଦୋଷ ଏଡ଼େ ବଡ଼ ଯେ, ତୁ ତଡ଼ିଦେଉ ଆଖିଆଗରୁ ? ତା’ର ଭଲ ପାଇବାର କିଛି ମୂଲ୍ୟ ନାହିଁ ।

ଆଖିରେ ଲୁହ ଭରିଗଲା । ତାଙ୍କର ମୁହଁକୁ ଚାହିଁ କହିଲି, ତେମେ ମତେ ଏତେ ଭଲପାଅ ଗୁଣନନା ? କାହିଁକି? କେତେଦିନ ବା ଭଲ ପାଇ ପାରିବ ? କାଲି ଯେତେବେଳେ ତମର ସ୍ତ୍ରୀ ଆସି ତମର ଘର ଉଜ୍ଜ୍ୱଳ କରିବେ, ତେମେ ଆଉ ମତେ ଭଲ ପାଇ ପାରିବ ? ଆଜି ଯେଉଁ ଆଖିରେ ମତେ ଦେଖୁଛ, ସେତେବେଳେ ମତେ ସେହି ଆଖିରେ ଦେଖିପାରିବ ?

ମନଭୁଲା ଆଖିରେ ସେ ମୋତେ ଚାହିଁଲେ । କପାଳ ଉପରେ ହାତ ବୁଲାଇ ବ୍ୟଥାଭରା ସ୍ୱରରେ କହିଲେ, କ’ଣ କଲେ ତୁ ମୋ କଥାରେ ବିଶ୍ୱାସ ଯିବୁ ? ଯେ ଆସିବ ସେ ଘରର ଘରଣୀ ହୋଇ ଆସିବ; ମୋ ହୃଦୟର ରାଣୀ ହୋଇ ତ ଆସିବ ନାହିଁ ।

ପଚାରି ଦେଲି, ସେ ଯଦି ମୋଠାରୁ ବେଶୀ ସୁନ୍ଦର ହୋଇଥାନ୍ତି ! କହିଲେ, ଦୁନିଆର ଆଖିକି ସେ ହୁଏତ ସୁନ୍ଦର ହେବେ, ମୋ ଆଖିକି ତୋ ଛଡ଼ା ଆଉ କେହି ସୁନ୍ଦର ଦିଶେ ନାହିଁ । ଭଲ ପାଇବାଟା ଖାଲି ସୁନ୍ଦରପଣର ସୀମା ଭିତରେ ଆବଦ୍ଧ ରହେ ନାହିଁ । ସେ ତୁନି ହେଲେ । ମୁଁ କହିଲି ତେମେ ଶୁଣିଥିବ, ମୋର ବାହାଘର ପାଇଁ ମା ବ୍ୟସ୍ତ ହୋଇପଡ଼ିଲାଣି, କିନ୍ତୁ, ମୁଁ ବାଧା ଦେଉଛି କାହିଁକି ତୁମେ ଜାଣ ?

ଆଗ୍ରହରେ କହିଲେ, ଜାଣେ । ତୁ ମତେ ଭଲପାଉ ।

 

କହିଲି, ତୁମେ ମତେ ଭଲ ପାଅ, ତଥାପି ତ ସ୍ତ୍ରୀ ଆଣିବାକୁ ଯାଉଛ । ସେହିପରି ଯଦି ମୁଁ ବିବାହ କରେ, ଆଜି ତେମେ ମୋତେ ଯେଉଁ ଆଖିରେ ଦେଖୁଛ, ସେତେବେଳେ ସେହି ଆଖିରେ ଦେଖି ପାରିବ ? ବିବାହ ଓ ପ୍ରେମ ଦୁଇଟା ଅଲଗା କଥା ?

ସେ ମୋ ମୁହଁକୁ ସନ୍ଦେହଭରା ଆଖିରେ ଚାହିଁଲେ, କେତେବେଳକେ ପଚାରିଲେ, ତୁ ବାହା ହୋଇଯିବୁ ଫୁଲ ?

ମୁଁ ସଳଖ ହୋଇ ବସି କହିଲି, ଚିରଦିନ ଏମିତି ଅଭିଆଡ଼ୀ ହୋଇ କେହି ରହେ ନାହିଁ । ମୁଁ ତମକୁ ଯେତେ ଭଲପାଏ ପଛେ ଅନ୍ତତଃ ଲୋକଲଜ୍ଜାକୁ ଡରି ମୋତେ ଦିନେ ପରଘରକୁ ଯିବାକୁ ହେବ । ଆଉ, ଯେଉଁଦିନ ମୁଁ ପରକୁ ନେଇ ସଂସାର କରିବାକୁ ଯିବି, ପିଲାଦିନର ଏ ସବୁ ସ୍ମୃତି ପଛରେ ପଡ଼ି ରହିବ । ଗୋଟାଏ ସ୍ୱପ୍ନ, ଗୋଟାଏ ଝାପ୍‌ସା ଛାଇପରି ସବୁ ଭୁଲିଯିବି ।

ପଚାରିଲେ, ଭୁଲିପାରିବୁ ତ ?

କହିଲି, କହିପାରୁନାହିଁ କ’ଣ ହେବ, କିନ୍ତୁ ନ ଭୁଲି ଆଉ ଉପାୟ କ’ଣ ଅଛି ? ମଣିଷ ଯଦି ବଞ୍ଚିରହିବାକୁ ଚାହେଁ, ତାକୁ କେତେ କଥା ଭୁଲିବାକୁ ପଡ଼ିବ । ଯାହା ସଙ୍ଗେ ଜୀବନ ମରଣର ସମ୍ପର୍କ, ଯାହା ସଙ୍ଗେ ସୁଖ ଦୁଃଖର ସ୍ୱାର୍ଥ ଜଡ଼ି ରହିବ, ତାକୁ ଅବହେଳା କି ପ୍ରତାରଣା କରିହେବ ନାହିଁ । ତା ସଙ୍ଗେ ଲୁଚକାଳି ଖେଳି ହେବ ନାହିଁ । ସେଇଟା ଅଧର୍ମ, ସେଇଟା ପାପ । ତେଣୁ ଯାହାର ମୁଁ ହାତ ଧରି ଯିବି, ତାକୁ ମନପ୍ରାଣ ଦେଇ ଭଲପାଇବି ।

ଗୁଣ ଭାଇଙ୍କ ହାତ ପାପୁଲିକୁ ମୁଠାଇ ଧରି ଅନୁରୋଧ କଲି କହ ଗୁଣ ଭାଇ ! ଏହାଛଡ଼ା ଅନ୍ୟ କି ଉପାୟ ଅଛି? ତେମେ ମୋତେ ଭଲପାଅ, ମୁଁ ତୁମକୁ ଭଲ ପାଏ, କିନ୍ତୁ ଯେଉଁ ତୃତୀୟ ଲୋକଟି କାଲି ଆସି ଆମର ଏହି ଭଲପାଇବାର ସୁଅ ମଝିରେ ପ୍ରତିବନ୍ଧକ ହୋଇ ଠିଆହେବ, ତାର ପ୍ରଭାବ ତ ଜୀବନ ଉପରେ ଅଳ୍ପ ନୁହେଁ ? ସେହି ପ୍ରତିବନ୍ଧକକୁ ଡେଇଁ ଆସିବାର ସାହସ ତମର ରହିବ ନାହିଁ ।

ସେ କହିଲେ, ଆଜିଠାରୁ ଏ କଥାର ଉତ୍ତର ତୋତେ ଦେବାକୁ ମୁଁ ଚାହେଁ ନାହିଁ । ମଣିଷ ହୃଦୟରେ ଯାହା ଅନୁଭବ କରେ, ମନରେ ଯାହା ପାଞ୍ଚେ, ତୁଣ୍ଡରେ କହିଲେ ତାର ମୂଲ୍ୟ କମିଯାଏ-। ମଣିଷର କାର୍ଯ୍ୟ ଉଦ୍ଦେଶ୍ୟର ପରିଚୟ ଦିଏ । ଟିକିଏ ରହି କହିଲେ, ଯେଉଁ ପ୍ରତିବନ୍ଧକ କଥା କହୁଛୁ, ତାହା ଯେ ଦିନେ ଆସିବ, ଏ କଥା ମୁଁ ଭଲକରି ଜାଣିଥିଲି; ତଥାପି ମୁଁ ତତେ ଭଲ ପାଇଛି । ପ୍ରତିବନ୍ଧକକୁ ଦୂର କରିହେବ ନାହିଁ ସିନା, ଏଡ଼ିଦେଇ ଆସିବା କଷ୍ଟ ହେବ ନାହିଁ ।

କହି ଆସୁଥିଲି, ଭଲପାଇବାଟାକୁ ଯଦି ଏତେବଡ଼ ଭାବୁଛ, ତେବେ ତାରି ପାଇଁ ସ୍ୱାର୍ଥକୁ ପଛରେ ରଖି ଆସୁନା ? ଜାତିର ଡର, ଲୋକନିନ୍ଦାର ଭୟ, ସମ୍ପତ୍ତିର ଲୋଭ–ଏଇସବୁ ତମ ମନର ସ୍ୱାଧୀନତାକୁ ବାନ୍ଧିରଖିଛି । ତମର ଭଲ ପାଇବାଟା ଗୋଟାଏ ସାମୟିକ ଉତ୍ତେଜନା । ତୁଣ୍ଡ ଖୋଲିଲା ନାହିଁ ।

ସେ ଉଠି ଠିଆ ହେଲେ । ମୁଁ ମଧ୍ୟ ଉଠିଲି । କେତେବେଳୁ ସଞ୍ଜ ବୁଡ଼ିଲାଣି । ଅନ୍ଧାର ଘୋଟିଗଲାଣି ଦୁନିଆଁସାରା । ସେ ବ୍ୟଥାଭରା ସ୍ୱରରେ କହିଲେ, ଯାଉଛି ଫୁଲ ।

କହିଲି, ଚାଲ, ତୁମକୁ ମୁଁ ତୋଟା ସେପାଖ ଛାଡ଼ିଦେଇ ଆସିବି ।

ସେ ବାରଣ କଲେ । ଯିବା ଆଗରୁ ଅନ୍ଧାରରେ ମୋ’ର ହାତ ଧରି କହିଲେ, ଫୁଲ ଗୋଟାଏ କଥା କହିବି, କିଛି ମନେକରିବୁ ନାହିଁ ?

ମୁଁ କହିଲି, କୁହ ।

ଟିକିଏ ଭାବିଲେ । କହିଲେ, ନା, ନା, ଥାଉ । ଯାହା କହିବି ହୁଏତ ସ୍ଥିର ହୋଇ ଭାବିବା ଭଳି ଅବସ୍ଥା ତୋର ମନର ନାହିଁ । କହିବି, ସମୟ ଆସୁ ।

ସେ ଚାଲିଗଲେ । ଅନ୍ଧାର ଭିତରେ ଛପିଗଲେ । ମୁଁ କେବଳ ଥକ୍କା ହୋଇ ଚାହିଁ ରହିଥାଏ । ଚାରିଆଡ଼ ଶୂନ୍‌ଶାନ । ସେଇ ଶୂନ୍ୟତା ଯେପରି ମନ ଭିତରେ କହିଉଠୁଛି, ନିଆଁ ସଙ୍ଗେ ଆଉ ଖେଳ ନା ଫୁଲ, ଜଳିଯିବୁ, ପୋଡ଼ି ଯିବୁ, ପଛେଇ ଆ– ।

ଦୁଇଦିନ ବିତିଲା । ଘରୁ ବାହାରି ନାହିଁ । ନିଧିସା’ନ୍ତଙ୍କର ନିମିତ୍ତ ବୋଲି ମା ଯାଇଁ ସବୁବେଳେ ତାଙ୍କ ଘରେ ପଶିଥାଏ । ରାତି ଅଧରେ ଆସେ । ମୋ ସଙ୍ଗେ କଥାବାର୍ତ୍ତା କରିବାକୁ ବେଳ ପାଏ ନାହିଁ । ରାତି ପାହାନ୍ତାରୁ ମଧୁପୁର ଗାଁ କମ୍ପୁଛି । ରାତି ପାହିଲେ ମିଶ୍ରଘର ବୋହୂ ଆସିବ–ଗୁଣ ନନାଙ୍କ ସ୍ତ୍ରୀ । ନିଦଟା କେତେବେଳୁ ଭାଙ୍ଗିଯାଇଥିଲା । ମନରେ ବାରଚିନ୍ତା, ବାରକଥା ପଡ଼ୁଥିଲା । ଦୁଇଦିନ ଭିତରେ ଗୁଣନନା ଥରଟିଏ ଆସିଥିଲେ–ଦି ପହରେ । ବେଶି କିଛି କହି ନାହାନ୍ତି । ମୋର ମଧ୍ୟ ପଚାରିବାର କୌଣସି କଥା ନ ଥିଲା । ଏଣୁ ତେଣୁ ଦିପଦ କହି ସେ ଚାଲିଗଲେ । ମୋର ମନେ ହେଲା, କ’ଣ ଗୋଟାଏ କହିବି କହିବି ହୋଇ ସେ କହିପାରନ୍ତି ନାହିଁ ।

ତହିଁ ଆରଦିନ ଗାଧୁଆ ବେଳ ଗଡ଼ିଗଲାଣି । ଟାଇଁଟାଇଁଆ ଖରାରେ ମା ଆସି ଘରେ ପହଞ୍ଚିଲା । ମୁଁ ଘରେ ନଡ଼ିଆ ଚାଞ୍ଚରା ପାରି ଉପରକୁ ଚାହିଁ ଶୋଇଛି । ମା ମୋତେ ଡାକି କହିଲା, ଶୋଇଛୁ କିଲୋ ଫୁଲ, ଉଠିବୁ ନାହିଁ ?

ମୁଁ ଉଠି ବସିଲି । ଦେଖିଲି ମା ଖଣ୍ଡିଏ ଫୁଲଧଡ଼ିଆ ନୂଆ ଲୁଗା ପିନ୍ଧିଛି, ଛୋଟ ପୁଡ଼ାଟିଏ ହାତରେ ଧରିଛି । କହିଲା, ନେ’ଲୋ ଫୁଲ । ନାନୀ ତୋ ପାଇଁ ଘି’ପିଠା ଦେଇଛନ୍ତି । ମୁଁ କହିଲି, ରଖିଥା ତୁ । ମୋ’ର କିଛି ଖାଇବାକୁ ଇଚ୍ଛା ହେଉନାହିଁ ।

ମୋ କଥାରେ କାନ ନ ଦେଇ ସେ କହିଲା, ଯେତେ କହିଲି ତୁ ଶୁଣିଲୁ ନାହିଁ ଲୋ ମା । ଯାଇଥାନ୍ତୁ, ନିଧି ସା’ନ୍ତଙ୍କ ବୋହୂକୁ ଦେଖି ଆସିଥାନ୍ତୁ । ଗାଁଯାକ ସମସ୍ତେ ଗଲେ, ଏକା ତୁ ରହିଛୁ ବାକୀ । ସାକ୍ଷାତ୍‌ ଲକ୍ଷ୍ମୀପରି ରୂପ ଚାନ୍ଦଉଦିଆ ! ଚାହିଁଦେଲେ ପେଟ ପୂରିଉଠୁଛି । ଏଡ଼ିକି ଟିକେ ପିଲା, କଥା ଚଉଦ ପନ୍ଦରର ଝିଅ । ଯାହାର ମନ ଯେମିତି ସେ ପାଏ ସେମିତି । ପିଲାଟି ଏକା ଗୁଣନାଖି ହୋଇଛି ।

ମା ମୁହଁରୁ କଥାଗୁଡ଼ାକ ଶୁଣି ମତେ ଖରାପ ଲାଗିଲା । ମନ ଭିତରେ ମୁଁ ଗୁଣି ହେଲି, ମୋଠୁଁ ସେ ସୁନ୍ଦର?

ମା କହିଲା, ମିଶ୍ରଙ୍କର ହାତମୁଠା ଆଜି ଖୋଲି ଯାଇଛି । ଦୁଃଖୀରଙ୍କୀ ଗଲାଅଇଲା, କେହି ଆଉ ତାଙ୍କଘରୁ ଖାଲି ପେଟରେ ଖାଲି ହାତରେ ଫେରୁ ନାହିଁ । ଦୁଃଖୀରଙ୍କୀ ଦେଖି ନୁଗାପଟା ବି ଦେଉଛନ୍ତି ନିଜ ହାତରେ । ମା କହିବାକୁ ଲାଗିଲା, କାଲି ତୁ ଯିବୁ ଫୁଲ, ନିଜ ଆଖିରେ ଦେଖିଆସିବୁ । ବୁଢ଼ୀନାନୀ କେତେକରି କହିଛନ୍ତି ।

ମୁଁ ପାଟି ଖୋଲିଲି, କାହିଁକି ମଁ, ବୁଢ଼ୀନାନୀଙ୍କର ହାତଗଲୁ ମରି ନାହିଁକି ? ନଡ଼ିଆ ସଡ଼େଇ ମାଡ଼ରେ ମୋ’ ମୁଣ୍ଡ ଦରଜ ଯାଇ ନାହିଁ । ତାଙ୍କ ଦୁଆରକୁ ଆଉ ଯିବି ? ତାଙ୍କର କିଏ ଖାଏ ନା ଧାରେ ? ମା ମୋ ଓଠ ଧରି କହିଲା, ରାଗ ରୋଷରେ କେତେବେଳେ କ’ଣ ହୋଇଥାଏ, ସେ କଥା କି ସବୁଦିନେ ରହେ ? ପର ଦୁଆରେ ଠିଆ ନ ହେଲେ ଆମର ପେଟପାଟଣା ଚଳିବ ନାହିଁ । ଆମର କି ରୁଷା ? ଋଷିଲେ ନିଜ ସେରକ ହାନି ହେବ ସିନା !

କିଛି ଉତ୍ତର ଦେଲି ନାହିଁ ।

ମାଈ ସଞ୍ଜବେଳେ । ପିଣ୍ଡାରେ ବସି ଏଣୁତେଣୁ କେତେକଥା ଭାବୁଛି । ଦେଖିଲି, କାନ୍ଧରେ ଗାମୁଛା ଖଣ୍ଡେ ପକାଇ ଗୁଣ ସା’ନ୍ତେ ତୋଟାଆଡ଼ୁ ଆସୁଛନ୍ତି ।

କେତେ ଥର ତ ଆସନ୍ତି, ତାଙ୍କୁ ଦୂରରୁ ଦେଖିଲେ, ଖୁସି ଲାଗେ; କିନ୍ତୁ ସେ ଦିନ କାହିଁକି ଖରାପ ଲାଗିଲା । ଛାତି ଭିତରେ ଦୁଃଖ କି ଅଭିମାନର କୋହ ତୁହାଇ ଉଠିଲା ।

ସେ ପାଖେଇ ଆସିଲେ । କ’ଣ କରିବି, କେମିତି କ’ଣ କହିବି ମୋତେ ବୁଦ୍ଧି ଦିଶିଲା ନାହିଁ । ସେ ଯେତିକି ପାଖେଇ ଆସୁଥାନ୍ତି, ମତେ କାହିଁକି ସେତିକି କାନ୍ଦ ମାଡ଼ୁଥାଏ । ମନ ହେଉଥାଏ, ମା କେମିତି ଆସି ପହଞ୍ଚନ୍ତା କି, ମୁଁ ନିଶ୍ଚିନ୍ତ ହୁଅନ୍ତି; କିନ୍ତୁ ମା’ ଆସିବାର ବେଳ ହୋଇନାହିଁ ।

ଛାତିର ଦୁଃଖ ଆଉ ସହିହେଲା ନାହିଁ । ଗୋଟାଏ ଖିଆଲରେ ଘର ଭିତରକୁ ଉଠିଗଲି । କବାଟ ଆଉଜାଇ ନେଇ ବାହୁ ଉପରେ ମୁଣ୍ଡ ରଖି ତଳଟାରେ ଶୋଇପଡ଼ିଲି । କାନ୍ଦଣାକୁ ଯେତେ ଚାପିବାକୁ ଚେଷ୍ଟାକଲି, ଚାପି ରଖିପାରିଲି ନାହିଁ । ଦୁଇ ଆଖି ଭରି ଲୁହ ଝରିପଡ଼ିଲା, ଭାରି କୋହ ଉଠିଲା । ଓଠକୁ ଚାପିରଖି କାନ୍ଦିଲି ।

ତାଙ୍କର ଗୋଡ଼ର ଶବ୍ଦ ଶୁଣିଲି। ସତେ ଯେମିତି ସେ ଆସି ଆମର ପିଣ୍ଡା ତଳେ ଠିଆ ହେଲେ । ଡାକିଲେ–ଫୁଲ, ଫୁଲ ! ତାଙ୍କର ସେ ଡାକ କେଡ଼େ କରୁଣ ! ମନ ହେଉଥିଲା ଉଠି ଧାଇଁଯିବି ତାଙ୍କ ପାଖକୁ, ଗଳା ଚାରିପାଖେ ହାତ ବେଢ଼ାଇ କହିବି, ତେମେ ଆସିଛ, ତେମେ ମତେ ଏତେ ଭଲପାଅ ?

ଗୋଡ଼ ଉଠିଲା ନାହିଁ । କୋହ ରହିଲା ନାହିଁ ।

କାନରେ ବାଜିଲା, ପୁଣି ଡାକୁଛନ୍ତି, ଫୁଲ ଲୋ, ଫୁଲ !

ମନ ଟାଣକରି ଦେହ କାଠ କରି ସେମିତି ପଡ଼ି ରହିଲି ମୁହଁରେ ଲୁଗା ଦେଇ । ସେ ଧୀରେ ଧୀରେ କବାଟ ଖୋଲିଲେ । ମୋ’ ପାଖକୁ ଆସି କହିଲେ, ଅବେଳଟାରେ କାହିଁକି ଶୋଇଛୁଲୋ ? ମୁଁ କିଛି କହିଲି ନାହିଁ । ମନ ହେଉଥାଏ କହିବାକୁ, ତେମେ ଯାଅ ଗୁଣନନା । ପୁଣି କାହିଁକି ଆସିଲ ? ଘରେ ମୁଁ ଏକୁଟିଆ ଅଛି । କିଏ ଦେଖିଲେ କ’ଣ ଭାବିବ ?

କିନ୍ତୁ କାହାର ଦେଖିବାର ସମ୍ଭାବନା ନାହିଁ । ଗାଁ ମୁଣ୍ଡରେ କଣଆଡ଼ିଆ ଆମର ଘର । ତିନିବର୍ଷ ହେଲା ଏଇଠି ତ କେତେଦିନ କେତେରାତି କଟିଛି । କେହି ଦେଖି ନାହାନ୍ତି ।

ସେ ମୋ’ର ମୁଣ୍ଡ ଉପରେ ହାତ ରଖି କହିଲେ, ଫୁଲ ଉଠିବୁ ନାହିଁ, କଥା କହିବୁ ନାହିଁ-?

କହିଲି, ମୋ’ର ଦେହ ଭଲ ନାଇଁ, ମୁଣ୍ଡ ବୁଲାଉଛି ।

ସେ ବିସ୍ମିତ ହୋଇ କହିଲେ, ମୁଣ୍ଡ ବୁଲାଉଛି ? ମୋ’ର ମୁଁହ ଉପରୁ ଲୁଗାଟି ଘୁଞ୍ଚାଇ ଦେଲେ । ଆଖି ଟେକି କହିଲେ, କାନ୍ଦୁଛୁ ? କପାଳ ଉପରେ ହାତ ରଖିଲେ । ମୋତେ ଭାରି ସରମ ଲାଗିଲା, କହିଲି, ମୁଣ୍ତ ବିନ୍ଧୁଛି । ସେ ବସିଲେ । ଦୁଇ ହାତରେ ମୁଣ୍ଡ ଟେକି ତାଙ୍କର ଜଙ୍ଘ ଉପରେ ରଖି କପାଳ ଚିପିବାକୁ ଲାଗିଲେ । ମୁଁ ବାଧା ଦେବାକୁ ସାହସ କଲି ନାହିଁ । ବାଧା ଦିଅନ୍ତି କିପରି ! ତାଙ୍କର ବ୍ୟବହାରରେ ସବୁ ଦୁଃଖ ଅଭିମାନ ଭୁଲି ଯାଇଥିଲି । ମନେ ହେଲା, ଭଲପାଇବାଟା କେବଳ ମନ ମନର ମିଳନ ଉପରେ ନିର୍ଭର କରେ ନାହିଁ । ମନ ଆଡ଼କୁ ମନଟାଣି ହୋଇ ଆସେ ତ, ଏହା ଛଡ଼ା ଭଲପାଇବା ସଙ୍ଗେ ଦେହଟାର ସମ୍ପର୍କ ମଧ୍ୟ ଥାଏ । ମନ ମନର ମିଳନ ଲୋଡ଼ା; କିନ୍ତୁ ଦେହ ଦେହର ମିଳନ ଛଡ଼ା ଭଲପାଇବାଟା ପୂର୍ଣ୍ଣ ହୋଇପାରେ ନାହିଁ ।

ସେ କହିଲେ, ଆଉ ଏ ଅଶାନ୍ତ ଜୀବନ ଭଲ ଲାଗୁ ନାହିଁ । ଜାତିର ଡରରେ କି ଲୋକଦେଖାଣିଆ ମାନ ଖାତିରିରେ ସମାଜ ଭିତରେ ଥାଇ ସମାଜ ସଙ୍ଗେ ଲୁଚକାଳି ଖେଳିପାରିବି ନାହିଁ । ସମାଜକୁ ଅବଜ୍ଞା କରି ଚଳିବାର ସାହସ ନାହିଁ; କିନ୍ତୁ ସମାଜ, ଧନ ସମ୍ପତ୍ତି, ଦେଶ ଛାଡ଼ି ବିଦେଶକୁ ଯିବାକୁ ସାହସ ଅଛି । ଦେହର ଶକ୍ତି ଉପରେ ଭରସା ଅଛି । କହିଲୁ ତୋ’ର ସେ ସାହସ ଅଛି କି ନାହିଁ ?

ଉଠି ବସିଲି । କିଛି ନ କହି ତାଙ୍କର ମୁହଁକୁ ବଲବଲ କରି ଚାହିଁ ରହିଲି । ଆଖି ଲୁହରେ ଭରିଗଲା । ତାଙ୍କର ସେ ସରଳ ନିରୀହ ଚାହାଣୀ ଭିତରେ କି କୁଟିଳତା ରହିପାରେ ? ଅସମ୍ଭବ । ସନ୍ଦେହୀ ମନଟା ସିନା ସନ୍ଦେହ-ଦୋଳାରେ ଏପାଖ ସେପାଖ ହୁଏ, କିନ୍ତୁ ତାଙ୍କର ଦୃଢ଼ତାଟା ତ ହିମାଳୟ ମହାମେରୁ, ଟଳିବ ନାହିଁ କି କଳିହେବ ନାହିଁ । ଆଖିର ଲୁହ ପୋଛି କହିଲି, ତମର ବୀଣା ଦେଈଙ୍କୁ ଛାଡ଼ି ତେମେ କୁଆଡ଼େ ଯିବ ଗୁଣଭାଇ ? ସେ ତମର ସ୍ତ୍ରୀ, ଘରର ଲକ୍ଷ୍ମୀ । ତଣ୍ଟି ବନ୍ଦ ହୋଇ ଆସିଲା !

କହିଲେ, ବୀଣାକୁ ମୁଁ ଭଲ ପାଏ ନାହିଁ । ଘରର ବୋହୂ କରି ତାକୁ ଆଣିଛନ୍ତି, ସେ ଘରର ବୋହୁ ହୋଇ ପାରନ୍ତି; କିନ୍ତୁ ମୋ’ର ସେ କେହି ନୁହନ୍ତି ।

କହିଲି, ତେମେ ତାଙ୍କୁ ବାହା ହୋଇଛ । ସାରାଜୀବନ ତାଙ୍କୁ ନେଇ ସଂସାର କରିବାକୁ ହେବ । ଗୁଣଭାଇ, ତେମେ ଫେରିଯାଅ, ବୃଥା ତାଙ୍କ ମନରେ କଷ୍ଟ ଦିଅ ନାଇଁ ।

ସେ ମୋର ଳୁହଭରା ଆଖିକୁ ଚାହିଁ କହିଲେ, ଯାହାକୁ ଭଲ ପାଏ ନାଇଁ, ତା ପାଖକୁ ଫେରିଯିବି ନାହିଁ ।

ହସିଲି । କହିଲି–କାହିଁକି ତାଙ୍କୁ ଭଲପାଅ ନାଇଁ ? ସେ କଣ ସୁନ୍ଦର ନୁହନ୍ତି ?

କହିଲେ, ଯାହାକୁ ମୁଁ ଭଲପାଏ ତାକୁ ପ୍ରାଣ ଦେଇ ଭଲପାଏ । କିଏ ସୁନ୍ଦର, କିଏ ଅସନ୍ଦୁର ସେ କଥା ମନରେ ପଶେ ନାହିଁ । ବୀଣା ସୁନ୍ଦର କି ଅସୁନ୍ଦର କହିପାରିବି ନାହିଁ, କିନ୍ତୁ ମୋ ଆଖିକୁ ତୋ ଛଡ଼ା ଆଉ କେହି ସୁନ୍ଦର ଦିଶନ୍ତି ନାହିଁ ।

ପରିହାସ କରି ପଚାରିଲି, ତେମେ କ’ଣ ବୀଣା ଦେଈଙ୍କୁ ସତରେ ଦେଖି ନାହଁ ଗୁଣ ଭାଇ, ସତ କହିଲ ?

ହସିଲି । ଆଗ୍ରହରେ ଚାହିଁଲି ତାଙ୍କ ଆଖିକୁ ।

ସେ କହିଲେ, ଥରୁଟିଏ ଦେଖା, କିନ୍ତୁ ସେ ଯେଉଁ ଯନ୍ତ୍ରଣା, କଥାରେ କହିପାରୁ ନାହିଁ । ଘରଟି କେଡ଼େ ସୁନ୍ଦର ହୋଇ ସଜା ହୋଇଥିଲା ଆଗରୁ । ସେ ସାହିର ଗୋକୁଳ ଭାଇନାଙ୍କ ସ୍ତ୍ରୀ, ସେ ଆସି ଆମ ଘରେ ଅଛନ୍ତି । ସେହି ତ ସବୁ ଅଶାନ୍ତିର ମୂଳ । ରାତି ଅଧରେ ମୋତେ ଡାକି ନେଇଗଲେ । ଥଟ୍ଟାରେ କେତେ କଥା କହିଲେ । ଭାରି ଖରାପ ଲାଗୁଥାଏ । ମୋତେ ସେ ସଜା ହୋଇଥିବା ଘରେ ଛାଡ଼ିଦେଇ ଗଲେ । ସେ ଘରେ ତ କେହି ନାହିଁ, ପଲଙ୍କ ଉପରେ ତୁନି ହୋଇ ଶୋଇଲି । ନିଦ ହୋଇଗଲା ।

କେତେବେଳକେ ନିଦ ଭାଙ୍ଗିଲା । ଆଖି ମେଲିଲି, ଖଟବାଡ଼କୁ ଆଉଜି ଝିଅଟିଏ ଠିଆହୋଇଛି । ଆଲୁଅଟା ସିଧା ପଡ଼ୁଛି ତା ମୁହଁରେ । ମୋତେ ଦେଖି ସରମରେ ସେ ଓଢ଼ଣା ଟାଣିଲା, ମୁହଁ ବୁଲାଇଲା । ସେତିକିବେଳେ ତୁ ମୋ’ର ମନେପଡ଼ିଥିଲୁ ଫୁଲ । ଇଚ୍ଛା ହେଉଥିଲା ଉଠି ଆସିବି ତୋରି ପାଖକୁ । ଆସିପାରିଲି ନାହିଁ ଦି’ଟା କାରଣରୁ । କହିବି, ତୁ ଶୁଣିବୁ ?

ମୁଁ କହିଲି, କହ ଗୁଣଭାଇ, ମୋର ଅପରାଧ କ’ଣ ?

କହିଲେ, ଅପରାଧ ନୁହେଁ, ତୋର ସନ୍ଦେହ । ମୁଁ ତତେ ଯେପରି ସରଳ ବ୍ୟବହାର କରେ, ତୁ ତ ତାହା ବୁଝୁନାହୁଁ । ତୁ ଯେପରି ଗୋଟାଏ ସନ୍ଦେହ ଆଖିରେ ମତେ ଦେଖୁ । ଯଦି ରାତି ଅଧରେ ଉଠି ଆସିଥାନ୍ତି ତୁ ମତେ ଗ୍ରହଣ କରିପାରିଥାନ୍ତୁ ?

କହିଲି ସେତେବଳେ କ’ଣ ହୋଇଥାନ୍ତା କହିପାରୁନାହିଁ, କିନ୍ତୁ ଦେଖୁଛି ସନ୍ଦେହଟା ତ ତମରି ମନରେ ରହିଛି । ଯାହାହେଉ, ତମକୁ ଆଦର କରି ନେବାରେ କ’ଣ ବାଧା ନାହିଁ ? ଟିକିଏ ରହି ପଚାରିଲି, ଆର କାରଣଟି ?

ରହି ରହି କହିଲେ, ଯଦି ଉଠିଆସିଥାନ୍ତି, ରାତି ନ ପାହୁଣୁ ଘରେ ନିଆଁ ଲାଗି ସାରନ୍ତାଣି-। ସମସ୍ତେ ଜାଣନ୍ତେ, କେତେ ଆନ୍ଦୋଳନ ହୁଅନ୍ତା । ତୋର ବିନା ପରାମର୍ଶରେ ଏତେକଥା ହେବାକୁ ଦେବି ନାହିଁ ।

ପାହାନ୍ତିଆ କାଉର ଡାକରେ ନିଦ ଭାଙ୍ଗିଲା । ଉଠି ଦେଖିଲି, ବୀଣା ସେଇ ଘର ତଳଟାରେ; କାନିପାରି ଶୋଇପଡ଼ିଛନ୍ତି । ଖଟ ଉପରୁ ଉଠିଆସିଲି । ନଇଁପଡ଼ି ଥରଟିଏ ତାଙ୍କର ମୁହଁକୁ ଚାହିଁଲି–ଆଖି କୋଣରେ ଲୁହ ଲାଗି ରହିଛି ।

ଗୁଣନନା ତୁନି ହେଲେ ବୋଧହୁଏ ମୋ’ର ଆଖିରେ ଲୁହ ଦେଖି । ବ୍ୟସ୍ତ ହୋଇ କହିଲେ, ମୋର ଅପରାଧ ହୋଇଛି ଫୁଲ ? ଶୋଇଲା ବୀଣାର ମୁହଁ ଉପରକୁ ନଇଁପଡ଼ି ତାଙ୍କର ଆଖିର ଲୁହ ଦେଖି ଦୁର୍ବଳ ମନଟା ନଇଁଯିବା କେଡ଼େ ସ୍ୱାଭାବିକ; କିନ୍ତୁ ଫୁଲ ତୁଇ-ତୁଇ ମତେ ସେ ବିପଦରୁ ରକ୍ଷା କରିଛୁ, ତୋର ସୁନ୍ଦର ମୁହଁ ଢଳଢଳ ଆଖି ମୋରି ଆଗରେ ଉଭା ହୋଇଗଲା । ବୀଣା ଉଠି ବସିଲେ । ଥରଟିଏ ତାଙ୍କ ଆଡ଼କୁ ନ ଚାହିଁ ଘରୁ ବାହାରି ଆସିଲି ।

ଆଖିରୁ ଲୁହ ପୋଛିଲି । ସଞ୍ଜ ଅନ୍ଧାର ମାଡ଼ି ଆସିଛି । ଦୁହେଁ ତୁନି ହୋଇ ବସିରହିଲୁ ।

କେତେବେଳକେ ସେ ମୋର ହାତ ଧରିଲେ, କହିଲେ, ତୁ ବଡ଼ ନିଷ୍ଠୁର ଲୋ ! ଯିଏ ମୋତେ ତାର ସର୍ବସ୍ୱ ଦେଇ ଖାଲି ଟିକିଏ ଆଦର, ଟିକିଏ ସ୍ନେହ ଆଶା କରେ, ତାକୁ ମୁଁ ଗୋଡ଼ରେ ଠେଲିଦେଇ ଆସିଛି, ଆଉ ତୁ, ଯାହାରି ପାଇଁ ମନପ୍ରାଣ ସବୁ ଉତ୍ସର୍ଗ କରିଛି, ତୁ ମୋତେ ଠେଲି ଦେବାକୁ ସାହସ କରୁଛୁ ।

ତାଙ୍କର କଥା ମୋର କାନରେ ବାଜୁଥାଏ ସତ; କିନ୍ତୁ ମୁଁ ତ ସେତେବେଳେ ସେ କଥା ଭାବୁ ନ ଥିଲି; ଭାବୁଥିଲି ବୀଣାଦେବୀଙ୍କ କଥା । କେଡ଼େ ଆଗ୍ରହ କେଡ଼େ ଉତ୍କଣ୍ଠାରେ ସେ ତାଙ୍କ ଅଚିହ୍ନା ସ୍ୱାମୀର ଗୋଡ଼ତଳେ ଜୀବନ ଯୌବନ ଉତ୍ସର୍ଗ କରିବାକୁ ଆସିଥିଲେ, କେତେ ଆଶା କେତେ ଆକାଂକ୍ଷା ଘେନି, କିନ୍ତୁ କ’ଣ ହେଲା ?

କହି ପକାଇଲି, କେଡ଼େ ନିଷ୍ଠୁର ତେମେ ଗୁଣଭାଇ, କେଡ଼େ ପଥର ତମର ଛାତି ।

 

ମୋର କଥାର ଅର୍ଥ ସେ କ’ଣ ବୁଝିଲେ କେଜାଣି ପାଗଳ ପରି ମୋତେ ତାଙ୍କର ଛାତି ଉପରକୁ ଟାଣିନେଲେ । କାନ ପାଖରେ କହିଲେ ନିଷ୍ଠୁର ମୁଁ ନୁହେଁ ଫୁଲ, ନିଷ୍ଠୁର ତୁ । ତୋର ଛାତିଟା ପଥରରେ ଗଢ଼ା ।

ତାଙ୍କର ଛାତି ଉପରେ ମୋର ଦେହଟା ଥରିଉଠିଲା । ବାଧାଦେଇ ଉଠିଯିବାକୁ ଇଚ୍ଛା ହେଉଥିଲେ ମଧ୍ୟ ଉଠିଯାଇ ପାରିଲି ନାହିଁ । ଆଖି ଆଗରେ ଗୋଟାଏ ଲୁହମୁହାଁ ଝିଅର ଶୁଖିଲା ମୁହଁ ଭାସିଉଠିଲା । ସଞ୍ଜ ଅନ୍ଧାର ଘନେଇ ଆସିଲାଣି ।

ତାଙ୍କର କୋହଳ ବାହୁ ବନ୍ଧନରୁ ନିଜକୁ ମୁକ୍ତ କରି କହିଲି, ମା ଆସିବାର ବେଳ ହେଲାଣି । ଉଠି ଆସିଲି ପଦାକୁ ।

ପିଣ୍ଡା ଖୁଣ୍ଟକୁ ଆଉଜି ଠିଆହେଲି । ସେହି ଖୁଣ୍ଟରେ ମୁହଁମାଡ଼ି କଇଁ କଇଁ ହୋଇ କାନ୍ଦିଉଠିଲି । ଗୁଣନନା ପାଖକୁ ଆସି ଭଙ୍ଗା ସ୍ୱରରେ କହିଲେ, ଫୁଲ, ତୁନି ହ । ମୁଁ ନିର୍ବୋଧ, ତୋ ପ୍ରତି କଠୋର ହୋଇଥିଲି ।

ମୁହଁ ଟେକି କହିଲି, ତେମେ ଆଜି ଯାଅ ଗୁଣନନା । ହେଇଟି ମା’ର ଡାକ ଶୁଭୁଛି ଦୂରରୁ-

ସତରେ ଏକା, ତୋଟାଆଡ଼ୁ ମା ମୋ ନାଁ ଧରି ଡାକ ଛାଡ଼ିଛି, ବୋଧହୁଏ ଆଲୁଅ ଦେଖାଇବାକୁ ।

କିଛି ନ କହି ସେ ଚାଲିଗଲେ ।

ଦୁଇଦିନ କଟିଲା । ସେ ଆମ ଘରଆଡ଼େ ଆସିଲେ ନାହିଁ । ଗତକଥା ସବୁ ଭୁଲିଯିବାକୁ ଦିନରାତି କାମରେ ଲାଗିଥାଏ । ମନ ଭିତରେ ଦୁଇଟା ଭାବନା ଜାଗିଉଠେ । ଗୁଣଭାଇ ଆସୁନାହାନ୍ତି, ନିଶ୍ଚୟ ସେ ବୀଣାଦେବୀଙ୍କୁ ଦେଖି ମତେ ଭୁଲିଗଲେ ସତେ ? କାହିଁକି ତେବେ ସେଦିନ ସଞ୍ଜବୁଡ଼େ ଏଡ଼େ ଅଭିନୟ କଲେ ? ପରୀକ୍ଷା କରୁଥିଲେ ? କିନ୍ତୁ, କାହିଁକି ? ସେ କ’ଣ ଆଶା କରନ୍ତି, ତାଙ୍କରି ତୃପ୍ତି ପାଇଁ ବର୍ତ୍ତମାନ ଭବିଷ୍ୟତ ସବୁ ଭୁଲି ନିଜକୁ ତାଙ୍କରି ଉତ୍ତେଜନା ନିଆଁରେ ଆହୂତି ଦେବି ? ଅଜଣା ସେହି ଝିଅଟିର ଢଳଢଳ ଆଖି ଠିଆହୁଏ ମୋର ମନ ଆଗରେ-। ଯେପରି କରୁଣ ସ୍ୱରରେ କହିଉଠେ, ଫୁଲ, ମୋର ଇହକାଳ ପରକାଳର ଗତି ମୁକ୍ତି ଯିଏ, ତାଙ୍କର ମନଟାକୁ ଚୋରିକରି ନେଉଛୁ କାହିଁକି? ମୋର ସ୍ୱାମୀଙ୍କ ଉପରେ ତୋର କି ଅଧିକାର–

ଜଳିଉଠେ ମନ ଭିତରେ ପ୍ରତିହିଂସା ନିଆଁ । ମୁଁ କ’ଣ ତାଙ୍କୁ ମନପ୍ରାଣ ଦେଇ ଭଲପାଏ ନାହିଁ ? ହାତଗଣ୍ଠିର ଅଧିକାରଟା ଦୁନିଆଁ ଆଖିରେ ଯେତେବଡ଼ ହେଲେ ବି ମୋ ଆଖିରେ ବଡ଼ ନୁହେଁ ।

ଆହା, ନିରୀହା ବାଳିକାଟି, ଜାଣେ ନାହିଁ ପ୍ରେମ କ’ଣ, ବୁଝେ ନାହିଁ ସ୍ୱାମୀର ମୂଲ୍ୟ, ଶିଖି ନାହିଁ ଛଳନା । କାହିଁକି ସେ କାନ୍ଦି କାନ୍ଦି ତଳେ ଶୋଇଲା ? ନିଜର ଅଧିକାର ଯଦି ସେ ବୁଝି ଥାଆନ୍ତା, ସ୍ୱାମୀ ଦେବତାର ଗୋଡ଼ ଧରି ଯଦି ସେ କହିଥାନ୍ତା, ମୋତେ ଗୋଡ଼ରେ ଠେଲିଦିଅ ନାହିଁ, ମୁଁ ତମର ଦାସୀ, ତମେ ମୋର ଦେବତା, କିଛି ମାଗୁ ନାହିଁ, ପୂଜାର ଅଧିକାର ଦିଅ । ପୂଜାର ଅଧିକାର–

ଚମକି ପଡ଼ିଲି ନିଜ ଚିନ୍ତାରେ । ପୂଜାର ଅଧିକାର ! ସତେ ତ ! ତେବେ କ’ଣ ସେହି ବାଳିକାର ପୂଜା ଏଡ଼ିଦେଇ ଗୁଣଭାଇ ଆସି ନାହାନ୍ତି । ନିର୍ବୋଧ ସେ ନୁହେଁ, ନିର୍ବୋଧ ମୁଁ । ଦେବତା ମୋର ଦୁଆରେ । ପୂଜା ଘେନିବାକୁ କେବେ ଆସି ନାହାନ୍ତି, କେବେ ଚାହିଁ ନାହାନ୍ତି, ଚାହିଁଛନ୍ତି ଟିକିଏ ମମତା, ଟିକିଏ ସହାନୁଭୂତି । ପାଇ ନାହାନ୍ତି, ଫେରିଛନ୍ତି ନିରାଶ ହୋଇ ।

ପ୍ରାଣ ଅସ୍ଥିର ହୁଏ । ଯନ୍ତ୍ରଣା ସହିପାରେ ନାହିଁ । ଭୁଲ କରିଛି । ଆଉ ଭୁଲ କରିବି ନାହିଁ-। ଏଥର ପାଇଲେ ତାଙ୍କୁ ଆଉ ଛାଡ଼ିବି ନାହିଁ । ଯିଏ ଯାହା ଭାବୁ, ଯିଏ ଯାହା କରୁ । ଲାଜ କ’ଣ ? ଭୟ କାହାକୁ ? ମୁଁ ତାଙ୍କୁ ଭଲପାଏ, ସେ ମୋତେ ଭଲପାଆନ୍ତି । ସଂସାର ଜାଣୁ, ମୋତେ ସମସ୍ତେ ଘୃଣା କରନ୍ତୁ । ସେ ତ ଘୃଣା କରିବେ ନାହିଁ ?

ମା ଡାକେ ତାଟିଆ ଖଣ୍ଡ କେତେବେଳେ ଯାଏ ମାଜୁଥିବୁ ଲୋ ? ତୋରାଣି ମନ୍ଦାଏ ବାଢ଼ିଆଣ ।

ମୋର ଭାବନା ଭାଙ୍ଗେ, ଉଠିଆସେ ।

ମା ପଚାରେ, ତୋ ଆଖିରେ ଲୁହ କାହିଁକି ଲୋ ?

କହେ, ନାଇଁତ । ରୋଷ ଘରକୁ ଚାଲିଯାଏ ତୋରାଣି ବାଢ଼ିବାକୁ । ମନକୁ ମନ ସେ କହିହୁଏ, ଆଉ ତ ଡେରି କରି ହେବନି । ବୟସ ହେଲା । ଲୋକେ ଏଣିକି ନିନ୍ଦା କରିବେ । ମୋର ବି ବେଳକାଳ ସରିଆସିଲା । ବଞ୍ଚିଥାଉଁ ଥାଉଁ ହାତ ଦି ହାତ ନ କଲେ–ବାଧା ଦେଇ କହେ, ତୋର ତ ସଦାବେଳେ ସେଇ ଚିନ୍ତା, କେମିତି ମତେ ପାଖରୁ ତଡ଼ିବୁ । ଆଖିରୁ ଲୁହ ପୋଛେ ।

ମା କହେ, ଆ–ଏଥିକି କାନ୍ଦୁଛୁ କାହିଁକି ? ସେ କ’ଣ ମଣିଷ ହାତର କଥା ? ତୁନି ହ । ଦି ପହରେ ମାର ଗୋଡ଼ ଘଷି ଦେଉଛି । ସେ କହିଲା, ଫୁଲ, ଗୋଟାଏ କଥା ମୁଁ କେତେବେଳୁ ଗୁଣି ହେଉଛି ମନେ ମନେ । ଭିତରର କଥା କିଛି ବୁଝି ହେଉନି ଲୋ । ଲୋକେ ତ ଗୁଣର ନିନ୍ଦା କରୁଛନ୍ତି । କିନ୍ତୁ କହିଲୁ ମା, ତୋ ଗୁଣଭାଇ ପରା ପିଲା, ଚନ୍ଦ୍ରରେ କଳଙ୍କ ଅଛି, ତାଠିଁ ତ କଳଙ୍କ ନାହିଁ ।

ଛନକା ପଶିଲା ଛାତିରେ । ଘଟଣା କ’ଣ ପଚାରି ଦେବାକୁ ଯେତେ ଆଗ୍ରହ ଥିଲେ ମଧ୍ୟ ପଚାରିଲି ଡରି ଡରି, କ’ଣ ମା ?

ସେ କହିଲା, ହୋଇଥିବ ଲୋ ମା କ’ଣ, ନରମାୟା । ନାରାୟଣ ଜାଣେ । କିଏ ଚିହ୍ନିବ ସଂସାରକୁ ?

ତୁନି ରହିଲି ।

ମା କହିଲା, ଗାଁସାରା ଭୁଟଭାଟ୍ ହେଉଛନ୍ତି ।

ଉଦବିଗ୍ନ ହୋଇ ପଚାରିଲି, କ’ଣ ମା ?

କହିଲା, ଚଉଠି ରାତି ତ ପାହିଲା ମା । ଗୋକୁଳି ନାନାଙ୍କ ଭାରିଯା ଗୁଣର ଶୋଇଲା ଘରକୁ ଗଲେ । ଦେଖିଲେ, ଗୁଣମଣି ନାହାନ୍ତି; ପିଲା ବୋହୂଟି ତଳେ ବସି କାନ୍ଦୁଛି । କେତେ କଥା ତାକୁ ପଚାରିଲେ । ସେ କିଛି କହିଲା ନାହିଁ । ସେଦିନ ରାତିରେ ଗୁଣକୁ ସେ ପଚାରିଲେ ବୋହୂ କ’ଣ ମନକୁ ଆସୁ ନାହିଁକି, ଗୁଣ ?

ଗୁଣ କିଛି ଉତ୍ତର ଦେଲା ନାହିଁ ।

ସେ କହିଲେ, କାହିଁକି, ବୀଣାଠୁଁ କ’ଣ ଆଉ କିଏ ସୁନ୍ଦର ଅଛି ? ବୀଣା ପରି ବୋହୂ ମନକୁ ନ ଆସିବ କାହାର ?

ଗୁଣମଣି ପଚାରିଲେ, କାହିଁକି କ’ଣ ହେଲାକି ?

ଗୋକୁଳ ନନାଙ୍କ ଭାରିଯା କହିଲେ, ଓ, ବୁଝିଲି । ଏଡ଼ିକି ଓଲୁ ତୁମେ ? ଟିକି ବୋହୂକୁ କେମିତି ଆଦର କରିବାକୁ ହୁଏ, ଜଣାନାହିଁ ପରା । ଗୁଣ ହାତଧରି କହିଲେ, ଆସ, ତାକୁ କ’ଣ କନ୍ଦାଇବାକୁ ଘରକୁ ଆଣିଥିଲ ?

ଗୁଣମଣି କହିଲେ, ମୁଁ ତାକୁ ଘରକୁ ଆଣି ନାହିଁ । ଯେଉଁମାନେ ତାକୁ ଆଣିଛନ୍ତି, ସେମାନେ ଏବେ ତାକୁ ହସାନ୍ତୁ । ହାତ ଟାଣି ନେଇ ଗୁଣମଣି ଚାଲିଗଲେ । ଗୋକୁଳ ନନାଙ୍କ ଭାରିଯା ଦୁଃଖରେ ରାଗରେ ରାତି ରାତି ତାଙ୍କ ଘରକୁ ଚାଲିଗଲେ, ନାନୀ, ଗୋଟାଏ ଜରୁରି କାମରେ କଟକ ଯାଉଛି । ମାଲୋ, ଗାଁସାରା କଥାଟା ରାଷ୍ଟ୍ର ହେଲାଣି !

ଦେଖୁ ଦେଖୁ ଚାରିଦିନ କଟିଗଲା–ସେ ଆସିଲେ ନାହିଁ । କେଉଁଠି ଅଛନ୍ତି, କେବେ ଆସିବେ କେହି କେବେ କହିଲେ ନାହିଁ । ତାଙ୍କ ପାଇଁ ବ୍ୟସ୍ତ ହୁଏ, କିନ୍ତୁ ମନରେ ଏ ଧାରଣା ଥାଏ, ଆଜି ହେଉ କାଲି ହେଉ ନିଶ୍ଚୟ ସେ ଫେରି ଆସିବେ । ଗୁଣଭାଇ ଚାରି ଦିନ ହେବ ଗାଁରେ ନାହାନ୍ତି, ଏହା ଜାଣି ମଧ୍ୟ ଉତ୍କଣ୍ଠା ହୁଏ ନାହିଁ । ବୀଣାର ମନର ଅବସ୍ଥା, ବୀଣାର ଚିନ୍ତା, ଦୁଃଖ ଜାଣିବାକୁ ଭାରି ମନ ହୁଏ ।

ମା’କୁ ପଚାରିଲି, ବୀଣାଦେବୀ କାନ୍ଦୁଛନ୍ତି ।

ମା କହିଲା, କାନ୍ଦିବା ନ କାନ୍ଦିବା କିଏ କେମିତି ଜାଣିବ ? ଆଖିର ଲୁହ ତ ସମସ୍ତେ ଦେଖିବେ, ଛାତିର କୋହ ଦେଖିବ କିଏ ?

ପଚାରିଲି, କାହା ଆଗରେ ସେ ତାଙ୍କ ମନର ଦୁଃଖ କହନ୍ତି ନାହିଁ ?

ମା କହିଲା, ଯା ନଣନ୍ଦ ତ କେହି ନାହିଁ । ନାନୀ ବୁଢ଼ୀ ଲୋକ, ମାନ୍ୟ ମଣିଷ । ତାଙ୍କ ସଙ୍ଗେ କଣ ସେ କଥା ଭାଷା ହେବେ ? ହଁ ନା କହିବା ଛଡ଼ା ମୁହଁ ଖୋଲିବ ନାହିଁ । ତତେ କେତେଥର କହିଲି ଯିବାକୁ, ଗଲୁ ନାହିଁ । ଦେଖି ଆସନ୍ତୁ, ଚାରିପଦ କଥାଭାଷା ହୋଇ ଆସନ୍ତୁ । ଭାରି ଖୋଲା ହାତ, ଦୁଃଖୀ ରଙ୍କୀଠାରେ ବଡ଼ ଦୟା ।

ପଚାରିଲି, ମୋତେ ସେ କଥା କହିବେ ?

ମା କହିଲା, କାହିଁକି ନ କହିବେ ?

ଦିପହରରେ ମା ସଙ୍ଗେ ତାଙ୍କ ଘରକୁ ଗଲି । ମତେ ଦେଖି ନାନୀ ଅଭିମାନ କରି କହିଲେ । ବୋହୂ ମୁହଁ ଦେଖାଇ ବୀଣାଦେବୀଙ୍କି କହିଲେ, ଫୁଲଟି ଭାରି ଭଲ ପିଲା ଗୋ, ଛନ୍ଦ, ମନ୍ଦ, ହିଂସା କପଟ ଜାଣେ ନାହିଁ । ବାଉରି ଘରେ ସିନା ଦଇବ ଜନ୍ମ ଦେଇଛି, ହେଲେ କେଡ଼େ ବୁଦ୍ଧି-। ଗାଁରେ ଲୋକେ ଧନ୍ୟ ଧନ୍ୟ ପ୍ରଶଂସା କରନ୍ତି ।

ତାଙ୍କ କଅଁଳ ଓଠରେ ସରୁ ହସଟିଏ ଖେଳିଗଲା । ସୁନ୍ଦର କଇଁଫୁଲ ପରି ମୁହଁରେ ସେ ରଙ୍ଗିଣି ହସଟି କେଡ଼େ ଶୋଭାକାର ଦିଶିଲା । ନାନୀ କହିଲେ, ଫୁଲକୁ କଥା କହିବ ଗୋ ବୋହୂ, ସେତ କିଛି ସାହି ପଡ଼ିଶା ଭାଇ ଭଗାରିର ଝିଅ ନୁହେଁ–

ନିତି ଦିପହରେ ତାଙ୍କ ଘରକୁ ଯାଏଁ । ବୀଣା ଦେବୀଙ୍କ ସଙ୍ଗେ କଥାଭାଷା ହୋଇ ସଞ୍ଜ ଆଗରୁ ଘରକୁ ଫେରେ । ମିଶ୍ରଙ୍କ ଘରକୁ ଗାଁ ଲୋକେ କେହି ବେଶୀ ଯା ଆସ କରନ୍ତି ନାହିଁ । ତାଙ୍କର କୁଟୀଳ କୁଚକ୍ରି ଢଙ୍ଗ, ପରର ସୁଖ ଦେଖି ନ ପାରିବା ପ୍ରକୃତି ପାଇଁ ଲୋକେ ତାଙ୍କୁ ଡରନ୍ତି, ଘୃଣା କରନ୍ତି । ଗାଁର ଝିଅବୋହୂ ମଧ୍ୟ ତାଙ୍କ ଘରକୁ କେହି ଆସନ୍ତି ନାହିଁ । ଚାକରବାକର ସବୁ ଦାଣ୍ଡରେ କାରବାର ହୁଅନ୍ତି, ଦରକାର ନ ପଡ଼ିଲେ ଖଞ୍ଜା ଭିତରକୁ ପଶନ୍ତି ନାହିଁ ।

ଏହିସବୁ କାରଣରୁ ବୀଣା ଦେବୀଙ୍କ ସଙ୍ଗେ ମୋର କଥାଭାଷା ହେବାରେ କିଛି ଅସୁବିଧା ନ ଥାଏ । ସକାଳ ବେଳଟା ତାଙ୍କର ରୋଷଘରେ କଟେ । ଶ୍ୱଶୁର ପି’ଶାଶୁଙ୍କର ଖାଇବା ପିଇବା ଖବର ବୁଝି ନିଜ ମନକୁ ମୁଠାଏ ଖାଇ ଶୋଇଲା ଘରକୁ ଆସି ମୋରି ଅପେକ୍ଷାରେ ବସି ରହିଥାନ୍ତି । ମୁଁ ଆସେ, ପିଣ୍ଡାରେ, ବସେ, ସେ ଘର ଭିତରେ ବସନ୍ତି । ଏଣୁ ତେଣୁ ବାରଗପ କରୁଁ । ମିଶ୍ରେ ଦାଣ୍ଡ ଖଞ୍ଜାରେ ବରାବର ଥାନ୍ତି । ନାନୀ ଶୋଇପଡ଼ନ୍ତି । ଆମର ସ୍ୱାଧୀନ ମନଖୋଲା କଥା ଶୁଣିବାକୁ କେହି ନ ଥାଏ ଆମରି ଛଡ଼ା ।

ଯେତିକି ଆମର ଘନିଷ୍ଠତା ବଢ଼ିଲା, ସେତିକି ତାଙ୍କର ସରଳ ପ୍ରକୃତି କୋମଳ ମନର ପରିଚୟ ପାଇଲି ! ଆହା, ସଂସାରର ଭଲମନ୍ଦ ସୁଖଦୁଃଖ କଥା କିଛି ବୁଝନ୍ତି ନାହିଁ ! ସେ ଜାଣନ୍ତି ତାଙ୍କର କର୍ତ୍ତବ୍ୟ କଥା । ପିଲାଦିନୁ ଯାହା ଶିଖିଛନ୍ତି । ସ୍ୱାମୀ ପ୍ରତି ଭକ୍ତି, ଶଶୁର, ଶାଶୁ ଓ ଅନ୍ୟାନ୍ୟ ମାନ୍ୟଗଣ ଆତ୍ମୀୟଙ୍କଠାରେ ମମତା, ପ୍ରତ୍ୟେକ ଲୋକଙ୍କୁ ଶ୍ରଦ୍ଧା, ଏହାହିଁ ତାଙ୍କର ନୀତି । ଶାସ୍ତ୍ର ପୁରାଣରୁ କେଡ଼େ ସୁନ୍ଦର ସୁନ୍ଦର କଥା ମୋତେ ସେ କହନ୍ତି । ମୁଁ ସବୁ ଶୁଣେ ସିନା, ମନ ଅଟକି ରହେ ତାଙ୍କର ସୁନ୍ଦର ମୁହଁ ଉପରେ । ଗଳ୍ପ କହୁ କହୁ କେତେବେଳେ ତାଙ୍କ ମୁହଁରେ ହସ ଉଛୁଳି ଉଠେ, କେତେବେଳେ ଦୁଃଖରେ ମୁହଁ ଉଛୁଳି ଯାଏ, ଆଖିରେ ଲୁହ ଝଲସେ, କେତେବେଳେ ବା ଉତ୍ତେଜନାରେ ଓଠ ଥରିଉଠେ, ଆଖି ତେଜି ହୋଇଯାଏ । ନିର୍ଜୀବ ଗଳ୍ପର ପ୍ରଭାବରେ ସେ ତନ୍ମୟ ହୁଅନ୍ତି–ସବୁ ଯେପରି ଜୀବନ, ସବୁ ଯେପରି ସତ, ଆଖି ଆଗରେ ଘଟିଯାଇଛି । କିନ୍ତୁ ମୋ ପାଖରେ ସେଗୁଡ଼ିକ ଯେପରି ନିରର୍ଥକ ।

ମୁଁ ଦେଖେ, ସେହି ଦେବୀ ପ୍ରତିମାର ଭିତର ଓ ବାହାର । କେତେବେଳେ ଆଖିରେ ଲୁହ ଭରିଯାଏ । ଏହି ଦେବୀ ପ୍ରତିମାର ସର୍ବସ୍ୱ ଚୋରି କରିବାର ମୋର କି ଅଧିକାର ଅଛି ? କାହିଁକି ଜାଣି ଜାଣି ଗୁଣମଣିଙ୍କି ଭଲପାଇଲି-ଗୁଣମଣି, ମୋ ଆଖିରେ ଯିଏ ମଣିଷ, ହାତ ପାଆନ୍ତିରେ, ଆଉ ବୀଣା ଦେବୀଙ୍କ ଆଖିରେ ସ୍ୱାମୀ ଦେବତା, ପୂଜାର ଅତି ଉପରେ । ଦେବୀର ଛାତିରେ ଆଘାତ ଦେବାର ଅଧିକାର ମୋର ନାହିଁ ।

କହନ୍ତି, ଫୁଲ, କାନ୍ଦୁଛୁ ? କାନ୍ଦ ଲୋ କାନ୍ଦ । ସତୀ ସୀତାଙ୍କର ଦୁଃଖରେ ମୁଁ ତ କେତେ କାନ୍ଦିଛି, ତୁ ବି କାନ୍ଦ । ନିର୍ଦ୍ଦୋଷ ନିଷ୍କଳଙ୍କ ଦେବୀ ପ୍ରତିମାକୁ ରାମଚନ୍ଦ୍ର ଘରୁ ବାହାର କରିଦେଲେ । ଦେବୀ ଆମର କାନ୍ଦିଥିଲେ, ତାଙ୍କରି ଦୁଃଖରେ ସାରା ସଂସାର କାନ୍ଦିଥିଲା । ଆମେ କ’ଣ କାନ୍ଦିବା ନାହିଁ ?

ସେ ଆଖିରୁ ଲୁହ ପୋଛନ୍ତି । ମୋତେ ବେଶୀ ବେଶୀ କାନ୍ଦମାଡ଼େ । ବୋଧ ଦେବାକୁ କେତେ କଅଁଳେଇ କହନ୍ତି, ଫୁଲ ଲୋ ଏତେ କାନ୍ଦୁଛୁ କାହିଁକି, ସବୁ ପରା ମାୟା । ସୀତା ଠାକୁରାଣୀ କ’ଣ ଜାଣନ୍ତି ନାହିଁ ଏ କଥା ? ଆମକୁ ଦେଖାଇବାକୁ ସେ କାନ୍ଦିଲେ, ସ୍ୱାମୀକି ଛାଡ଼ି ଗଲେ ସ୍ତ୍ରୀ ଏମିତି କାନ୍ଦେ । ଆଖିରୁ ମୁଁ ଲୁହ ପୋଛେ । ସଞ୍ଜ ହୁଏ, ଘରକୁ ଫେରେ ।

ଦିନେ, କେଡ଼େ ଆନନ୍ଦରେ ସେ ତାଙ୍କ ପିଲାଦିନର କଥା, ବାପଘରର କଥା ମୋ ଆଗରେ ଗପି ବସିଲେ । ମନଦେଇ ସବୁ ଶୁଣୁଥାଏଁ । ବିଶେଷତ୍ୱ କିଛି ନାହିଁ । ଗାଁରେ ଭଲ ଘରର ଆଉ ପାଞ୍ଚଟା ପିଲା ଯେମିତି ବଢ଼ନ୍ତି, ସେ ବି ସେମିତି ବଢ଼ିଥିଲେ । ତଫାତ୍ ଏତିକି, ସେ ଯାହା ଶିଖୁଥିଲେ ସେହି ଅନୁସାରେ କାମ କରୁଥିଲେ । ବାପ ମାଙ୍କର ଗୋଟିଏ ଗେହ୍ଲା ଝିଅ ହେଲେ ବି ସେମାନଙ୍କର କଥା ମାନୁଥିଲେ ।

କ’ଣ ମନେହେଲା, ପଚାରିଦେଲି, ଦେଈ, ତମର ବାହାଘର ଅତି ପିଲା ଦିନୁଁ ହୋଇଥିଲା, ସ୍ୱାମୀ ପଦାର୍ଥଟା କ’ଣ ଆଗରୁ କେବେ ବୁଝିବାକୁ ଚେଷ୍ଟା କରି ନ ଥିଲ ?

ହସିଲେ । କହିଲେ, ବାହାଘର କେବେ ହୋଇଥିଲା ମନେ ନ ଥିଲା । ଅନେକ ଦିନଯାଏ କିଛି ବୁଝି ନ ଥିଲି । ବୁଝିବାର ବୟସ ହେଲା । ଗାଁରେ କେତେ ଝିଅଙ୍କର ବାହାଘର ହୁଏ, ମୁଁ ଦେଖେ । ଭାବେ ଏମିତି କେବେ ଦିନେ ମୋର ବାହାଘର ହୋଇଥିବ । ବେଶ୍ ସେତିକି ।

ଭରସି କରି ପଚାରି ଦେଲି, ଗୁଣ ଭାଇନା କେବେ ତୁମର ମନେପଡ଼ନ୍ତି ନାହିଁ ? ସ୍ୱାମୀ କେମିତି, ଦେଖିବାକୁ ବା ଜାଣିବାକୁ କେବେ ଆଗ୍ରହ କି ଇଚ୍ଛା ହୁଏ ନାହିଁ ?

ଉତ୍ତର ଦେଲେ, ତୋର ଗୁଣ ଭାଇନାକୁ ମୁଁ କେବେ ସିନା ଦେଖିଥିଲି, ତାଙ୍କର ରୂପ କି ଢଙ୍ଗ ମୋର ମନେ ନ ଥିଲା । ସ୍ୱାମୀ ନା ସ୍ୱାମୀ; ସେ କିଏ ବା କିପରି, ଏ ପ୍ରଶ୍ନ ଅନେକ ଦିନଯାଏ ମନରେ ଉଠି ନ ଥିଲା । ହେତୁ ପାଇଲା ଦିନୁ ଶୁଣି ଆସିଲି ସ୍ୱାମୀ ଦେବତା, ତାଙ୍କରି ସେବା ଆମର ଧର୍ମ, ଆମର କର୍ତ୍ତବ୍ୟ । କାହାର ବାହାଘର ପରେ ଗାଁ ମାଇପେ ଯେତେବେଳେ କହନ୍ତି, ଅମୁକର ବରଟି ଭାରି ସୁନ୍ଦର, ଅମୁକର ବରଟା ଭାରି କୁତ୍ସିତ, ସେତିକି ବେଳେ ମନରେ ଆସେ, ମୋ ବରଟି କେମିତି ହୋଇଥିବ ? କିନ୍ତୁ ଫୁଲ ଲୋ, ମନକଥା ମନରେ ମରେ, କାହାକୁ ତ ପଚାରିହେବ ନାହିଁ-?

ହସିଲି । ପଚାରିଲି, ସତେ ନା, ମନ ଏମିତି କଲବଲ ହୁଏ ?

କହିଲେ, କଲବଲ ନୁହେଁ ଲୋ, ଖାଲି ଆଗ୍ରହ ଆସେ, ଚାଲିଯାଏ । କେତେ ନୂଆବୋହୂ କେତେ ଗାଁରୁ ଆସନ୍ତି । ଦେଖିବାକୁ ଯାଉଁ । କିଏ କେତେ ନିନ୍ଦା ଶୁଣେ, କିଏ ବା ପ୍ରଶଂସା । ସୁଖରେ କାହାର ବେଳ କଟେ, କାହାର ବା ବେଳ ଦୁଃଖରେ ହାତ ପିଠିରେ ଲୁହ ପୋଛି କଟେ । ମନରେ ଦୁଃଖ ହୁଏ । ଭବିଷ୍ୟତ ଆଡ଼କୁ ମନ ଧାଇଁଯାଏ । କାହା ଭାଗ୍ୟରେ କ’ଣ ଅଛି । ଛାତିରେ ଦମ୍ଭ ଆସେ–କାହିଁକି, କାଠ ପଥରକୁ ଦେବତା ମଣି ପୂଜାକଲେ ସେମାନେ ଦୁଃଖ ଶୁଣୁଛନ୍ତି, ସ୍ୱାମୀ ମଣିଷ, ସେବା କରି ଜାଣିଲେ ତାଙ୍କୁ ସନ୍ତୋଷ କରିହେବ ନାହିଁ ।

ରହି ରହି ପଚାରିଲି, ମନ ଅନ୍ୟଆଡ଼କୁ ଢଳେ ନାହିଁ ?

କହିଲେ, ନାହିଁ କହିଲେ ହୃଦୟର କଥା ବୋଲିତ କହିପାରିବି ନାହିଁ । ସଂସାରରେ ଆମର ଜନ୍ମ । ପ୍ରଲୋଭନ କହ, ଉତ୍ତେଜନା କହ, ଆସିବା କେଡ଼େ ସ୍ୱାଭାବିକ । ବେଳେ ବେଳେ ଆସେ । ମନ ଢଳିଯାଏ ଅନ୍ୟ ଆଡ଼କୁ; କିନ୍ତୁ ମନେହୁଏ, ସେହି ଅଜଣା ସ୍ୱାମୀର ଦୁଇଟା ଉଜ୍ଜ୍ୱଳ ଆଖି ଯେପରି ପଛରେ ଠିଆ ହୋଇ ସବୁ ଦୁର୍ବଳତା ଦେଖୁଛି । ଢଳିଲା ମନ ଫେରିଆସେ, ଅନୁତାପ କରେ । ମନରୁ ସବୁ ଆବଶ୍ୟକତା ପୋଛି ହୋଇଯାଏ ଆପେ ଆପେ ।

ରାତିରେ ଶୋଇ ମୁଁ ବୀଣା ଦେବୀଙ୍କର ଶେଷକଥାଟି ଭାବେ–ସ୍ୱାମୀ ସୁଖର ଭାବନାରେ ମନରୁ ସବୁ ଆବିଳତା ସିନା ପୋଛି ହୋଇଯାଏ କିନ୍ତୁ ଯେତେବେଳେ ସେହି ସ୍ୱାମୀ ପୂଜା ନ ଘେନି ଗୋଡ଼ରେ ଠେଲି ଦିଅନ୍ତି, ଆଶାର କେଡ଼େ ବଡ଼ ସୁନାଘର ଚୂନାହୋଇ ଧୂଳିରେ ମିଶେ ? ମନର ହତାଶାର ଚିତା ଧୂଧୂ ହୋଇ ଜଳିଉଠୁଥିବ, ଜୀବନଟା ବ୍ୟର୍ଥ ଲାଗୁଥିବ । ବୀଣା ଦେଈଙ୍କ ଢଙ୍ଗରୁ ସେପରି କିଛି ଜଣାଯାଏ ନାହିଁ ତ । ସବୁବେଳେ ଆନନ୍ଦ, ସବୁବେଳେ ଉତ୍ସାହ ।

ଦିନେ ପଚାରି ଦେଲି, ଆଛା ଦେଇ, ଯାହାଙ୍କୁ ଦେବତା ମନେକରି ହୃଦୟର ସବୁ ପ୍ରେମ ଅଜାଡ଼ି ଦେବାକୁ ବସିଛ, ସେ ଯଦି ଅନ୍ୟ କାହାର ପ୍ରେମରେ ପଡ଼ିଥାନ୍ତି ? ସେ ଯଦି ତମର ପ୍ରେମକୁ ଉପେକ୍ଷା କରନ୍ତି ? ସେ ଯଦି ଦେବତା ନ ହୋଇ ରାକ୍ଷସ ହୋଇଥାନ୍ତି ?

ମୋତେ ବୁଝାଇ କହିଲେ, ସ୍ୱାମୀ କେବେ ରାକ୍ଷସ ହୋଇପାରେ ନାହିଁଲୋ ଫୁଲ, ସ୍ୱାମୀ ସବୁବେଳେ ଦେବତା । କହିଲି ପରା, ପଥରକୁ ଦେବତା ମଣିଲେ ସେ ଦେବତା ହୁଏ । ସ୍ୱାମୀ ମଣିଷ-ସ୍ତ୍ରୀ ପାଖରେ ତା’ର ଦେବତାର ସ୍ଥାନ । ସ୍ୱାମୀ ଯଦି ସ୍ତ୍ରୀର ପ୍ରେମକୁ ଉପେକ୍ଷା କରି ଅନ୍ୟର ପ୍ରେମକୁ ଆଶ୍ରୟ କରନ୍ତି, ତେବେ ବୁଝିବାକୁ ହେବ, ମନପ୍ରାଣ ସମର୍ପଣ କରିବାରେ ଆମର ତ୍ରୁଟି ରହିଛି । ଯେଉଁ ପରକୀୟାରେ ପ୍ରେମରେ ସ୍ୱାମୀ ମୁଗ୍‍ଧ, ହୁଏତ ତାଠାରୁ ସ୍ତ୍ରୀର ଶିଖିବାର ଯଥେଷ୍ଟ ଅଛି-। ଯଦି ଶିଖିବା ସମ୍ଭବ ହୋଇପାରେ ତାକୁ ଶିଖିବାକୁ ହେବ, ଯଦି ଅସମ୍ଭବ ହୁଏ, ନିଜର ଦୁର୍ବଳତା ନିଜକୁ ମାନି ନେବାକୁ ହେବ । ମୁଣ୍ଡପାତି ସ୍ୱାମୀର ଅବହେଳାକୁ ଗ୍ରହଣ କରିନେବାକୁ ହେବ । ଫୁଲ, ଭାଗ୍ୟକୁ ଆଦରି ଆଖି ଲୁହରେ ବେଳ କଟିବ–ସ୍ୱାମୀର ଅବହେଳା ପାଇଁ ନୁହେଁ, ନିଜର ଅଭାବ ଅଶିକ୍ଷା ପାଇଁ ।

ମୁଁ ଅବାକ୍ ହୋଇ ଚାହିଁ ରହିଲି ତାଙ୍କର ଉଜ୍ଜ୍ୱଳ ମୁହଁକୁ । ଏପରି ଶିକ୍ଷା ତ ଆମର ନାହିଁ-। ଆମେ ଜାଣୁ ସ୍ୱାମୀ ସ୍ତ୍ରୀ–ଦିଆନିଆର ସମ୍ପର୍କ । ଯାହାକୁ ଆମେ ଯେତିକି ପ୍ରେମ ଦେଉଁ, ତାଠାରୁ ସେତିକି ଫେରିପାଇବାକୁ ଆଶାକରୁ । ଯଦି ନ ପାଉଁ, ମନ ଝଗଡ଼ି ଉଠେ । କେଉଁଟା ଖରାପ କିଏ କହିବ ?

ଦାଣ୍ଡ ଖଞ୍ଜାଆଡ଼ୁ ନାନୀ ଆସି କହିଲେ, ଗୁଣମଣି ମୋର ଆସିଲାଣି । ଉଦୁଉଦିଆ ଖରାଟାରେ ଚାଲି ଚାଲି ଆସିଛି । ମୁହଁ କଳାକାଠ ପଡ଼ିଛି । ଦିନ ପନ୍ଦରଟାରେ ପୁଅଟା କି ରୂପ ହେଲାଣି । ଗୁଣନନା ଆସିଲେଣି ଶୁଣି ମନରେ ଆନନ୍ଦ ହେଲା । କହିଲି, ଯାଉଛି ଦେଈ, ନନା ଆସିଲେଣି । ବୁଝି ହୁସିଆର, ଏଣିକି ଯେମିତି ତାଙ୍କୁ କାନିରେ ବାନ୍ଧି ରଖ । ଛାଡ଼ିବ ନାହିଁଟି କୁଆଡ଼େ, ବୀଣା ଦେବୀ କହିଲେ, ତୁ ବସ ଫୁଲ ।

ଗୁଣନନା ଆସିଲେ । ମୋତେ ଦେଖି ହଠାତ୍ ମଝି ଦୁଆରେ ଅଟକି ଗଲେ । ମୋ ମୁହଁକୁ ଚାହିଁ କ’ଣ ଭାବିଲେ । ମୁଁ ତାଙ୍କ ମୁହଁକୁ ଚାହିଁ ପାରିଲି ନାହିଁ । ଲାଜ ଓ ଭୟରେ ମୁହଁ ନୋଇଁଲି-

ବୀଣାଦେବୀ କବାଟ କରକୁ ଘୁଞ୍ଚିଗଲେ ।

ଗୁଣନନା ପଚାରିଲେ, ତୁ ଏଠିକି କିମିତି ଆସିଲୁ ଫୁଲ ?

ଓଲଟି ପଚାରିଲି, କାହିଁକି, ମୋତେ କ’ଣ ଘର ମନା ? ଏତେ ଦିନଯାଏ କୁଆଡ଼େ ଥିଲ ଶୁଣେ ?

ଗମ୍ଭୀର ହେଲେ । ଅପା ବୋଧହୁଏ ଜଳଖିଆର ଆୟୋଜନ ସକାଶେ ଭଣ୍ଡାର ଘରଆଡ଼େ ଚାଲିଗଲେ । କହିଲି, ଘରକୁ ଆସ, ଖରାଟାରେ ଠିଆ ହେଲ କାହିଁକି ?

ସେ ଉତ୍ତର ନ ଦେଇ ଆର ଘରକୁ ଚାଲିଗଲେ ।

ସଞ୍ଜ ବୁଡ଼ିଲା । ମା ଗଲା ଗାଁ ଭିତରକୁ । କହିଗଲା, ଆସୁ ଆସୁ ଡେରି ହେବ । ରାତି ଦି ଘଡ଼ି । ଜହ୍ନ ଆଲୁଅରେ ସାରା ଦୁନଆଁ ସଫା ଦିଶୁଥାଏ । ଦୁଆରେ ବସି ଭାବୁଥାଏ ଗୁଣନନାଙ୍କ କଥା, ସେ ଘରକୁ ଫେରି ଆସିଛନ୍ତି । ତାଙ୍କର ମନ ହୁଏତ ବଦଳିଛି । ଗତକଥା ସ୍ୱପ୍ନପରି ଭୁଲିଯିବା ଭଲ । ଜୀବନରେ ଯାହା ଘଟିଗଲା, ସେଥିକି ଭାବନା ନାହିଁ । ବଞ୍ଚି ରହିବାକୁ ଇଚ୍ଛା ଥିଲେ ଏମିତି କେତେ କେତେ ଘଟଣାକୁ ପଛରେ ପକାଇ ବାଟ ଭାଙ୍ଗି ଆଗକୁ ଚାଲିବାକୁ ହେବ ।

ଗତକଥା ପାଇଁ ଅନୁତାପ ବା କରିବା କାହିଁକି ? ଗତଟା ବି ବର୍ତ୍ତମାନ ପରି ଦିନେ ଜୀଇଁ ଉଠିଥିଲା । ଯାହା ଘଟିଥିଲା, ସେତକ ବି ମନର ଆଗ୍ରହ ଆନନ୍ଦର ଫଳ । ମଣିଷ ଜଣକୁ ଥରେ ଭଲପାଇଲେ ଆଉ କାହାକୁ ଭଲପାଇପାରେ ନାହିଁ ? ଭଲ ପାଇବାଟା ସୀମାବଦ୍ଧ ଜିନିଷ ନୁହେଁ ଯେ ଥରେ ଜଣକୁ ଦେଇଦେଲେ ସରିଯିବ । ଭଲପାଇବାଟା ଅନନ୍ତ-ଅସୀମ ! ମନର ଆକର୍ଷଣ ନେଇ ସମଗ୍ର ସଂସାରକୁ ଭଲପାଇ ହୁଏ । କ୍ଷୟ ହେବନାହିଁ–କ୍ଷତି ହେବନାହିଁ । ସେହି ଭଲପାଇବା ଭିତରେ ଯଦି ଦିଆନିଆର ଭାବ ମିଶେ, ମନରେ ଯଦି ଲାଳସା ପ୍ରବେଶ କରେ, ତେବେ ସିନା ଦୁଃଖ ହେବ, ନୋହିଲେ ଦୁଃଖ ହେବ କାହିଁକି ?

ଗୁଣନନାଙ୍କୁ ମୁଁ ଭଲ ପାଇଥିଲି । ଭିତରେ ଗୋଟାଏ ଲାଳସା ଲୁଚକାଳି ଖେଳୁଥିଲା । ଉତ୍ତେଜନା ଆକର୍ଷଣ ସେହି ଲାଳସାକୁ ବଞ୍ଚାଇ ରଖିଥିଲା । ଉତ୍ତେଜନା ଓ ଆକର୍ଷଣ ଦେହର ହେଉ କି ମନର ହେଉ, ଯଦି ତାକୁ ଦଳି ଦିଆଯାଇପାରେ, ତେବେ ତ ଲାଳସାଟା ଆପେ ଆପେ ମରିଯିବ-। ତେଣିକି ଗୁଣନନାଙ୍କୁ ଭଲ ପାଇବାରେ କ୍ଷତି ନାହିଁ । ମନର ଦୃଢ଼ତା କେତେ ବଢ଼ିଗଲା । ଗୁଣନନାଙ୍କୁ ମୁଁ ଭଲପାଏଁ । ବୀଣା ଦେବୀଙ୍କୁ ମୁଁ ଭଲପାଏଁ । ସେମାନଙ୍କର ସୁଖ, ସେମାନଙ୍କର ଆନନ୍ଦ ପାଇଁ ନିଜକୁ ମୁଁ ଦୂରରେ ରଖେଁ । ମତେ ବି ଦିନେ ଅନ୍ୟର ସଂସାର କରିବାକୁ ହେବ, ସୁଖ ଦୁଃଖର ବୋଝ ନେଇ ପରକୁ ଆପଣାର କରି ଚଳିବାକୁ ହେବ । ସେହି ପରହିଁ ମୋର ହେବ ସର୍ବସ୍ୱ ।

ମୋର ନୂଆ ଭାବନା ଉପରେ ଯେ ବୀଣା ଦେବୀଙ୍କ ଆଦର୍ଶର ଛାଇ ପଡ଼ିଥିଲା, ଏଥିରେ ସନ୍ଦେହ ନାହିଁ; କିନ୍ତୁ ଯାହା ମନେହେଲା, ତାଙ୍କରି ଆଦର୍ଶ ହିଁ ଠିକ୍ । ପ୍ରେମ ବା ଭଲପାଇବା ଭିତରେ ଦିଆନିଆର ଭାବ ଆଣିଲେ ଜୀବନରେ ଶାନ୍ତି ଆସିବ କାହୁଁ ? ସ୍ତ୍ରୀ ହେଉ ବା ପୁରୁଷ ହେଉ, ସଂସାରରେ ଦିଓଟି ପ୍ରାଣୀଙ୍କର ମନର ଭାବ ବା ଆଦର୍ଶ ଏକା ହୋଇପାରେ ନାହିଁ । ଠାଏ ଠାଏ ଅମେଳ ହେବା ଅତି ସ୍ୱାଭାବିକ । ସେଇଠି ଜଣକୁ ନଇଁବାକୁ ହେବ । ନିଜର ଭାବନା, ନିଜର ଆଦର୍ଶକୁ ଭୁଲି ଅନ୍ୟର ଭାବନା, ଅନ୍ୟର ଆଦର୍ଶକୁ ବିନାଆପତ୍ତି, ବିନାଅଭିଯୋଗରେ ନିଜର କରିନେବାକୁ ହେବ । ତାହା ହେଲେ ଆଉ ଅମଙ୍ଗଳ, ଅଶାନ୍ତିର କାରଣ ରହିବ ନାହିଁ । ଜୀବନରୁ ଜଞ୍ଜାଳ କମିଯିବ ।

ଯେତେବେଳେ ଭାବନାରେ ବିଭୋର ଥିଲି, ଗୁଣନନା ଆସି ପାଖରେ ଠିଆହେଲେ । ମୋ’ରି ଭାବନା ଭାଙ୍ଗିଲା । ନିଦରୁ ଉଠିଲାପରି ପଚାରିଦେଲି, ତେମେ କୁଆଡ଼େ ଗୁଣଭାଇ ? ତେମେ ଆଉ କାହିଁକି ଆସିଲ ? ସେ ରହିରହି କହିଲେ, ତୋ’ର ମୁହଁରୁ ଶେଷ କଥାଟା ଶୁଣିବାକୁ ଆସିଛି । ପନ୍ଦର ଦିନ କାଳ ଘର ଛାଡ଼ି ଚାଲିଯାଇଥିଲି । ଅନେକ ଭାବିଛି । ଶେଷକୁ ଠିକ୍ କଲି ତୋତେ ନେଇ ଦେଶ ଛାଡ଼ି ବିଦେଶକୁ ଚାଲିଯିବି । ଦୁଇଟା ଜୀବନ ପୋଷିବାକୁ ମୋ’ରି ସାହସ ଅଛି ।

ସେ ତୁନି ହେଲେ । ମୁଁ କହିଲି, ଗୁଣ ଭାଇ; କିନ୍ତୁ ଯେଉଁ ନିରୀହ ବାଳିକାଟିକୁ ଘରେ ଥାନ ଦେଇଛ, ତା’ର କଥା ଥରେ ତ ଭାବୁ ନାହଁ ?

କହିଲେ, ଭାବିବା ଦରକାର ନାହିଁ, ତାକୁ ନେଇ ସଂସାର କରିବା ମୋ ପକ୍ଷରେ ଅସମ୍ଭବ ।

କହିଲି, ଭଲପାଅ ନାହିଁ ବୋଲି ଯେ ଭଲ ପାଇପାରିବ ନାହିଁ, ଏପରି ଭାବୁଛ କାହିଁକି ? ବୀଣା ଦେବୀ ଦେବୀପ୍ରତିମା–ତାଙ୍କର ରୂପ ଅଛି ।

କହିଲେ, ରୂପଟା ଭଲପାଇବାର ମାପକାଠି ନୁହେଁ ।

କହିଲି, ତାଙ୍କର ମନର ପରିଚୟ ଯଦି ପାଆନ୍ତ ଗୁଣଭାଇ, ବୁଝନ୍ତ ସେ କେତେ ବଡ଼, କେଡ଼େ ଉଚ୍ଚରେ । ଏ କେଇଦିନ ତାଙ୍କ ସଙ୍ଗେ ଘନିଷ୍ଠତା କରି ତାଙ୍କୁ ଚିହ୍ନିଛି । ଯେତିକି ତାଙ୍କ ମହତ୍ତ୍ୱର ପରିଚୟ ପାଇଛି, ତାଙ୍କରି ଆଡ଼କୁ ମନଟା ଥରେ ଚିହ୍ନିବାକୁ ଚେଷ୍ଟାକର, ବୁଝିବ, ସତ କହୁଛି କି ମିଛ କହୁଛି ।

କ’ଣ ଯେପରି ଭାବିଲେ । କହିଲେ, ବୁଝିଲି, ନିଜକୁ ମୋ ପାଖରୁ ଦୂରରେ ରଖିବାକୁ ଏତେ ଛଳ କରୁଛୁ । ତୁ ଚାହୁଁ, ସବୁଦୁଃଖ ସବୁକଷ୍ଟକୁ ଆଡ଼େଇ ଦୁନିଆର ବନ୍ଧାଗତ ଧରି ଚାଲିବାକୁ; କିନ୍ତୁ ମୁଁ ତାହା ଚାହେଁ ନାହିଁ । ମୁଁ ଚାହେଁ ବନ୍ଧାଗତକୁ ଭାଙ୍ଗି ନୂଆ ବାଟ ଖୋଲିବି । ସମାଜର ନିତିଦିନିଆଁ ନୀତିର ପ୍ରତିବାଦ କରିବି । ଟିକିଏ ରହି ପୁଣି କହିଲେ, ତୋର ମନର ଭାବଟା କ’ଣ ମତେ ଖୋଲି କହିଲୁ ?

କହିଲି, କୌଣସି କଥା ନାହିଁ । ତେମେ ବୀଣାଦେବୀଙ୍କୁ ଅବହେଳା କରନାହିଁ । ତାଙ୍କର ମନରେ କଷ୍ଟ ଦେଲେ କାହାରି ଭଲ ହେବ ନାହିଁ ।

ମୋ କଥାରେ ସେ କାନ ନ ଦେଇ ପଚାରିଲେ, ତୁ ମତେ ଭଲପାଉ ନାହିଁ ?

କହିଲି, ଭଲପାଏ, କିନ୍ତୁ ତେମେ ଯଦି ବୀଣାଦେବୀଙ୍କ ପ୍ରତି କଠୋର ହୁଅ, ତେବେ ତମକୁ ଆଉ ଭଲ ପାଇପାରିବି ନାହିଁ ।

କାରଣ ?

ମୁଁ ତାଙ୍କୁ ଭଲପାଏଁ ।

ବାଧା ଦେଇ ସେ କହିଲେ, ତୋ ମୁହଁରୁ ତାଙ୍କର ଏତେ ପ୍ରଶଂସା ଶୁଣିବାକୁ ମୁଁ ଆସିନାହିଁ । ମୁଁ ଜାଣେ, ମୁଁ ତାକୁ ଭଲପାଏ ନାହିଁ । ସେ ହଠାତ୍ ଉତ୍ତେଜିତ ହୋଇ ମୋର ହାତକୁ ମୁଠାଇ ଧରିଲେ । କଠୋର କଣ୍ଠରେ କହିଲେ, ଫୁଲ, ତୁ ମୋ ସଙ୍ଗରେ ଅନେକ ଖେଳିଛୁ । ମୋର ଉତ୍ତେଜନା, ଉତ୍କଣ୍ଠାକୁ ବଢ଼ାଇ ପ୍ରାଣରେ ନିଆଁ ଲଗାଇଛୁ; କିନ୍ତୁ କାହିଁକି ? କାହିଁକି ଏପରି କରୁଛୁ କହିଲୁ ? ତୁ ଭାବିଛୁ ମୁଁ ନିର୍ବୋଧ । ବନ୍‌ସୀର ଚରା ଦେଖି ମାଛ ପରି ପଛରେ ଗୋଡ଼ାଇଥିବି ? ଅନେକ ସହିଛି, ଅନେକ ଦିନ ଅପେକ୍ଷା କରିଛି । ଆଉ ସହିପାରିବି ନାହିଁ, ମୋର ଆଉ ଧୈର୍ଯ୍ୟ ନାହିଁ । ତୁ ମତେ ଭଲପାଉ କି ନ ପାଉ, ସେ କଥା ଆଉ ବୁଝିବାକୁ ଚାହେଁ ନାହିଁ । ମୁଁ ଜାଣେ, ମୁଁ ତତେ ଭଲପାଏ, ଆଉ ସେହି ଅଧିକାରରେ ମୁଁ ତତେ ଚାହେଁ, ତତେ–

ତାଙ୍କ କଥାର ଅର୍ଥଟା ମୋତେ କେମିତି ଜଣାପଡ଼ିଲା । ଭୟରେ ଦେହଟା ଥରିବାକୁ ଲାଗିଲା । ହାତଟା ତାଙ୍କରି ହାତମୁଠା ଭିତରୁ ଟାଣିଆଣିବାକୁ ଚେଷ୍ଟା କଲି । ସେ ଆହୁରି ଜୋର୍‌ରେ ଚାପଧରି କହିଲେ, ତୋରି ଛଳନା ମୋର ମନରେ ଚିତା ଜଳାଇଛି, ଆଉ ସେହି ଚିତାରେ ମୋର ଆତ୍ମାଟା ଜଳିପୋଡ଼ି ଛଟପଟ ହେଉଛି । ତୋତେ ସେହି ନିଆଁରେ ଆହୂତି ଦେଲେ ଜୀବନରେ ଶାନ୍ତି ପାଇବି, ବୁଝିଲୁ ?

ମୁଁ କୌଣସି ଉତ୍ତର ଦେବା ପୂର୍ବରୁ ସେ ମୋତେ ତାଙ୍କର ଛାତିଆଡ଼କୁ ଟାଣିନେଲେ । ବାଧା ଦେବାକୁ ଚେଷ୍ଟା କଲି, ମାନଲେ ନାହିଁ । କହିଲେ, ଯେଉଁ ଦେହଟାର ମୋହରେ ପାଗଳ ହୋଇ ମୁଁ ଧାଇଁଛି, ତାକୁ ମୁଁ ଏମିତି ନିକଟରେ ପାଇବାକୁ ଚାହେଁ, ଏମିତି ନିକଟରେ । ଭାବିଥିଲି ଭଲପାଇବାଟା କେବଳ ମନ ମନର ମିଳନ ଉପରେ ନିର୍ଭର କରେ; କିନ୍ତୁ ଫୁଲ, ଦେହକୁ ଛାଡ଼ି ମନ ରହିପାରେ ନାହିଁ ।

ଦୁଃଖରେ ମୋର ଦୁଇ ଆଖିରୁ ଲୁହ ଧାର ତାଙ୍କର ଛାତି ଉପରେ ଝରି ପଡ଼ିଲା ।

ସେ କହିବାକୁ ଲାଗିଲେ, ଦେହକୁ ଛାଡ଼ି ମନ ରହିପାରେ ନାହିଁ । ମନ ସିନା କଥାରେ ଶାନ୍ତି ପାଇପାରେ, ଦେହ ଚାହେଁ ଦେହର ମିଳନ । ତୋଠାରୁ ମୁଁ ସେତିକି ଆଶା କରେ, ସେତିକି ଚାହେଁ । ଏଥିରେ ତୁ ବାଧା ଦେଇପାରିବୁ ନାହିଁ ।

ମୁଁ କରୁଣ ସ୍ୱରରେ କହିଲି, କିନ୍ତୁ, ସେତିକି ତମର ବୁଝିବାର ଭୁଲ ଗୁଣଭାଇ । ମୁଁ ଗରିବ, ମୁଁ ଅଭିଆଡ଼ୀ । ତମରି ଉତ୍ତେଜନାରେ ନିଜକୁ ଆହୂତି ଦେଲେ ମୋର ଇହକାଳ ପରକାଳ ନଷ୍ଟ ହେବ । କ୍ଷମାକର । ମୋତେ ଛାଡ଼–

ତାଙ୍କର ବାହୁବନ୍ଧନରୁ ମୁକ୍ତ ହୋଇ ମୁଁ ଚାଲିଯିବାକୁ ବସିଲି । ସେ ମୋ ହାତଧରି ହସି ହସି ଥଟ୍ଟା କଲାପରି କହିଲେ, ତୋର ଯଦି ଏତେ ଜ୍ଞାନ ଥିଲା, ତେବେ ଆଜିଯାଏ ମୋତେ ଏପରି ଜଳାଇ ପୋଡ଼ାଇ ମାରୁଥିଲୁ କାହିଁକି ଶୁଣେ ? ଆଜିଯାଏ ତୋର ପଛରେ ପାଗଳପରି ଗୋଡ଼ାଇବାକୁ ମୋତେ ପ୍ରଶ୍ରୟ ଦେଲୁ କାହିଁକି ? ତୋତେ ଖୁସି ଲାଗୁଥିଲା ? ଗରିବ ଅଛୁଆଁ ବାଉରୀଘର ଝିଅ ହୋଇ ମୋର ଆଦର, ମୋର ପ୍ରେମରେ ତୁ ମନେ ମନେ ଗୌରବ ଅନୁଭବ କରୁଥିଲୁ । କିନ୍ତୁ ତୋର ପ୍ରେମପ୍ରାର୍ଥୀ ହୋଇ ମୁଁ ତ ଗୌରବ ସମ୍ମାନ ଅନୁଭବ କରିନାହିଁ । ଯେଉଁ ଉତ୍ତେଜନାର ନିଆଁ ତୁ ମୋର ଛାତି ଭିତରେ ଜାଳିଛୁ, ତୋତେ ହିଁ ସେଥିରେ ଝାସ ଦେବାକୁ ହେବ, ଏକା ମୁହିଁ କାହିଁକି ଜଳିପୋଡ଼ି ମରିବି ?

ଟିକିଏ ତୁନି ହୋଇ କହିଲେ, ତୁ ତୋର ଭବିଷ୍ୟତ କଥା, କାଳ ପରକାଳ କଥା ଭାବି ମୋ ସଙ୍ଗରେ ବନ୍ଧୁତା କରୁଥିଲୁ; କିନ୍ତୁ ମୁଁ ସେସବୁ କଥା କେବେ ଭାବି ନାହିଁ । ମୁଁ ବ୍ରାହ୍ମଣ ଘରର ପିଲା, ବିବାହିତ । ତଥାପି ନିର୍ଭୟରେ ନିସଙ୍କୋଚରେ ଦୁନିଆ ଆଗରେ ତୋତେ ଗ୍ରହଣ କରିବାକୁ ବସିଛି । ଫଳ କ’ଣ ହେବ ବୁଝୁଛୁ ତ ? ସମାଜ ଆଖିରେ ହେବି ପତିତ ଅଛୁଆଁ । ବାପାଙ୍କର ସ୍ନେହ ସମ୍ପତ୍ତିରୁ ବଞ୍ଚିତ ହେବି । ସ୍ତ୍ରୀ ବାଧ୍ୟ ହୋଇ ମୋତେ ପରିତ୍ୟାଗ କରିବେ । ବନ୍ଧୁବାନ୍ଧବ ସ୍ୱଜନ ସମସ୍ତେ ଉଠିବେ ବିରୁଦ୍ଧରେ । ଯୁଆଡ଼େ ଯିବି ଲୋକେ ମୋ ଆଡ଼କୁ ଆଙ୍ଗୁଠି ଦେଖାଇ ହସିବେ; କିନ୍ତୁ ତୋର ତ ଏ ସବୁକିଛି ଭୟ ନାହିଁ !

ତାଙ୍କର କଥା ମୁଁ କ୍ଷଣକାଳ ଭାବିଲି । କହିଲି, ଗୁଣଭାଇ, ତମକୁ ମୁଁ ଭଲପାଏ, ଏ କଥା ବିଶ୍ୱାସ କର ବା ନ କର ମୋର ମନ ଜାଣେ, ଭଗବାନ ଜାଣନ୍ତି । ମୋର କ’ଣ ମନ ହୁଏ ନାହିଁ ତୁମକୁ ନିକଟରେ ପାଇବାକୁ ? ମୋର ଦେହଟା ବି ତ ରକ୍ତମାଂସରେ ଗଢ଼ା । ଉତ୍ତେଜନାରେ ଅବଶ ହୁଏ । ତମକୁ ମୁଁ ଭଲପାଏ ଗୁଣଭାଇ । କହିଲି, ଜାଣି ଜାଣି ତମ ଉପରକୁ ଏତେ ବିପଦ ଟାଣି ଆଣିବି କିପରି ? ପୁଣି କହିଲି ତମର ସ୍ତ୍ରୀ ବୀଣା ଦେଖିଲା ଦିନୁ ମୋର ମନ ବଦଳିଛି । ପ୍ରତିଜ୍ଞା କରିଛି, ଜାଣି ଜାଣି ତାଙ୍କର ମନରେ କଷ୍ଟ ଦେବି ନାହିଁ । ସେଇଥିପାଇଁ ସିନା ଅନୁରୋଧ କରୁଥିଲି, ଥରେ ସେ ଦେବୀଙ୍କୁ ଆଖି ପୂରାଇ ଦେଖ, ତାଙ୍କ ହୃଦୟର ପରିଚୟ ପାଅ, ତଥାପି ଯଦି ତୁମେ ମୋତେ ଭୁଲି ନ ପାର, ତେବେ–ମୋର ଏ ସାମାନ୍ୟ ଦେହଟା ତମରି–

କହିଲେ, କିନ୍ତୁ ମୁଁ ଯେ ତତେହିଁ ଚାହେଁ–ତତେ–

କିପରି କେଜାଣି ଗୁଣଭାଇଙ୍କ ଛାତି ଉପରକୁ ନିଜେ ଆଉଜି ପଡ଼ିଲି । କହିଲି, ଦେହଟା ଚାହଁ, ଏଇ ଦେହଟା, ପାଇଲେ ସନ୍ତୁଷ୍ଟ ହେବ ? ବେଶ୍, ତାହାହିଁ ହେଉ ।

ସେ ଅବାକ୍ ହେଲେ । କହିଲେ, ମୋର ଅସ୍ଥିର ମନର ସୁବିଧା ପାଇ ଏତେ ଖେଳୁଥିଲୁ କାହିଁକି ଫୁଲ ? ଆଜି ଏହି ହସିଲା ରାତିରେ ଆମ ମନର ସବୁ ଦୁଃଖ କଷ୍ଟ ପୋଛି ହୋଇଯାଉ । ରହି ରହି କହିଲେ, ଏ ଗାଁରେ ରହି ସ୍ୱାଧୀନ ଭାବରେ ମିଳାମିଶା କରିପାରିବା ? ତା ଅପେକ୍ଷା ଦେଶ ଛାଡ଼ି ଚାଲିଯିବା, ଦୂରକୁ । ଭଲ ହେବ ।

କହିଲି, ଭାବିଲ, ବୀଣା ଦେବୀଙ୍କର ଅବସ୍ଥାଟା କ’ଣ ହେବ ? ତାଙ୍କୁ ଛାଡ଼ି, ଉପେକ୍ଷା କରି ବିଦେଶକୁ ଯିବା ଭଲ ହେବ ନାହିଁ । ତେମେ ମୋର ଦେହଟା ଚାହଁ ? ତହିଁରେ ମୁଁ ବାଧା ଦେବି ନାହିଁ । କିନ୍ତୁ ବୀଣା ଦେବୀଙ୍କ ପ୍ରତି ତମକୁ ଏଡ଼େ କଠୋର ହେବାକୁ ଦେବି ନାଇଁ । ତେମେ ତାଙ୍କୁ ଭଲ ନ ପାଇ ପାର; ତଥାପି ତାଙ୍କ ପାଖରେ ଭଲପାଇବାର ଛଳନା କରିବାକୁ ହେବ । ତା ହେଲେ ତାଙ୍କ ଆଖିରେ ଓ ଦୁନିଆର ସଭିଙ୍କ ଆଖିରେ ତେମେ ଅନ୍ଧପଟୋଳୀ ବାନ୍ଧି ପାରିବ ।

ସେ କ’ଣ ଭାବି କହିଲେ, ଭଲ କଥା, ତୋତେ ପାଇବା ପାଇଁ ତାଙ୍କ ପାଖରେ ଛଳନା କରିବାକୁ ମୁଁ ପଛାଇବି ନାହିଁ ।

ମୁଁ କହିଲି, ତେମେ ଯାଅ ଆଜି ଗୁଣଭାଇ, ପନ୍ଦର ଦିନ ପରେ ଫେରି ଆସିଛ । କେଡ଼େ ଆଶା, କେଡ଼େ ଆଗ୍ରହରେ ସେ ଚାହିଁ ରହିଥିବେ । ତେମେ ପଛେ ଛଳନା କର, ସେ ସତ ମଣିବେ-। ଜାଣ ଗୁଣଭାଇ, ତମୁକୁ ସେ କେଡ଼େ ଭଲ ପାଆନ୍ତି ?

ମୋର ପାଟିରେ ହାତ ଦେଇ କହିଲେ, ଥାଉ, ଥାଉ, ତୋ ମୁହଁରୁ ଅନ୍ୟ କାହାର ଏତେ ପ୍ରଶଂସା ଶୁଣିବାକୁ ଚାହେଁ ନାହିଁ । ମୁହଁ ନୁଆଇଁ ଆଣିଲେ ମୋର ମୁହଁ ଉପରକୁ । ବାଧା ଦେଲି ନାହିଁ । ନିରୋଳା ବେଳରେ ଏତିକି ସୁଯୋଗ ସେ ବାରମ୍ୱାର ନେଇଛନ୍ତି । ନେଉନ୍ତୁ, ପୁଣି–

ମୋ’ର ମନରେ ସାହସ ହେଲା, ଯଦି ସେ ବୀଣା ଦେବୀଙ୍କ ପାଖରେ ଭଲ ପାଇବା ଛଳନା କରନ୍ତି, ସେହି ଛଳନାଟାହିଁ ସତ ହୋଇଯିବ । ମନରେ ଶାନ୍ତି ଆସିଲା । ସବୁଦିନପରି ପରଦିନ ଦି’ପହରେ ବୀଣା ଦେବୀଙ୍କ ସଙ୍ଗେ ଦେଖା କରିବାକୁ ଗଲି । ତାଙ୍କ ମୁହଁକୁ ଚାହିଁ ଦେଖିଲି ତହିଁରେ ଯେପରି ସରାଗ ନାହିଁ, ଆଖିପତା ମଳିନ ଦିଶୁଛି–ସତେ କି ରାତିଟା ଅନିଦ୍ରାରେ କଟିଛି ।

ବୀଣା ଦେବୀ ଆରମ୍ଭ କଲେ, ଫୁଲ, ତୋ ମୁହଁଟା ଶୁଖିଲା ଦିଶୁଛି କାହିଁକି ଲୋ ?

କହିଲି, ସେଇଆ ତମୁକୁ ଆଗ ପଚାରିବି ଭାବୁଥିଲି । କାଲି ରାତିରେ ନିଦ ହୋଇନାହିଁ ପରା ! ହସିବାକୁ ଚେଷ୍ଟା କଲି । ତାଙ୍କର ଶୁଖିଲା ମୁହଁ ଦେଖି ଓଠରେ ହସ ମିଳାଇଗଲା । ଲୁହ ପୋଛି କହିଲେ, ହଁ ଲୋ, ରାତିରେ ନିଦ ନାହିଁ । ଟିକିଏ ରହି ପୁଣି କହିଲେ, ଫୁଲ, ଦୁଃଖ-ଗ୍ରହରେ ଯାହାର ଜନ୍ମ ଯେତେ ଯାହା କଲେ, ଜୀବନରେ ସେ ସୁଖ ପାଇବ ନାହିଁ । ମୋର ଭାଗ୍ୟଟା ସେମିତି ।

ପଚାରିଲି, କ’ଣ ହେଇଛି ଦେଇ, ଏତେ ଦୁଃଖ କାହିଁକି ? ସବୁଦିନ କ’ଣ ସମାନ ରହେ-?

କହିଲେ, ସେଇ ଆଶାରେ ସିନା ବଞ୍ଚିରହିଛି ।

ତାଙ୍କ ମୁହଁକୁ ଅନାଇ ରହିଲି ଆଗ୍ରହରେ ।

ସେ କହିଲେ, ରାତିଅଧରେ ସେ ଯେତେବେଳେ ଘରକୁ ଆସିଲେ, ଆନନ୍ଦ ଗର୍ବରେ ମୋର ଛାତି ଫୁଲିଉଠିଲା । ସେ କବାଟ କିଳିଲେ । ଲାଜରେ ସଢ଼ିଗଲି ଭଉଣୀ । କାନ୍ଥ କରକୁ ଆଉଜି ଠିଆହେଲି । ସେ ଯାଇ ପଲଙ୍କ ଉପରେ ବସିଲେ । ଭାବିଥିଲି ସେ ମୋ ହାତ ଧରି ପାଖକୁ ନେବେ । କେତେ ମନଗଢ଼ା ଆନନ୍ଦରେ ଲାଜ ଭୟ ସଙ୍କୋଚ ମନରେ ଭରିଗଲା; କିନ୍ତୁ ସେ ଆସିଲେ ନାହିଁ । ଓଢ଼ଣା-କଣରେ କରେଇ ଚାହିଁଲି । ତାଙ୍କର ମୁହଁଟି କେଉଁ ଦୁଃଖରେ ଭରି ରହିଛି-। ମନର ସରାଗ ମରିଗଲା । ଆଗ୍ରହ ଆନନ୍ଦ କେଉଁ ଭୟର ଛାଇରେ ଛପିଗଲା ।

ଦୁହେଁ ନୀରବ ରହିଲୁ–କେତେ ଯୁଗ ପରି ଲାଗିଲା କେଜାଣି । କେତେବେଳରେ ସେ ମୁହଁ ଖୋଲିଲେ, ଡାକିଲେ, ଶୁଣ–,ତାଙ୍କ ପାଖକୁ ଗଲି । ଗୋଡ଼ ଚଳୁ ନ ଥାଏ । ମୁହଁ ଉପରୁ ଓଢ଼ଣା ସାମାନ୍ୟ କାଢ଼ି ମଥା ପୋତି ପଲଙ୍କକୁ ଆଉଜି ଠିଆହେଲି । ଆହୁରି କେତେ ସମୟ ବିତିଲା । ସେ ଗଳା ଥରାଇ କହିଲେ, ଶୁଣ, ତେମେ ଏ ଘରର ବୋହୂ; କିନ୍ତୁ ମୋର କେହି ନୁହଁ ।

ବ୍ରଜ ପଡ଼ିଲା ପରି କଥାଟା ଲାଗିଲା । ତାର ଅର୍ଥ କିଛି ବୁଝିପାରିଲି ନାହିଁ । ଛାତିକୁ ପଥର କରି ଆଉ କ’ଣ କହିବେ, ଶୁଣିବାକୁ ଅପେକ୍ଷା କରି ରହିଲି । କେତେବେଳକେ ସେ ପୁଣି କହିଲେ, ମନରଖା କଥା ମୋତେ ଭଲ ଲାଗେ ନାହିଁ । ମୋଟ କଥା, ତମକୁ ମୁଁ ଭଲପାଏ ନାହିଁ-ଭଲପାଇ ପାରିବି ନାହିଁ । ମୋର ଧୈର୍ଯ୍ୟ ଭାଙ୍ଗିଲା । ଆଖିରେ ଭରିଗଲା ଲୁହ । ପାଟିରୁ ବାହାରିଗଲା, କାହିଁକି, ମୁଁ କ’ଣ ଅପରାଧ କରିଛି ?

ସେ କହିଲେ, ଅପରାଧ ! ନା, ତେମେ କାହିଁକି ମୋର ଅପରାଧ କରିବ; କିନ୍ତୁ ଅପରାଧ କଥା କହୁନାହିଁ । ଜଣେ ଲୋକ ଜୀବନରେ ଜଣକୁ ଭଲପାଏ ଦୁଇ ଜଣକୁ ଭଲପାଇବା ଅସମ୍ଭବ । ସେ ଉଠି ଠିଆ ହେଲେ । କ’ଣ କରିବି ବୋଲି ମୋର ବୁଦ୍ଧି ଦିଶିଲା ନାହିଁ । କେଜାଣି କିପରି ତାଙ୍କର ଦୁଇଗୋଡ଼ ଧରି କହି ପକାଇଲି, ମୋର ଯଦି କେଉଁଥିରେ ଦୋଷ ହୋଇଥାଏ, କ୍ଷମା କର । ମୁଁ ତ ତମଠାରୁ ଆଉ କିଛି ଚାହୁଁନାହିଁ । ତମର ସେବାର ଅଧିକାର ମୋତେ ଦିଅ ।

କହୁ କହୁ ବୀଣା ଦେବୀ ଅସ୍ଥିର ହୋଇ କାନ୍ଦିଉଠିଲେ, କୋହଟାକୁ ଦାବିବାକୁ ଯେତେ ଚେଷ୍ଟା କଲେ ପାରିଲେ ନାହିଁ ।

ପଚାରିଲି, କହ, ସେ କ’ଣ କହିଲେ ?

କହିଲେ, ଗୋଡ଼ରେ ଆଡ଼େଇ ଦେଲେ । ଘର ଖୋଲି ପଦାକୁ ଚାଲିଯିବା ଆଗରୁ କହିଗଲେ, ତେମେ ମୋର ଆନନ୍ଦ, ମୋର ସୁଖ ପଥର କଣ୍ଟା, ତମୁକୁ ମୁଁ ଚାହେଁ ନାହିଁ–

ବୀଣା ଦେବୀ ଆହୁରି ଅଧୀର ହୋଇ କାନ୍ଦିଉଠିଲେ । କହିଲେ, ସେ ଚାଲିଗଲେ । ମୁଁ ଭାବିଲି, ଯଦି ମୁଁ ତାଙ୍କ ସୁଖ ଆନନ୍ଦର ପ୍ରତିବନ୍ଧକ, ତେବେ ତାଙ୍କରି ସୁଖ ଆନନ୍ଦ ପାଇଁ ଆତ୍ମହତ୍ୟା କରି ମରିବା ଭଲ । କେଡ଼େ ସହଜ, କେଡ଼େ ସୁବିଧା । ପୁଣି ଭାବିଲି, ଏଡ଼େ ବଡ଼ ପାପ ? ତା ଛଡ଼ା, ଘରର ବୋହୂର କର୍ତ୍ତବ୍ୟ ଭିତରେ ସ୍ୱାମୀ ବଡ଼ ହେଲେ ବି ସ୍ୱାମୀ ତ ସବୁ ନୁହେଁ । ଅନ୍ୟମାନଙ୍କ ପ୍ରତି ମୋ’ର କର୍ତ୍ତବ୍ୟ ଅଛି । ସେମାନେ ମୋତେ ଭଲପାଆନ୍ତି ।

ପଚାରିଲି, ସେମାନଙ୍କୁ କ’ଣ ତମର ଦୁଃଖ କହିଛ ?

କହିଲେ, ନା, କହି ନାହିଁ, କହିବି ନାହିଁ । ତୋତେ ବି ମନା କରୁଛି । ଅଯଥା ସେମାନଙ୍କ ମନରେ କଷ୍ଟ ଦେବାକୁ ଚାହେଁ ନାହିଁ । ତାଙ୍କ ମନର ଦୃଢ଼ତା ଦେଖି ମୁଁ ବିସ୍ମିତ ହେଲି । ଭାବିଲି, ଆଶ୍ୱାସନା କାହାକୁ ମୁଁ ଦେଉଛି । ସେ ତ ଆଶ୍ୱାସନାର ଢେର ଉପରେ । ମୁଁ ଉଠିଆସିଲି ବାହାରକୁ-। ସେ କହିଲେ, ଗୋଟିଏ କଥା ଯଦି ଜାଣନ୍ତି ଫୁଲ ?

ପଚାରିଲି, କ’ଣ ?

କହିଲେ, ଯାହାକୁ ସେ ମନପ୍ରାଣ ଦେଇ ଭଲ ପାନ୍ତି, ସେ କିଏ ଲୋ ? ତାକୁ ଥରେ ଦେଖିବାକୁ ମନଟା ଛଟପଟ ହେଉଛି । ଦେଖନ୍ତି ସେ କେମିତି ?

କହି ହୋଇଗଲା, ସେ’ତ ତମଠୁ ବେଶୀ ସୁନ୍ଦର ହୋଇ ନ ଥିବ ।

ଏତେ ଦୁଃଖରେ ମଧ୍ୟ ତାଙ୍କ ନାଲି ଓଠ ଦି’ଫାଳରେ ହସ ଉଇଁଆସିଲା କହିଲେ, ରୂପ ଅପେକ୍ଷା ଗୁଣ କ’ଣ ବଡ଼ ନୁହେଁ ? ଯାହାକୁ ସେ ଏତେ ଭଲ ପାନ୍ତି, ତାକୁ ଦେଖିବି, ତାଠାରୁ ମୋର କେତେ କ’ଣ ଶିଖିବାର ଅଛି ।

ହସି ହସି କହିଲି, ବେଶ୍‌ତ, ତାଠାରୁ ସବୁ ଶିଖି ଶେଷକୁ ଯଦି ଗୁଣ ନନାକୁ କାନିରେ ବାନ୍ଧି ରଖ, ତାର ଗତି କ’ଣ ହେବ ?

କ’ଣ ଯେପରି ଭାବିଲେ । ଦୀର୍ଘଶ୍ୱାସ ଛାଡ଼ି କହିଲେ, ମୋ କଥା ଭୁଲ ବୁଝୁନା ଫୁଲ, ଯେ ମୋର ସ୍ୱାମୀକୁ ଏତେ ଭଲପାଏ, ଯାହାଙ୍କୁ ମୋର ସ୍ୱାମୀ ଏତେ ଭଲପାନ୍ତି, ସେ ମୋର ଅତି ଆପଣାର । ତାକୁ ମୁଁ ଭଲପାଇ ପାରିବି ।

ଘରକୁ ଫେରିଲି । ବାଟରେ ଭାବିଲି, ବୀଣା ଦେବୀଙ୍କର ଦୁଃଖ ଘୁଞ୍ଚାଇବାକୁ ମୋତେ ହୁଏତ ମରିବାକୁ ହେବ, ନୋହିଲେ ଗାଁ ଛାଡ଼ି ଚାଲିଯିବାକୁ ହେବ । ଯାହା ପାଇଁ ମରିବି ତା ମନରେ ଦୁଃଖ ହେବ, ଦିନେ ଦୁଇ ଦିନ । ତାପରେ ସେ ମତେ ଭୁଲିଯିବେ । ମୋର ଦୁଃଖ ମୋର ମରଣ ପାଇଁ କାହାରି କ୍ଷତି ହେବ ନାହିଁ । ଗାଁ ଛାଡ଼ି ଘର ଛାଡ଼ି ଦୂରକୁ ଚାଲିଯିବା ବରଂ ଭଲ । ଏଥର ମା’ର ପ୍ରସ୍ତାବରେ ଆଉ ବାଧା ଦେବି ନାହିଁ ।

ଘର ପାଖରେ ପହଞ୍ଚି ଦେଖିଲି, ଆମରି ଦୁଆର ଆଡ଼ୁ ଲୋକଟିଏ ମୁଣ୍ଡରେ ବସ୍ତା ମୁଣ୍ଡାଇ ପଦାକୁ ବାହାରି ଆସୁଛି । ମୋତେ ଦେଖି ସେ ମୁଣ୍ଡ ସଳଖି ମୁହୂର୍ତ୍ତେ ଠିଆହେଲେ । ମୋରି ଆଡ଼କୁ କଣେଇଁ ଚାହିଁଲେ । ସରମରେ ବାଡ଼ କରକୁ ଆଉଜି ଗଲି । ମା ପଛରୁ ଆସି କହିଲା, ବାପ ତୋରି ନିର୍ଭରରେ ରହିଲି । ହବା ନ ହବା କଥା ଜଲଦି କହି ପଠାଇବୁ ।

ସେ କହିଲେ, ନ ହେବା କଥା କହୁଛ କାହିଁକି, ଯୋଗଡ଼ କରିବାକୁ ଯାହା ଡେରି ।

ମୋର ସନ୍ଦେହ ହେଲା । ଭିତରକୁ ଚାଲିଆସିଲି । କେତେବେଳେ ମା ଆସି କହିଲା, ବାପ ମା କେହି ନାହାନ୍ତି । ଭାଇ ଦିଓଟି, ଜମି ଦି ମାଣ ଚାଷ । ଯାହା ରୋଜଗାର କରନ୍ତି, ସୁଖରେ ଚଳେ । ମନକୁ ମୋର ପାଇଛି । ଖାଲି ତୋରି ଇଚ୍ଛା ଅନିଚ୍ଛା ବୁଝିଥିଲେ ଜବାବ ଦେଇଥାନ୍ତି ।

ଅନ୍ୟଦିନ ହୋଇଥିଲେ ବିରକ୍ତ ହୋଇଥାନ୍ତି, ମା ସଙ୍ଗେ କଜିଆ କରିଥାନ୍ତି । ସେଦିନ ତୁନି ରହିଲି । ଭାବିଲି ଛାଇ ପଛରେ ଧାଇଁ ଲାଭ ନାହିଁ । ମା’ ମନକୁ ଯାହା ଭଲ ଲାଗୁଛି ସେ କରୁ-। ତା ମନରେ କଷ୍ଟ ଦେବି ନାହିଁ ।

ମା କହିଲା, କିଏ କାହାର ଲୋ, ବଞ୍ଚି ଥାଉଁଣୁ ତୋର ହାତକ ଦି’ହାତ କଲେ, ମୁଁ ନିଶ୍ଚିନ୍ତ ହେବି ।

ମୁଁ ଉତ୍ତର ନ ଦେଇ ଚାଲିଗଲି ବାରିଆଡ଼କୁ । ମା’ ମତେ ଶୁଣାଇ କହିଲା, ପଇସା କଉଡ଼ି ତ ହାତରେ ନାହିଁ । ନରୁ ରାଉତ କହୁଥିଲା ଘର ଡ଼ିହ ବନ୍ଧା ରଖି ଟଙ୍କା ଦଶଟି ଦେବ, ବୁଝେ ଯାଇଁ ।

ନଡ଼ିଆ ଚାଞ୍ଚରାଟା ପିଣ୍ଡାରେ ପକାଇ ଶୋଇଲି । ସଞ୍ଜପହର ଗଡ଼ିଗଲା । ହଠାତ୍ ଗୁଣନନା ଆସି ପହଞ୍ଚିଲେ । ମୁଁ ଉଠି ବସିଲି । ସେ ସଙ୍ଗେ ସଙ୍ଗେ ପଚାରିଲେ, ଆଜି ଦି’ପହରେ ତୁ ଆମ ଘରକୁ ଯାଇଥିଲୁ, ନାନୀ କହୁଥିଲେ ।

କହିଲି, ହଁ !

ପଚାରିଲେ, ସବୁକଥା ତୁ ତାଙ୍କ ମୁହଁରୁ ଶୁଣିଛୁ ?

କହିଲି, ଶୁଣିଛି ।

ପଚାରିଲେ, ତୋ’ର ସବୁକଥା ତୁ ତାଙ୍କୁ କହିଛୁ ?

ଟିକିଏ ଭାବି କହିଲି, ଯଦି କହିଥାଏଁ ?

ମୁଁ ଏହା ବିଶ୍ୱାସ କରିବି ନାହିଁ । ଜାଣେ, ତୁ ଏଡ଼େ ଓଲୁ ନୁହଁ । ତହିଁରେ ଲାଭ ଛଡ଼ା କ୍ଷତି ହୁଅନ୍ତା । ଗାଁରେ ଚହଳ ପଡ଼ନ୍ତା, ଅତ୍ୟାଚାର ହୁଅନ୍ତା ଦୁହିଁଙ୍କ ଉପରେ ।

କହିଲି, ଏ ସବୁକୁ ଡରି ମୁଁ କହିବାକୁ ପଛାଇ ନ ଥାନ୍ତି । ମୋର ଭୟ ହେଲା କାଳେ ବୀଣା ଦେବୀ ଦୁଃଖ କରିବେ । କାହିଁକି ବା କହନ୍ତି, ମୁଁ ଜାଣେ, ତୁମେ ତାଙ୍କ ପ୍ରତି ଯେଉଁ ବ୍ୟବହାର କରିଛ ସବୁ ବାହାରିଆ । ତେମେ ତାଙ୍କୁ ଭଲ ପାଅ ।

ସେ ମୋ ପାଖରେ ବସି କାବା ହୋଇ ଚାହିଁ ରହିଲେ । କେତେବେଳେକେ କହିଲେ, ତୋରି କହିବା ମତେ ମୁଁ ଯାଇଥିଲି, ଛଳନା କରିପାରିଲି ନାହିଁ । ଯାହା ସତ, ଯାହା ମନର କଥା, ସେତକ ମୁହଁରୁ ବାହାରିଗଲା । ବୁଝିପାରୁଛୁ ଫୁଲ, ତୋତେ ମୁଁ କିପରି ଭଲପାଏ ! ତୋରି ପାଇଁ ସ୍ତ୍ରୀକୁ ଗୋଡ଼ରେ ଠେଲିଦେଇ ଆସିପାରେ ।

ହସିଲି, କହିଲି, ସତେ ? ତେମେ ତାଙ୍କୁ ଏତେ ଭଲପାଅ ?

ପଚାରିଲେ, ତୁ ପରିହାସ କରୁଛୁ ?

କହିଲି, ନା, ଯାହା ସତ ତାହାହିଁ କହୁଛି । ତେମେ ତମର ସ୍ତ୍ରୀଙ୍କୁ ଏତେ ଭଲପାଅ ଯେ ଛଳନା କରିବାକୁ ସାହସ ହେଲା ନାହିଁ । ତାଙ୍କର ରୂପ, ଯୌବନ, ଆଖିର ଲୁହ ସହିପାରିଲ ନାହିଁ । ଠେଲିଦେଇ ଚାଲିଆସିଲ । ଆଖିରେ ଦେଖି ଧୈର୍ଯ୍ୟ ଧରି ଠିଆ ହୋଇ ପାରିଲ ନାହିଁ । ଯିଏ ତୁମର, ଚିରଦିନ ତୁମର । ଯାହାକୁ ତେମେ ପ୍ରାଣ ଦେଇ ଭଲପାଅ, ତାକୁ ଛଳନା କରି ଭୁଲାଇବା ପ୍ରୟାସ ହେଲା ନାହିଁ । ପାରନ୍ତ ନାହିଁ । ତାଙ୍କ ଉପରେ ପୂର୍ଣ୍ଣ ଅଧିକାର ଅଛି, ଏକଥା ଯଦି ସ୍ୱୀକାର କରି ନ ଥାନ୍ତ,କେଉଁ ସାହସରେ ତାଙ୍କୁ ଅବହେଳା କରି ଚାଲିଆସନ୍ତ ? କେଉଁ ଗୁଣରେ ମୁଁ ତାଙ୍କର ସରି । ତଥାପି, ତୁମେ ମୋର ଦେହଟାକୁ ପାଇବାକୁ ଏଡ଼େ ଅଧୀର । କହିଲି ପୁଣି, ସେମିତି ମୋତେ ଗୋଡ଼ରେ ଆଡ଼େଇ ଦେଇ ଚାଲିଯାଇ ପାରିବ ? ଜାଣେ, ପାରିବ ନାହିଁ । ମୋ ଉପରେ ଏତେ ଅଧିକାର ଅଛି ବୋଲି ଅନୁଭବ କର ନାହିଁ । କାଳେ ମୁଁ ବିରକ୍ତ ହେବି, କାଳେ ଏଇ ଦେହଟାର ପରଶରୁ ଦୂରରେ ରହିବ ।

କହିଲେ, ନା ଫୁଲ, ତତେ ମୁଁ ଗୋଡ଼ରେ ଆଡ଼େଇ ପାରିବି ନାହିଁ । କାହିଁକି ଜାଣୁ ? ତୋର ଏଇ ଦେହଟାର ମୂଲ୍ୟ ମୋ ଆଖିରେ ଅତି ବଡ଼ । ତୁ ମନ ଇଚ୍ଛା ପରିହାସ କରିପାରୁ; କିନ୍ତୁ ତୋରିଠାରୁ ଆଶାର କଥା ପଦେ ଶୁଣିବା ପାଇଁ ତାର ଛାତିର ରକ୍ତରେ ମୁଁ ହାତ ଧୋଇପାରେ ତୁ ଏହା ଚାହୁଁ ?

ବୁଝିଲି, ସେ ଉତ୍ତେଜିତ ହୋଇଉଠିଛନ୍ତି । କହିଲି, ବୀଣା ଦେବୀଙ୍କ ପ୍ରତି କଠୋର ହେଲେ, ଆମର ବନ୍ଧୁତା ଯେ ବେଶୀଦିନ ରହିପାରିବ ନାହିଁ, ଏ କଥା ବୁଝିପାରୁନାହଁ ? ଚିରଦିନ ସେ ଆଖି ବୁଜି ରହିପାରିବେ ନାହିଁ ! ଥରେ ଯଦି ସେ ଜାଣନ୍ତି, ଆମର ସମ୍ବନ୍ଧ ଆପେ ଆପେ ତୁଟିଯିବ ।

ମୁଁ ତୁନି ହେଲି ।

ପଚାରିଲେ, ତେବେ ?

ସୁବିଧା ବେଳ ବୁଝି କହିଲି, ଯଦି ଆତ୍ମୀୟତା ଚିରଦିନ ବଜାୟ ରଖିବାକୁ ଇଚ୍ଛା ଥାଏ, ବୀଣା ଦେବୀଙ୍କ ଆଖିର ଲୁହ କି ଛାତିର କୋହରେ ତାହା କେବେ ହୋଇପାରିବ ନାହିଁ । ସମ୍ଭବ ହେବ, ତାଙ୍କରି ମୁହଁର ହସରେ । ତାଙ୍କରି ଓଠରେ ହସ ଫୁଟାଇବାକୁ ଛଳନା କରି ତାଙ୍କୁ ସ୍ନେହ କର, ଆପଣାର କର । ତମ ଉପରୁ ତାଙ୍କର ସବୁ ସନ୍ଦେହ, ସବୁ ଅଭିମାନ ତୁଟିଯାଉ । ସେତିକି କରିପାରିଲେ–

ଗୁଣନନା କହିଲେ, ଏଇ କଥା ଯଦି ତୁ ଆଗରୁ ବୁଝାଇ କହିଥାନ୍ତୁ ଫୁଲ, ଜାଣି ଜାଣି କାହିଁକି ଏତେ ବଡ଼ ଭୁଲକରି ବସଥାନ୍ତି ? ବର୍ତ୍ତମାନ ଉପାୟ ?

ମନରେ ସାହସ ହେଲା । କହିଲି, ଉପାୟ ଅଛି । ବଡ଼ ସହଜ । ତେମେ ଫେରିଯାଅ । ଗତ ରାତିର ଘଟଣା ପାଇଁ ଅନୁତାପ କରୁଛ ବୋଲି ତାଙ୍କୁ କହ । ଆବଶ୍ୟକ ହେଲେ ତାଙ୍କର ପାଦ ଧରି । ତମ ଦୁହିଁଙ୍କ ଛଡ଼ା ଏକଥା ତ ଆଉ କେହି ଜାଣିବେ ନାହିଁ, ଏଥିକି ଲାଜ ସରମ କାହିଁକି ?

ଏତେଦୂର ଯିବାକୁ ହେବ ନାହିଁ । ତମଠୁ ଟିକିଏ ଆଦର ପାଇଲେ ସେ ସହଜରେ ସବୁ ଦୁଃଖ ଭୁଲିଯିବେ । ସରଗର ଚାନ୍ଦ ପାଇଲା ପରି ମଣିବେ । ତେଣିକି ଉଭୟେ ନିଶ୍ଚିନ୍ତ ହେବା । ଦୁନିଆଁର ଆଖିରେ ଅନ୍ଧପୋଟଳି ବାନ୍ଧିବା ସହଜ ଓ ସୁବିଧା ହେବ । ମୋ ରାଣ, ଯାହା କହିଲି ସେଇଆ କର । ମିଛଟାରେ ଦୁନିଆଁରେ ଚହଳ ପକାଇ ସମସ୍ତଙ୍କର ଅନିଷ୍ଟ କର ନାହିଁ । ସମସ୍ତଙ୍କର ଜୀବନକୁ ଛଟପଟ ଡହଳବିକଳ କର ନାହିଁ । ଆଉ ସହି ହେଉନାହିଁ । ଗୁଣଭାଇ, ତମର ନିର୍ମଳ ସ୍ନେହର ବୋଝ ମୋତେ ବଳେଇ ପଡ଼ିଲାଣି । ସେତକ କେମିତି ମୁଁ ସୁଝାଇ ପାରିବି, ତାର ସୁଯୋଗ ମତେ ଦିଅ ।

ଟିକିଏ ଉତ୍ତେଜିତ ହୋଇ କହିଲେ, ଫେରିଯିବି, ଫୁଲ, ଫେରିଯିବି । ତୋର କଥା ମାନି ଖାଲି ତୋରି ପାଇଁ ନିଜକୁ ମୁଁ ତଳକୁ ନୁଆଇଁ ଆଣିବି, କିନ୍ତୁ ଫୁଲ–

କ’ଣ କହିବାକୁ ବସିଥିଲେ କଥାଟାକୁ ଢୋକି ନେଇ ମୋ ଆଡ଼କୁ ଚାହିଁଲେ । ମୋତେ ନୀରବ ଦେଖି ପୁଣି କହିଲେ, ମନେରଖିଥା, ଯଦି ମୁଁ ଏଥର ବି ଛଳନା କରି ନ ପାରେ, ଦୁନିଆଁକୁ ଡରି କି ତୋର ମନଭୁଲା କଥା ଶୁଣି ମୁଁ ଆଉ ଫେରିଯିବି ନାହିଁ ।

ତାଙ୍କର କଥା ଶୁଣି ମୁଁ ଭୟରେ ତଟସ୍ଥ ହେଲି । ଗୁଣନନା ଯାହା କହୁଛନ୍ତି, ସତ । ଏଥର ଯଦି ସେ ବାହୁଡ଼ି ଆସନ୍ତି, ତାଙ୍କୁ ଆଉ ନିବର୍ତ୍ତାଇ ପାରିବି ନାହିଁ । ବର୍ଷ ବର୍ଷ କଟି ଯାଉଛି । ସତରେ ଏକା ତାଙ୍କ ସ୍ନେହ ଓ ଦାନର ବୋଝ ବଳେଇ ପଡ଼ିଛି । ଅତି ଦରିଦ୍ର ମୁଁ, କେବଳ ଦେହଟା ଛଡ଼ା ତାଙ୍କର ଋଣ ଶୁଝାଇବାକୁ ଆଉ ତ କିଛି ସମ୍ୱଳ ନାହିଁ । ପୋଡ଼ି ଜଳିଯାଉ ସେ ଦେହଟା । ତାଙ୍କରି ଗୋଡ଼ତଳେ ଅଜାଡ଼ି ଦେବି । ଦୁନିଆଁର ଲୋକେ ଯାହା କହନ୍ତୁ, ପରିଣାମ ଯାହା ପଛେ ହେଉ । ଲୁହ ଧାର ଗଡ଼ିଆସିଲା । ଗୁଣନନା ଚାଲିଗଲେ । ସବୁଦିନ ପରି ସେ ଆଦର କଲେ ନାହିଁ, ଗେଲ କଲେ ନାହିଁ । ଛାତି ମୋର କରତି ହେଲା, ମନଇଚ୍ଛା କାନ୍ଦିଲି ।

ଦିନ ପରେ ଦିନ କଟିଗଲା, ସାତ ଦିନ । ଗୁଣନନା ଆଉ ଫେରିଲେ ନାହିଁ । ମୁଁ ବି ବୀଣାଦେବୀଙ୍କ ସଙ୍ଗେ ଦେଖା ସାକ୍ଷାତ୍‍ କରିବାକୁ ଯାଇ ପାରିଲି ନାହିଁ । ମନରେ ଗୋପନ ଭୟ ହେଲା, କାଳେ ସେ ସବୁକଥା ତାଙ୍କ ଆଗରେ କହିଥିବେ, ମୁହଁ ଦେଖାଇବି କିପରି । ଛି, ସେ କ’ଣ ଭାବିବେ ? ବୀଣାଦେବୀ ଯେପରି ମୋ ଆଗରେ ତାଙ୍କର ମନ ଖୋଲି ସବୁ କଥା ନିଃସଙ୍କୋଚରେ କହିଛନ୍ତି, ମୁଁ ତ ସେପରି କହିପାରି ନାହିଁ । ସବୁ ଲୁଚାଇଛି-ଛଳ କରି ତା’ଙ୍କ ପେଟ ଭିତରୁ ସବୁ କଥା କାଢ଼ି ନେଇଛି ।

ଭାବିଥିଲି, ଶାନ୍ତି ପାଇବି ମନରେ, କିନ୍ତୁ ଶାନ୍ତି କାହିଁ ? ଦିନ ରାତି କେବଳ ଗୁଣନନାଙ୍କର କଥା ମନଟାକୁ ଜଳାଇ ପୋଡ଼ାଇ ଛଟପଟ କଲା । କେବେ କେଉଁଦିନ କ’ଣ ଘଟିଥିଲା, ଛୋଟ ବଡ଼ ପ୍ରତ୍ୟେକ କଥା ଆଖି ଆଗରେ ନାଚିଗଲା । ସାତଟି ଦିନ ଅଦେଖାରେ ବୁଝିପାରିଲି ତାଙ୍କୁ ମୁଁ କେଡ଼େ ଭଲପାଏ । ତାଙ୍କ ବିନା ମୋର ଜୀବନଟା ଶୂନ୍ୟ ଲାଗିଲା । କାହିଁକି ସେ ଆସୁ ନାହାନ୍ତି । ବିରକ୍ତ ହୋଇ, କି ଆଉ କାହିଁକି ?

ଅଭିମାନ ଆସିଲା ତାଙ୍କ ଉପରେ । କହୁ କହୁ କ’ଣ କହିଦେଲି ବୋଲି ସେ ଛଳ କରି ବସିଛନ୍ତି ? ଚାହିଁଥିଲେ ଦେହଟା ! ଦେହଟା ତ ସାମନ୍ୟ କଥା, ଜୀବନଟା ଚାହିଁଥିଲେ ତ ବିନା ଆପତ୍ତିରେ ଦେଇପାରିଥାନ୍ତି । ଯେଉଁ ଝଅଟିର ଛଳ ଛଳ ଆଖି ମୋର ମନ ତରଳାଇ ଥିଲା, ସେ ତ ମୋର ଛାତିର କୋହ ଦୂର କରିପାରିବ ନାହିଁ । କାହିଁକି ମୁଁ ଏଡ଼େ ନିର୍ବୋଧତା କଲି । ଯିଏ ନିଜେ ନିଜେ ଆସି ଧରା ଦେଇଥିଲେ, ତାଙ୍କୁ ଛଳ କରି ତଡ଼ିଦେଲି । ମନ ଆକୁଳ ହେଲା । ସବୁ ମାନ ଅଭିମାନ ପଛରେ ପକାଇ ବୀଣା ଦେବୀଙ୍କ ପାଖକୁ ଯାଇ କଥାଟି ବୁଝିବାକୁ ମନକଲି, ଯାଇ ପାରିଲି ନାହିଁ । ମୋର ଢଙ୍ଗ ମୋର ଚାଲିଚଲଣ ଦେଖି ମା ସବୁବେଳେ ଭାବିବାକୁ ଲାଗିଲା ।

ଦିନେ ଭରସି କରି ପଚାରିଦେଲା, ଫୁଲ ଲୋ, ତୁ ଏଣୁ ତେଣୁ ଏତେ କ’ଣ ଭାବୁଛୁ ? ସଂସାରରେ କ’ଣ ଝିଅ ପରଘରକୁ ଯାଉ ନାହାନ୍ତି ? କିଏ ଏମିତି ମନକଷ୍ଟ କରୁଛି ! ରାମ ଲକ୍ଷ୍ମଣ ପରି ଦି ଭାଇ । ଘର ଅଛି, ଜମିବାଡ଼ି ଅଛି । ଭାଇ ଦିଓଟି କେଡ଼େ ସୁନ୍ଦର । ସବୁ କାମକୁ ଧୂରନ୍ଧର । ବାଟ ଦି’ କୋଶରେ ଘର । ମନକଲେ ସବୁବେଳେ ଆସିବୁ । ଦିନେ ଦି’ ଦିନ ଛାଡ଼ି ତତେ ବରାବର ଦେଖି ଆସୁଥିବି ଲୋ ମା । ମନ କଷ୍ଟ କରୁଛୁ କାହିଁକି ?

ମୁଁ କିଛି ଜବାବ ଦେଲି ନାହିଁ । ଆଖିରୁ ଲୁହ ଝରିଆସିଲା । ସତରେ କ’ଣ ପରଘରକୁ ଯିବାକୁ ହେବ ମା କହୁଥିଲା ଆଜିର ବାର ବାହାଘର ! ଚମକି ଉଠିଲି । ନା, ଏ ବାହାଘର ହୋଇପାରିବ ନାହିଁ । ଯାହାକୁ ମୁଁ ମନ ପ୍ରାଣ ଦେଇଛି ତାହାରି ପାଇଁ ମୋର ଦେହଟା, ମୋର ଜୀବନଟା ଉତ୍ସର୍ଗ କରିବି । ମୁହଁରୁ କଥା ବାହାରିଲା ନାହିଁ ।

ମା ଆଖି ଛଳ ଛଳ କରି ଅନ୍ୟଆଡ଼େ ଚାଲିଗଲା ।

ଡରି ଡରି ସେ ଦିନ ଦି’ ପହରେ ତାଙ୍କ ଘରକୁ ଗଲି । ବାହାର ଖଞ୍ଜାରେ ନାନୀ ବସିଥିଲେ । ମୋତେ ଦେଖି କହିଲେ, କିଲୋ ଫୁଲ ! ତୋର କାହିଁକି ଆଜିକାଲି ଦେଖା ନାହିଁ । ବୋହୂ ତୋ କଥା କେତେ ପଚାରନ୍ତି । ଯା, ଭିତରକୁ ଯା ।

ମୁଁ ଉତ୍ତର ନ ଦେଇ ଭିତରକୁ ଆସିଲି । ଯେଉଁ ଘରେ ବୀଣାଦେବୀ ଥାନ୍ତି, ସେ ଘର କବାଟ ବନ୍ଦ ହୋଇଛି । ଭାବିଲି ବୋଧହୁଏ ସେ ଶୋଇ ପଡ଼ିଛନ୍ତି । ଫେରିଯାଏଁ, ଫେରି ପାରିଲି ନାହିଁ । ପିଣ୍ଡା ଉପରକୁ ଉଠି କରେଇ ଠିଆ ହେଲି । ଡାକିବି ମନେ କରୁଛି, ଭିତରୁ ଗୁଣନନାଙ୍କର ହସ ଶୁଣିଲି । ଛାତି ଚମକି ଉଠିଲା । କହୁଛନ୍ତି, ତାର ନାଁ ମତେ ପଚାରିଲେ ମୁଁ କହିବି ନାହିଁ ।

ବୀଣା ଦେବୀ କହିଲେ, ବେଶ୍ ନ କହ । ତେମେ ଭାବୁଛ ମୁଁ ଜାଣିବି ନାହିଁ, ଫୁଲକୁ ପଚାରିଲେ ସେ କହିବ । ସେ ସବୁ ଜାଣେ ।

କହିଲେ, ସତେ ? ଆଛା ତାକୁ ପଚାରିବ ।

ମୋ’ର ଗୋଡ଼ ଥରି ଉଠିଲା । ଚାଲି ଆସିବି ଭାବୁଛି, କବାଟ ଖୋଲି ଗୁଣନନା ପଦାକୁ ବାହାରି ଆସିଲେ । ମୋତେ ଦେଖି ଚମକି ଉଠିଲେ । ତାଙ୍କ ମୁହଁକୁ ଚାହିଁଲି, ହସ ହସ ମୁହଁ ଗମ୍ଭୀର ହୋଇଉଠିଲା । ଆଖିର ଆଲୁଅ ମଳିନ ହେଲା । ଥରିଲା କଣ୍ଠରେ କହି ଉଠିଲେ, ତୁ ଫୁଲ !

ଉତ୍ତର ଦେବା ଆଗରୁ ବୀଣା ଦେବୀ ଘର ଭିତରୁ ପଦାକୁ ଆସିଲେ । ମୋ ଆଖିକି ତାଙ୍କର ରଙ୍ଗିଲା ମୁହଁ, ଅଲରା ବାଳ, ଅସଂଯତ ବେଶ, କେଡ଼େ ସୁନ୍ଦର ଦିଶିଲା ।

ଗୁଣନନା ଉତ୍ତେଜନାକୁ ଚାପି ରଖି କହିଲେ, ଫୁଲକୁ ପରା ଖୋଜୁଥିଲ, ସେ ଆସିଛି ।

ବୀଣା ଦେବୀ ହସି ହସି ମୋ ପାଖକୁ ଆସିଲେ । ହାତ ଧରି କହିଲେ, ହଁ, ହଁ, ଖୋଜୁଥିଲି । ତମେ ଏଥର ଯାଅ ।

ଗୁଣନନା ବିସ୍ମିତ ହୋଇ କହିଲେ ଛୁଇଁଲ ? ସେ ଯେ ବାଉରୀ ! ହସି ହସି ବୀଣା ଦେବୀ କହିଲେ, ବାଉରି ! ଓ, ତେମେ ତାର ବାହାରଟା ଦେଖିଛ, ମନ ଭିତରଟା ଦେଖି ନା । ଯିବଟି ଏଠୁ ।

ସେ ଚାଲିଗଲେ ।

ସେଇଦିନ ସଞ୍ଜବୁଡ଼େ ଗୁଣନନା ଆମ ଘରକୁ ଆସିଲେ । କାନ୍ଦି କାନ୍ଦି ମୋର ଆଖି ଫୁଲି ଯାଇଥିଲା । କେତେବେଳଯାଏ ଦିହେଁ ନୀରବ ରହିଲୁ । ଶେଷକୁ ସେ କହଲେ, ତୁ ଜିତିଲୁ ଫୁଲ, ମନକଥା ତୋର ପୂର୍ଣ୍ଣ ହେଲା ।

ମନ ହେଉଥିଲା କହିବାକୁ, ତେମେ ମୋତେ ଭୁଲ ବୁଝିଛ । ନିର୍ବୋଧ ମୁଁ, ଜିତି ନାହିଁ, ହାରିଛି । କିଛି କହିପାରିଲି ନାହିଁ ।

ପୁଣି ଦିହେଁ ନୀରବ ରହିଲୁ । ପେଟ ଭିତରୁ କାନ୍ଦଣାର କୋହ ଉଠୁଥାଏ । ସବୁ ଉତ୍ତେଜନା ଚାପି ରଖିଥାଏ ସିନା, ମନ ହେଉଥାଏ ଦୁଇଗୋଡ଼ ଧରି କ୍ଷମା ଚାହିଁବି । କହିବି, ତୁମକୁ ପ୍ରତାରଣା କରିଛି । ମନେପଡ଼ିଯାଏ ବୀଣା ଦେବୀଙ୍କର ଅସଂଯତ ରୂପ । ଗୋଡ଼ ହାତ ଚଳେ ନାହିଁ, ମୁହଁ ଖୋଲେ ନାହିଁ । କେତେ କ’ଣ ଭାବି ଗୁଣନନା କହିଲେ, ଫୁଲ, ମୁଁ ଛଳନା ବି କରିପାରିଲି ନାହିଁ । କରନ୍ତି କାହା ଆଗରେ ? ବୀଣା ପରି ସରଳ ନିରୀହ ଝିଅଟି, ଛଳନାକୁ ଯେ ସତ ମଣେ, ତା’ ଆଗରେ ଛଳନା କରିବା ସମ୍ଭବ ନୁହେଁ ।

ଟିକିଏ ଅପେକ୍ଷା କରି ପୁଣି କହିଲେ, ମୋ ଆଖିରେ ତୋ ଆସନ କେଡ଼େ ଉଚ୍ଚରେ ଫୁଲ ? ଆଜିଯାଏ ତୋତେ ମୁଁ ଚିହ୍ନି ନ ଥିଲି । ସତରେ ଲୋ, ତୋର ବାହାରଟା ଦେଖିଥିଲି, ଭିତରଟା ଦେଖି ନ ଥିଲି, ଚିହ୍ନ ନ ଥିଲି । ମୋର ବାଟ-ହୁଡ଼ା ଅରଣା ମନକୁ କେଡ଼େ କୌଶଳରେ କେଡ଼େ ସହଜରେ ତୁ ଶାସନ ନ କରି, ଅନୁରାଗ କରି ଅଟକାଇ ରଖି ପାରିଥଲୁ ।

ଛାତିର କୋହ ଚାପି ରଖିପାରିଲି ନାହିଁ । ତାଙ୍କର କଥାରେ ବାଧା ଦେଇ କହିଉଠିଲି, ତେମେ ମୋତେ ଚିହ୍ନ ଗୁଣନନା, ସତେ ତେମେ ମତେ ଭଲ ପାଅ ?

କହିଲେ, ଚିହ୍ନି ନ ଥିଲି, ଚିହ୍ନିଲି । ଆଜିଯାଏ ତୋର ଝଟକିଲା ସୁନ୍ଦର ରୂପ, ଦାଉ ଦାଉ ଜଳିଲା ଆଖିକି ମୁଁ ଭଲ ପାଇଥିଲି ସିନା । ତୋର ମନର ମହତକୁ ଅନୁଭବ କରିପାରି ନ ଥିଲି । ତୋର ସେଇ ମନରେ ପରିଚୟ ତୁ ମତେ ଦେଇସାରିଛୁ, ସେଇଆକୁ ମୁଁ ଦେଖିଛି, ବୁଝିଛି, ଅନୁଭବ କରିଛି । ସେଇଆକୁ ମୁଁ କେତେ ଭଲପାଏ । କିପରି ତତେ କହିପାରିବି ? ତୋରି ସତର୍କତା, ତୋରି ମହତପଣିଆଁ ତିନୋଟି ଜୀବନର ସୁଖ ଆନନ୍ଦର ବାଟ ଦେଖାଇଛି ।

ଉତ୍ତେଜିତ ହୋଇ ଲତାଟି ପରି ଲୋଟିଗଲି ତାଙ୍କରି କୋଳରେ, କାନ୍ଦି ଉଠିଲି । କହିଲି, ତମେ ମୋତେ ଚିହ୍ନି ନାହଁ । ମୋର ଛାତି ଭିତର କଥା ଜାଣ ନାହିଁ । ତେମେ ମୋତେ ଭଲ ପାଅ ? କହ, ଭଲପାଅ ଠିକ୍ ଯେମିତି ଆଗେ ଭଲପାଉଥିଲ ? ବେଶୀ ବେଶୀ କାନ୍ଦି ଉଠିଲି ।

କେତେ ସମୟ ନୀରବ ରହିଲେ । ସେ ମୋର ମୁଣ୍ଡ ଆଉଁଷିଲେ । ଡାକିଲେ ଫୁଲ । ଜବାବ ଦେଲି ନାହିଁ । କଇଁ ଉଠୁଥାଏ । ମୁଁ ବୁଝି ସାରିଥିଲି, ଯେତେ ଯାହା ତୁଣ୍ଡରେ କହିଲେ କି ଭବିଷ୍ୟତ ଓ ଲୋକପବାଦ ଡରରେ କୌଶଳରେ ତାଙ୍କ ପାଖରୁ କରଛଡ଼ା ଦେଇ ରହୁଥିଲେ ମଧ୍ୟ ମୁଁ ତାଙ୍କୁ ପ୍ରାଣରୁ ବଳି ଭଲ ପାଉଥିଲି । ତାଙ୍କର ଉତ୍ତେଜିତ କଥାରୁ ବୁଝିପାରିଥିଲି ମୋର ଭଲ ପାଇବାର ଶେଷକଥା ହୋଇସାରିଛି ।

କହିଲେ, ପରୀକ୍ଷା କରୁଛୁ ? ଭାବିଛୁ ଦୁର୍ବଳ ହୋଇ କହିପକାଇବି–ଅଟକି ଗଲେ । କହିଲେ, ତୁଇ ମତେ ଶିଖାଇଛୁ ଧୈର୍ଯ୍ୟ, ତୁଇ ମତେ ବତାଇଛୁ ନିର୍ମଳ ସ୍ନେହର ସ୍ୱରୂପ, ଭଲ ପାଇବାର ଆଦର୍ଶ !

କୋହ ଚାପି ଉଠି ବସିଲି । ସାମାନ୍ୟ ଘୁଞ୍ଚି ଆସିଲି । ପ୍ରକୃତିସ୍ଥା ହୋଇ କହିଲି ତେମେ ମୋର ଦେହଟା ଚାହିଁଥିଲ ପରା ?

ଆଉ ଅଧିକ କହିପାରିଲି ନାହିଁ । ମନେହେଲା, ବୀଣାଦେବୀ ଅନ୍ଧାରରେ ବାଡ଼ କଡ଼ରେ ଠିଆହୋଇ ହସି ଉଠୁଛନ୍ତି । କହୁଛନ୍ତି, ଆଲୋ ଫୁଲ, ମଶା କି ପିମ୍ପୁଡ଼ିଟିଏ ଆଖି ପତାରେ କାମୁଡ଼ିଲେ, ଛୋଟ ବ୍ରଣଟିଏ ଓଠରେ ଉଠିଲେ କି ଅସାବଧାନତାରେ ମୁଣ୍ଡ ଚାଳରେ ବାଜିଲେ ବି ଶୋଭାକାର ରୂପ ବିକଟାଳ ହୁଏ । ସେ ରୂପକୁ ମଣିଷ ଅନାଏଁ ନାହିଁ ।

ବୀଣାଦେବୀ କହୁ ନାହାନ୍ତି । ତାଙ୍କରି କହିଲା କଥା ମୋ କାନରେ ବାଜି ଯାଉଛି ।

ଗୁଣନନା ଦୀର୍ଘନିଶ୍ୱାସ ଛାଡ଼ି କହିଲେ, ଦେହ ? ହଁ, କାଠ ପଥର ପଶୁ ପକ୍ଷୀ ସଭିଙ୍କର ଦେହ ଅଛି । ମନର ପରିଚୟ ଥରେ ଯେ ପାଏ, ଦେହର ଅଳିକତା ସେ ବୁଝିପାରେ । ପରୀକ୍ଷା କରୁଛୁ କି ଫୁଲ ?

ଆଖି ଆଗରେ ସବୁ କଥା ଉଜ୍ଜ୍ୱଳ ଦିଶିଲା । ଉଠି ଠିଆହେଲି । ଦୁର୍ବଳତା ଦମନ କରି କହିଲି, ହଁ ପରୀକ୍ଷା ! ତେମେ ଜିତିଛ ଗୁଣନନା, ହାରିଛି ମୁଁ ନିର୍ବୋଧ । ଗୋଟିଏ ଅନୁରୋଧ ମୋର ରଖିପାରିବ ?

କ’ଣ କହ ।

ମୋ ଦିହ ଛୁଇଁ ଆଗ ହଁ କର ।

ସେ ମୋ ଦେହ ଛୁଇଁଲେ । କହିଲେ, ତୋ ଅନୁରୋଧ ମୁଁ ନିଶ୍ଚୟ ରଖିବି ।

ହସି ହସି କହିଲି, ଆଜିଯାଏ, ଆମ ଜୀବନରେ ଯାହା ଯାହା ଘଟିଯାଇଛି, ଟିକିନଖି କରି ସବୁ ମୋ ବୀଣା ଭାଉଜ ଆଗରେ କହିବ । ପୁଣି କହିବ, ମୁଁ କହିବାକୁ କହିଛି–

ସେ ତୁନି ରହିଲେ ।

ସେଦିନ ମୋର ବାହାଘର । ଲେଖାରେ ଦିଅର ହେବେ ମଦନ, ଗତ ସଞ୍ଜରୁ ଆମଘରେ ଆସି ପହଞ୍ଚିଛନ୍ତି । କୁଳର ପ୍ରଥା ଅନୁସାରେ ମୋତେ ହିଁ ତାଙ୍କ ଘରକୁ ଯିବାକୁ ହେବ ଜନ୍ମ ମାଟିର ମମତା ଛାଡ଼ି । ମନ ଭିତରେ ଦୁଃଖର ଜୁଆର ଉଠୁଥାଏ ।

ଉଛୁର ହେଉଛି ବୋଲି, ମା ବେଳେ ବେଳେ ବ୍ୟସ୍ତ ହୋଇଉଠେ । ମୋତେ କଅଁଳେଇ କହେ ଫୁଲ, ଡେରି କରି ଲାଭନାହିଁ । ଖରା ମାଡ଼ିଆସୁଛି ପରା । ଚାଲ । ଏଥର ଘର ଢ଼ିଅଟି ବନ୍ଧା ଦେଇ ମିଶ୍ରଘରୁ କୋଡ଼ିଏ ଟଙ୍କା ଆଣିଛି । ବଞ୍ଚିଥିବା ଯାକେ ଏ ଘରେ ରହିବି । ମରିଗଲେ ସେ ନେବେ । ଏ କଥା କହିଲାକୁ ସଙ୍ଗେ ସଙ୍ଗେ ସେ ଟଙ୍କା ଗଣି ଦେଲେ ଲୋ, କହିଲେ, ମୋର ସୁଧ ଲୋଡ଼ା ନାହିଁ ଲୋ, ଫୁଲଟିକୁ ଆଗ ଉଠେଇ ଦେ । ତୋର ଗୋଟାଏ ପେଟ ଅପୋଷା ରହିବ ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ଥାନର ଅଭାବ ହେବ ନାହିଁ । କେଡ଼େ ଦୟାବନ୍ତ ପୁରୁଷ ତୋ ଗୁଣ ନନାର ବାପ-

ତା କଥାରେ ମୋର କାନ ନ ଥାଏ । ଯାହାଙ୍କ ପାଇଁ ପ୍ରାଣ ଛଟପଟ ହେଉଥାଏ, ଥରୁଟିଏ ତାଙ୍କୁ ଦେଖିବି ବୋଲି ଗୋଡ଼ ଅଟକି ରହୁଥାଏ । ସେ ତ ଆସିଲେ ନାହିଁ, ମୋ ଅନୁରୋଧ ସେ ରଖିଲେ କି ନାହିଁ । ବୀଣାଦେବୀ କଅଣ କହିଥିବେ ଜାଣିବାକୁ ଆଗ୍ରହ ହେଲା । ହଉ ନ ଆସନ୍ତୁ ସେ । ପହିଲି ଯୌବନର ଲୁଚକାଳି ଖେଳ ଭାଙ୍ଗିଛି । ଗୁଣଭାଇ ସଂସାର କଲେଣି । ମୁଁ ବି ମୋର ଛୋଟ ସଂସାର ଗବରିର ଦୁନିଆଁ ଗଢ଼ିବାକୁ ଯାଉଛି । ରାତିରେ କୌତୁକିଆ ସପନ ପରି ପିଲାଦିନର ଏଇ ଖେଳ କୌତୁକ ଦିନାକେତେ ମନରେ ଥିବ । ସାଙ୍ଗ-ସାଥିଙ୍କ ଆଗେ କହିବାକୁ ହସି ହସାଇବାକୁ ମଜା ଲାଗିବ । ସଂସାରର ବୋଝ ବଳେଇଲେ ଆପେ ଆପେ ସବୁ ପାଶୋର ଯିବ । ଏମିତି କେବେ ହେଇଥିଲା ବୋଲି କିଏ ମନେପକେଇଲେ ନିଜର ବି ବିଶ୍ୱାସ ହେବନି । ଅସମ୍ଭବ ପରି ଲାଗିବ ।

ଗାଁ ମୁଣ୍ଡରେ ମିଶ୍ରଘର ତୋଟା । ଗୋଡ଼ ଅଟକିଗଲା । ଏଇ ସେ ଆମ୍ବଗଛ । ଏହାର ମୂଳରେ କେତେ ସଞ୍ଜ କଟିଛି । ଦୁଇଟା ଅତୃପ୍ତ ପ୍ରାଣର କେତେ ଅଫୁରନ୍ତ ଚିନ୍ତା, କେତେ ଉତ୍ତେଜନା ମିଳି ଏକାକାର ହୋଇଛି । ମୋର ହସ, ମୋର କାନ୍ଦ, ମୋ ମାନ, ଅଭିମାନ ସବୁ ଦେଖିଛି ଏଇ ଗଛଟି । ଆକୁଳ ପ୍ରାଣ ଦିଓଟିର କେତେ ପ୍ରେମାଳାପ ଶୁଣିଛି, ହୁଏତ ମନେ ମନେ ହସିଛି । ତାରି ମୂଳରେ ଠିଆ ହୋଇ ଆଖିର ତତଲା ଲୁହ ଢାଳି ଦେଲି, ମନର ସବୁ ସ୍ମୃତି ଧୋଇ ଦେବାକୁ ।

ଆଖି ପଡ଼ିଲା ଦୂରରେ । ଗୁଣନନା ଗଛ ଗହଳି ଭିତରୁ ବାହାରି ଆସୁଛନ୍ତି ।

ଆଗରେ ମଦନ ଚାଲିଛନ୍ତି । ମଝିରେ ବୋଉ । ସବାପଛରେ ମୁଁ । ଅପେକ୍ଷା କଲି ନାହିଁ-। ମୁହଁ ବୁଲାଇ ଆଗକୁ ଚାଲିଲି ।

କଟକ

୧୯୪୩

Image